ଚନ୍ଦ୍ର ପୃଷ୍ଠରେ ମନୁଷ୍ୟ ପାଦ ଦେଲା ପରଠାରୁ ପୃଥିବୀ ଭିନ୍ନ ଅନ୍ୟ ଗ୍ରହରେ ବସବାସ କରିବାର ଏକ ଆକାଂକ୍ଷା ବୈଜ୍ଞାନିକ ସମାଜକୁ ଆବୃତ କରି ରଖିଛି। କିନ୍ତୁ ଆମର ନିକଟତମ ଗ୍ରହ ମଙ୍ଗଳରେ ଏଯାଏ ମଣିଷ ପଦାର୍ପଣ କରିବା ସମ୍ଭବ ହୋଇନି। ତଥାପି ଏହା ଅଲଂଘନୀୟ ନୁହେଁ ବୋଲି ଅନେକ ଆଶାବାଦୀ ଅଛନ୍ତି। ଏହି କ୍ରମରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ମଙ୍ଗଳ ପୃଷ୍ଠରେ ମାନବ ଅବତରଣ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆବଶ୍ୟକ ତାଲିମ ପାଇଁ ମଙ୍ଗଳାଭିମୁଖୀ ଏକ ଆଭାସୀ ମହାକାଶଯାନ ଭିତରେ ଗତ ରବିବାର ଚାରି ଜଣ ବିଶେଷଜ୍ଞ ଭର୍ତ୍ତି ହୋଇଛନ୍ତି।
ମଙ୍ଗଳ ପୃଷ୍ଠର ସମ୍ଭାବ୍ୟ କଠିନ ପରିବେଶ ସଂପନ୍ନ ଏହି କ୍ୟାପ୍ସୁଲ୍ ଭିତରେ ସେମାନେ ଦୀର୍ଘ ୩୭୮ ଦିନ ଧରି ବିଭିନ୍ନ ଆହ୍ବାନ ସହ ନିଜକୁ ଖାପ ଖୁଆଇବା ସହିତ ନାନା ପରୀକ୍ଷା ନିରୀକ୍ଷା କରିବେ। ଏହି ଅବଧି ଭିତରେ ସେମାନେ କଦାପି ବାହାରକୁ ଆସିପାରିବେ ନାହିଁ। ଏହି ଚାରି ଜଣଙ୍କ ମଧ୍ୟରେ ଅଛନ୍ତି ବୈଜ୍ଞାନିକ କେଲି ହାଷ୍ଟନ, ଯନ୍ତ୍ରୀ ରସ୍ ବ୍ଲକ୍ୱେଲ୍, ଜରୁରୀକାଳୀନ ଭେଷଜ ବିଶେଷଜ୍ଞ ଡାକ୍ତର ନାଥନ୍ ଜୋନ୍ସ ଓ ଆମେରିକା ନୌସେନାର ଅଣୁଜୀବବିଜ୍ଞାନୀ ଆଙ୍କା ସେଲାରିଉ। ରୋଚକ ବିଷୟ ହେଲା ଏହି ଚାରିଜଣଙ୍କ ଭିତରୁ କେହି ବି ମହାକାଶଚାରୀ ନୁହନ୍ତି।