ଏହି ୪ଟି କାରଣ ଯୋଗୁ ସୂର୍ଯ୍ୟୋଦୟ ପୂର୍ବରୁ ଫାଶୀ ଦଣ୍ଡ ଦିଆଯାଏ

ଆପଣ ହୁଏତ ଏକଥା ଜାଣିଥିବେ ଯେ କେବେ କୌଣସି ଦୋଷୀଙ୍କୁ ରାତ୍ରିରେ କିମ୍ବା ମଧ୍ୟାହ୍ନରେ ଫାଶୀ ଦଣ୍ଡ ଦିଆଯାଏ ନାହିଁ। ସବୁବେଳେ ଭୋର୍‌ ସମୟରୁ ଅର୍ଥାତ ସୂର୍ଯ୍ୟୋଦୟ ପୂର୍ବରୁ ହିଁ ଫାଶୀ ଦଣ୍ଡ ଦିଆ ଯାଇଥାଏ। ‘କ୍ୱାରା’ ସାଇଟ୍‌ରେ ଏ ନେଇ ଅନେକ ବ୍ୟବହାରକାରୀ ପ୍ରଶ୍ନ ପଚାରିଥିଲେ। ସେହି ପ୍ରଶ୍ନର ଭିନ୍ନ ଭିନ୍ନ ଉତ୍ତର ମଧ୍ୟ ଆସିଛି। ଏହା ପଛରେ ଆଇନଗତ, ପ୍ରଶାସନିକ, ନୈତିକ ଏବଂ ସାମାଜିକ କାରଣ ରହିଛି।

ଆଇନଗତ କାରଣ: ବ୍ରିଟିଶମାନଙ୍କ ଦ୍ୱାରା ପ୍ରସ୍ତୁତ କାରାଯାଇଥିବା ମଡେଲ୍‌ ପ୍ରିଜନ୍‌ ମାନୁଆଲ୍‌ ଏବେ ବି ପ୍ରଚଳିତ ଅଛି। ସେହି ମାନୁଆଲ୍‌ ଅନୁସାରେ ଋତୁ ଅନୁଯାୟୀ ଫାଶୀ ଦଣ୍ଡ ପାଇଁ ସରକାର ସମୟ ନିର୍ଦ୍ଧାରଣ କରିଥାନ୍ତି। ମାତ୍ର ତାହା ସୂର୍ଯ୍ୟୋଦୟ ପୂର୍ବରୁ ହୋଇଥାଏ।

ପ୍ରଶାସନିକ କାରଣ: ଫାଶୀ ଦଣ୍ଡ ଦେବା ପରେ ଗୁଡ଼ାଏ କାର୍ଯ୍ୟ କରିବାକୁ ପଡ଼େ। ଗୁଡ଼ାଏ କାଗଜପତ୍ର ପସ୍ତୁତ କରିବା ସହ ପରିବାର ଲୋକଙ୍କୁ ମୃତ ଦେହ ପ୍ରଦାନ କରାଯାଏ। ସେ ସବୁ କାମ ପାଇଁ ଅନେକ ସମୟ ଲାଗୁଥିବାରୁ ଖୁବ୍‌ ସକାଳୁ ଦଣ୍ଡ ଦିଆଗଲେ ଦିନ ଭିତରେ ସମସ୍ତ କାର୍ଯ୍ୟ ଶେଷ ହୋଇପାରେ।

ନୈତିକ କାରଣ: ଦିନ ଆଲୋକ ବ୍ୟକ୍ତି ମନରେ ନୂଆ ଆଶା ଭରେ। ଜଣେ ସୂର୍ଯ୍ୟୋଲୋକ ଦେଖିବା ପରେ ମୃତ୍ୟୁକୁ ଗ୍ରହଣ କରିବା କଷ୍ଟ ହୋଇଯାଏ। ସେ ସମୟରେ ଦୋଷୀ ମନରେ ଯେଉଁ ବ୍ୟଥା ଲାଗେ ତାହା ନୈତିକତା ନୁହେଁ।

ସାମାଜିକ କାରଣ: କୌଣସି ବି ବ୍ୟକ୍ତି ମୃତ୍ୟୁ ଦଣ୍ଡ ପାଇବା ଏକ ବଡ଼ ଖବର। ତାହା ସମାଜ ଉପରେ ଗଭୀର ପ୍ରଭାବ ପକାଏ। ଲୋକଙ୍କ ନିଦ ଭାଙ୍ଗିବା ଆଗରୁ ଏଥିପାଇଁ ଫାଶୀ ଦିଆଯାଇଥାଏ ଯେ ଯେପରି ସଦ୍ୟ ଖବର ଶୁଣିବା ଦ୍ୱାରା କେହି ଭାବପ୍ରବଣବଶଃତ କଷ୍ଟ ନପାଆନ୍ତି।

ସମ୍ବନ୍ଧିତ ଖବର