୪ଜଣ ସହପାଠୀ ଏକ ଟଙ୍କାରେ ଗରିବଙ୍କୁ ବାଣ୍ଟୁଛନ୍ତି ଡ୍ରେସ୍

ନୂଆଦିଲ୍ଲୀ: ସମାଜରେ ପରିବର୍ତ୍ତନ ଆସୁନି ବୋଲି ସମସ୍ତେ ଅଭିଯୋଗ କରୁଥିବାବେଳେ ହାତ ଗଣତି ଲୋକ ଏଥିପାଇଁ ପ୍ରକୃତ ଚେଷ୍ଟା କରନ୍ତି । କାରଣ ସେମାନେ ହୃଦବୋଧ କରିଥାନ୍ତି ଯେ ତାଙ୍କର ଗୋଟିଏ ମାତ୍ର ପଦକ୍ଷେପ ପରିବର୍ତ୍ତନର ଏକ ନୂତନ ଦିଗ ଉନ୍ମୋଚନ କରିବ ନିଶ୍ଚୟ । ଏହି ହାତ ଗଣତି ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଅଛନ୍ତି ବେଙ୍ଗାଳୁରୁର ୪ ବନ୍ଧୁ । ସ୍କୁଲରେ ପଢିବାବେଳଠୁ ଥିବା ରୁଚି ଏବେ ତାଙ୍କୁ ଦେଇଛି ଦେଶ ବ୍ୟାପୀ ପରିଚୟ ଓ ଅନେକ ଶୁଭେଚ୍ଛା ।

ବେଙ୍ଗାଳୁରୁର ୪ ସହପାଠୀ ବିନୋଦ ପ୍ରେମ, ମେଲିସା ନୋରୋନହା, ନୀତିନ କୁମାର ଓ ବିଗ୍ନେଶ । ଆଗରୁ ଲୋକଙ୍କ ଦୁଃଖ ତ ଦେଖିଥଲେ ଯାହା ଏବେ ଅନେକ ଗୁଣାରେ ବଢିଯାଇଛି । କରୋନା ଯୋଗୁଁ ହଜାର ହଜାର ଲୋକେ କାମ ହରାଇ ଅତି କଷ୍ଟରେ ଜୀବନ କାଟୁଛନ୍ତି । ଏମାନଙ୍କ ପାଇଁ ଦି ଓଳି ପେଟପୁରା ଖାଇବା କି ଭଲ ଦିଖଣ୍ଡ ପୋଷାକ ଯୋଗାଡ କରିବା କଷ୍ଟକର ହୋଇପଡୁଛି । ଲୋକଙ୍କ ଏହି ବିକଳ ବିଚଳିତ କରିଥିଲା ଏହି ୪ଜଣ ସହପାଠୀଙ୍କୁ । ଆଉ ଏକ ଆପାର୍ଟମେଣ୍ଟକୁ ଭଡା ନେଇ ସେଠି ଖୋଲିଛନ୍ତି ଡ୍ରେସ୍ ବ୍ୟାଙ୍କ । ଆଉ ମାତ୍ର ଟଙ୍କାଟିଏରେ ଗରିବଙ୍କୁ ବାଣ୍ଟୁଛନ୍ତି ଡ୍ରେସ୍ । ମାତ୍ର ୧ ଟଙ୍କାରେ ପୋଷାକ ଦେଇ ଗରିବଙ୍କ ମୁହଁରେ ହସ ଫୁଟାଇପାରିଛନ୍ତି ।

4 Friends Start Clothes Bank In Bangalore, Poor Can Buy Clothes For ₹1

ଗରିବଙ୍କ ପାଇଁ ବେଙ୍ଗାଳୁରୁ ଲବକୁଶ ଲେଆଉଟ୍ ଜୋକି ବେରେଟିନା ଆଗ୍ରାହାରା ଆପାର୍ଟମେଣ୍ଟରେ ‘ଇମାଜିନ୍’ ନାଁରେ କ୍ଲଥ ବ୍ୟାଙ୍କ ଖୋଲିଛନ୍ତି । ଏହା କେବଳ ରବିବାର ଖୋଲୁଛି । ଏଠାରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ , ପୁରୁଷ ଓ ମହିଳା ସମସ୍ତଙ୍କ ପାଇଁ ପୋଷାକ ମିଳୁଛି । ବିଭିନ୍ନ ପ୍ରକାର ଶାଢୀ, ସାର୍ଟ,ପ୍ୟାଣ୍ଟ, ଜ୍ୟାକେଟ ସବୁକିଛି ମିଳୁଛି ।

