ଚୀନ୍ର ଜିଲିନ୍ ବିଶ୍ବବିଦ୍ୟାଳୟ ଓ ସନ୍ ୟାତ୍ସେନ୍ ବିଶ୍ବବିଦ୍ୟାଳୟର ଦଳେ ଗବେଷକ ବିଜ୍ଞାନାଗାରରେ ଏକ ସ୍ବତନ୍ତ୍ର ଧରଣର ହୀରା ବିକଶିତ କରିଛନ୍ତି ଯାହା ପ୍ରାକୃତିକ ହୀରା ଅପେକ୍ଷା ୪୦ ପ୍ରତିଶତ ଅଧିକ କଠିନ। ବିଭିନ୍ନ ପ୍ରକାର କଳକାରଖାନାରେ କୌଣସି ପଦାର୍ଥ କାଟିବା ଏବଂ ଘଷି ଚିକ୍କଣ କରିବା ପାଇଁ ହୀରାର ଉପଯୋଗ ଅଧିକ ରହିଥିବାରୁ ଚୀନୀ ବୈଜ୍ଞାନିକମାନଙ୍କ ଏହି ନୂତନ କଠିନତର ହୀରା ଅଧିକ ଉପଯୋଗୀ ହୋଇପାରିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ଅଧିକାଂଶ ପ୍ରାକୃତିକ ଓ ସିନ୍ଥେଟିକ୍ (କୃତ୍ରିମ) ହୀରାଖଣ୍ଡର ଗଠନ ଚତୁର୍କୋଣୀୟ ଘନାକାର ବା ଟେଟ୍ରାଗୋନାଲ୍ ହୋଇଥିବା ବେଳେ ଲୋନ୍ସଡାଲାଇଟ୍ ନାମକ କଠିନତର ହୀରା ଖଣ୍ଡଗୁଡ଼ିକ ହେଉଛନ୍ତି ଷଡ଼କୋଣୀୟ ଘନାକାର ବା ହେକ୍ସାଗୋନାଲ।
ବର୍ତ୍ତମାନ ସୁଦ୍ଧା ପ୍ରାକୃତିକ ଭାବେ ମିଳିଥିବା କଠିନତର ହୀରା ଖଣ୍ଡଗୁଡ଼ିକ ସାଧାରଣତଃ ଭୂପୃଷ୍ଠ ସହ କୌଣସି ମହାଜାଗତିକ ପିଣ୍ଡର ଧକ୍କା ସ୍ଥଳରୁ ଉଦ୍ଧାର କରାଯାଇଛି, ଫଳରେ ସେଗୁଡ଼ିକ ବିରଳ ଓ ଅତି କ୍ଷୁଦ୍ର। ସେଭଳି ଏକ କଠିନତର ହୀରାଖଣ୍ଡ ପ୍ରଥମ କରି ୧୯୬୭ ମସିହାରେ ଆରିଜୋନା ସ୍ଥିତ କାନିଅନ୍ ଡିଆବ୍ଲୋ ଗ୍ରହାଣୁପିଣ୍ଡରୁ ମିଳିଥିଲା। ତାହା ପରଠାରୁ ବୈଜ୍ଞାନିକମାନେ ବିଜ୍ଞାନାଗାରରେ ସେଭଳି ଏକ କଠିନତର ହୀରା ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଥିଲେ। ତେବେ ଏହି ଚୀନୀ ବୈଜ୍ଞାନିକମାନେ ଗ୍ରାଫାଇଟ୍ ଦ୍ବାରା ‘ପୋଷ୍ଟ-ଗ୍ରାଫାଇଟ୍ ଫେଜ୍’ ନାମକ ଏକ ଅବସ୍ଥା ରୂପାନ୍ତରିତ ହୋଇଥିବା ଠଉରାଇଥିଲେ। ତାହାକୁ ଅତ୍ୟଧିକ ଚାପରେ ଉତ୍ତପ୍ତ କରିବା ପରେ ଏହି କଠିନତର ହୀରାର ଉତ୍ପତ୍ତି ହୋଇଥିଲା। ସଂପୃକ୍ତ କୃତ୍ରିମ ହୀରାଖଣ୍ଡଟିର ତାପସ୍ଥିରତା ଅନ୍ୟ ଅଣୁ ହୀରାଖଣ୍ଡ (୧୦୦ ନାନୋମିଟରଠାରୁ ଛୋଟ) ତୁଳନାରେ ଯଥେଷ୍ଟ ଅଧିକ। ପୂର୍ବରୁ ୨୦୨୧ରେ ଆମେରିକୀୟ ଗବେଷକମାନେ ବିଜ୍ଞାନାଗାରରେ ପ୍ରଥମ କରି ସେଭଳି ହେକ୍ସାଗୋନାଲ ହୀରା ସୃଷ୍ଟି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/diamond-1-300x188.jpg)