ଗୋଟିଏ ମେସେଜରେ ଏକାଠି ହେଲେ ଦେଶ ଓ ବିଦେଶରେ ଥିବା ୪୪ଜଣ ସାଙ୍ଗ, ୧୫ଲକ୍ଷରୁ ଊର୍ଧ୍ୱ ଟଙ୍କାର କରଜରେ ବୁଡି ଥିବା ସାଙ୍ଗକୁ ଏପରି କଲେ ସାହାଯ୍ୟ

ଭୋପାଲ: ସୋସିଆଲ ମିଡିଆରେ ଦିନକୁ ଦିନ ନୂଆନୂଆ ଆପ୍ଲିକେସନ୍‌ ବାହାରୁଛି। ଲୋକମାନେ ବି ଏବେ ଅଧିକାଂଶ ସମୟ ଫୋନ୍‌ରେ ବିତାଉ ଥିବା ହେତୁ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଧୀରେଧୀରେ କମିବାରେ ଲାଗୁଥିବା କୁହାଯାଉଛି। କିନ୍ତୁ ଅନ୍ୟପକ୍ଷେ ବନ୍ଧୁର ବନ୍ଧୁତା ସୋସିଆଲ ମିଡିଆ ଜରିଆରେ ଅଧିକ ଗଭୀର ହୋଇଥିବାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ଘଟଣା ଏକ ଚର୍ଚ୍ଚିତ ଗୀତକୁ ମନେ ପକାଇ ଦେଉଛି, ‘ୟେ ଦୋସ୍ତି ହମ ନେହିଁ ଛୋଡେଙ୍ଗେ, ତୋଡେଙ୍ଗେ ହମ ମଗର ତେରା ସାଥ୍‌ ନା ଛୋଡେଙ୍ଗ।’

ଘଟଣାଟି ହେଉଛି ଏପରି, କୃଷ୍ଣା (ଛଦ୍ମନାମ) ବ୍ୟବସାୟରେ କ୍ଷତି ସହି ଆର୍ଥିକ ସଙ୍କଟକୁ ଚାଲିଥିଲେ। ଏଭଳି ପରିସ୍ଥିତିରେ କୃଷ୍ଣାଙ୍କ ଦେଶ ଓ ବିଦେଶରେ ରହିଥିବା ୪୪ଜଣ ସାଙ୍ଗ ତାଙ୍କୁ ସାହାଯ୍ୟର ହାତ ବଢ଼ାଇ କରଜମୁକ୍ତ କରିଥିଲେ।

ଏମିତି ଏକ ଘଟଣା  ଜୁନ୍‌ ୨୯ରେ ଭୋପାଲରେ ଘଟିଛି। ଆର୍ଥିକ ସଙ୍କଟରେ ଥିବା କୃଷ୍ଣା ଭୋପାଲରେ ବସବାସ କରନ୍ତି। ତାଙ୍କର ୪୪ଜଣ ସାଙ୍ଗ ଦେଶ ଓ ବିଦେଶରେ ରହୁଥିଲେ। ୪୪ଜଣ ସମସ୍ତ ସାଙ୍ଗ ୧୯୯୨ରେ ଇନ୍ଦୋରର ଏସ୍‌ଜିଏସ୍‌ ଆଇଟିଏସ୍‌ କଲେଜରେ ଏକାଠି ପଢ଼ୁଥିଲେ। କଲେଜର ୧୯୯୨ ବ୍ୟାଚରେ ୧୦୦ଜଣ ପିଲା ପାଠପଢ଼ୁ ଥିଲେ। ତାଙ୍କ ସହିତ ଭୋପାଲର କୃଷ୍ଣା ବି ପଢ଼ୁଥିବା ଜଣାପଡ଼ିଛି।

ଗତମାସରେ ଭୋପାଳର କୃଷ୍ଣା ତାଙ୍କର ଜଣେ ସାଥୀ ଅଶୋକ ଗୁପ୍ତାକୁ କଲ କରି ନିଜର ଏହି ଆର୍ଥିକ ସଙ୍କଟ ବିଷୟରେ ଜଣାଇଥିଲେ। ଭୋପାଲର ଟିଟି ନଗରସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ସେ ଏକ କୋଟିରୁ ଅଧିକ ବକେୟା ରାଶି ପୈଠ କରିବା ପାଇଁ ନିଜର ଫ୍ୟାକ୍ଟ୍ରି ବି ବିକ୍ରି କରି ଦେଇଥିଲେ। କୋଠା ବି ବ୍ୟାଙ୍କ ନିକଟରେ ବନ୍ଧା ପକାଇ ଥିଲେ। ଜୁନ୍‌ ୩୦ ଭିତରେ ବାକି ଥିବା ରାଶି ଜମା କରିବା ପାଇଁ କୃଷ୍ଣାକୁ ବ୍ୟାଙ୍କ ଚେତାବନୀ ବି ଦେଇ ଦେଇଥିଲା। ଯେମିତି ହେଲେ ବି ଜୁନ୍‌ ୩୦ ଭିତରେ କୃଷ୍ଣାଙ୍କୁ ୧୭ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବାର ଥିଲା।

ଅଷ୍ଟ୍ରେଲିଆରେ ଥିବା ସାଙ୍ଗ ଅଶୋକ କୃଷ୍ଣଙ୍କୁ କିପରି ସାହାଯ୍ୟ କରିହେବ ସେ ନେଇ ଚିନ୍ତା କରିଥିଲେ। ଜୁନ୍‌ ୨୬ରେ ସେ ଏକ ଗ୍ରୁପ୍‌ ବନାଇ ସାଥୀ ହୋଇ ପାଠପଢ଼ୁଥିବା ୪୪ଜଣ ସାଙ୍ଗଙ୍କୁ କୃଷ୍ଣାଙ୍କୁ ସାହାଯ୍ୟ କରିବା ପାଇଁ ଜଣାଇଥିଲେ। ଏହି ମେସେଜ ୪୪ଜଣ ସାଙ୍ଗଙ୍କ ପାଖରେ ପହଞ୍ଚିବା କ୍ଷଣି ଗୋଟିଏ ଦିନରେ ରାତି ୧୦.୩୦ ସୁଦ୍ଧା ୧୧ଲକ୍ଷ ଟଙ୍କା କୃଷ୍ଣାଙ୍କ ଆକାଉଣ୍ଟରେ ଜମା ହୋଇଯାଇଥିଲା। ବ୍ୟାଙ୍କର ୧୭ଲକ୍ଷ ଟଙ୍କାକୁ ଓ୍ଵାନ୍‌ ଟାଇମ୍‌ ସେଟେଲ୍‌ମେଟ ଜରିଆରେ ୧୧ଲକ୍ଷ ରାଶି ଜମା କରି କରଜ ଶୁଝି ଦେଇଥିଲେ କୃଷ୍ଣା।

ସମ୍ବନ୍ଧିତ ଖବର