ଆପଣ ଭାବୁଥିବେ ଏଠାରେ ପୁରୁଣା ଡ୍ରେସ୍ ଥିବ । ହେଲେ ଏଥିରେ କେବଳ ପୁରୁଣା ନୁହେଁ ନୂଆଁ ଡ୍ରେସ୍ ମଧ୍ୟ ମିଳୁଛି । ଆଖପାଖର ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତି ଉଭୟ ପୁରୁଣା ଓ ନୂଆ ପୋଷାକ ଏହି ଗାର୍ମେଣ୍ଟ ବ୍ୟାଙ୍କକୁ ଦାନ କରିଥାନ୍ତି । ଯେଉଁ ଟଙ୍କାଟେ ଲେଖାଏଁ ଦେଇ ଲୋକେ ଡ୍ରେସ୍ କିଣୁଛନ୍ତି ତାକୁ ବି ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି ଏହି ୪ ବନ୍ଧୁ । ଏଠାରେ ଦୁଇ ଜଣ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଛି । ଏହି ଗାର୍ମେଣ୍ଟ ବ୍ୟାଙ୍କର ଖର୍ଚ୍ଚ ନିଜେ ଏହି ୪ ବନ୍ଧୁ ହିଁ ବହନ କରୁଛନ୍ତି । ଆଉ ପ୍ରତିବଦଳରେ ଗରିବଙ୍କ ମୁହଁରେ ଯେଉଁ ହସ ଫୁଟାଇପାରୁଛନ୍ତି ତାହା ହିଁ ତାଙ୍କର ସର୍ବଶ୍ରେଷ୍ଠ ପ୍ରାପ୍ୟ ବୋଲି କହନ୍ତି ୪ ବନ୍ଧୁ ।

4 College Friends Start Imagine Clothes Bank in Bengaluru Where Each Item Costs Just Rs 1

ତେବେ ଏହି ସହୃଦୟ ୪ ବନ୍ଧୁଙ୍କର ଏହି ସମାଜସେବାର ମୂଳଦୁଆ ସ୍କୁଲ ବେଳୁ ପଡିଥିଲା । ଆଲୋଇସିୟସ୍ ସ୍କୁଲରେ ପଢିବା ବେଳେ ଏମାନେ ସାଙ୍ଗ ପିଲାଙ୍କ ଠାରୁ ପୁରୁଣା ପୋଷାକ ଆଣି ବିଭିନ୍ନ ସ୍ଥାନରେ ଗରିବ ପିଲାଙ୍କୁ ବାଣ୍ଟୁଥିଲେ । ଏହି ରୁଚିକୁ ଜାରି ରଖିବାକୁ ଇଚ୍ଛା କରିଥିଲେ, ଯାହା ତାଙ୍କୁ ଅସୀମ ଶାନ୍ତି ଓ ଗରିବଙ୍କ ଅଶେଷ ଆଶୀର୍ବାଦର ଅଧିକାରୀ କରିପାରିଛି ।

ଆଜିକାର ସ୍ୱାର୍ଥ ସର୍ବସ୍ୱ ସମାଜରେ ବେଙ୍ଗାଳୁରୁର ଏହି ୪ ସହପାଠୀଙ୍କର ବଦାନ୍ୟତା ନିଃସର୍ତ୍ତ ଭଲପାଇବା ଓ ସେବାର ଏକ ଉତ୍କୃୃଷ୍ଟ ଉଦାହରଣ ।ଆମେ ବଦଳିଲେ ଦୁନିଆଁ ବଦଳିବ ବୋଲି ବାର୍ତ୍ତା ଦେଉଛନ୍ତି ଏହି ୪ ବନ୍ଧୁ।

ସମ୍ବନ୍ଧିତ ଖବର