ହରିଆଣା: ଗାଈ, ମଇଁଷିଙ୍କୁ ପୋଷା କରି ରଖି ଲୋକ ସେମାନଙ୍କ ଉପଯୁକ୍ତ ଯତ୍ନ ନେଇ ‌ଅନେକ ଟଙ୍କା ରୋଜଗାର କରୁଥିବା କଥା ଆପଣ ଜାଣନ୍ତି। ଦୁଗ୍ଧ, ଦହି, ଚେନା ଓ ଘିଆ ଆଦି ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଗୋପାଳକଙ୍କୁ ଆପଣ ଜାଣିଥିବେ। ଆମେ ଆଜି ହରିଆଣାର ଜଣେ ମଇଁଷି ରକ୍ଷକଙ୍କ ବିଷୟରେ କହିବାକୁ ଯାଉଛୁ। ସେ ତାଙ୍କ ମଇଁଷି ପାଇଁ ‌ଏବେ ଚାରିଆଡ଼େ ଜଣାଶୁଣା।

Advertisment

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମେ ଯେଉଁ ମଇଁଷି ବିଷୟରେ ଆଲୋଚନା କରୁଛେ ସେ ଦିନକୁ ୪୦ କିଲୋ ଗାଜର ଖାଇଥାଏ। ଖାଲି ସେତିକି ନୁହେଁ, ଏହି ମଇଁଷିଟି ଅନେକଗୁଡ଼ିଏ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବି ବିଜୟୀ ହୋଇସାରିଛି।

ହରିଆଣାର ଭିବାନୀ ଜୁଇ ଗ୍ରାମର ଜଣେ ବ୍ୟକ୍ତିଙ୍କ ନିକଟରେ ଧର୍ମା ନାମରେ ଏକ ମଇଁଷି ଅଛି। ଧର୍ମାକୁ ପୋଷିଛନ୍ତି ସଞ୍ଜୟ। ୩ ବର୍ଷ ହେଲା ଧର୍ମା ସଞ୍ଜୟଙ୍କ ନିକଟରେ ଅଛି। ସଞ୍ଜୟ ତାଙ୍କ ମଇଁଷିକୁ ନିଜ ଛୁଆ ‌ଭଳି ପାଳିଛନ୍ତି। ସଞ୍ଜୟଙ୍କ କହିବା ମୁତାବକ, ଧର୍ମାକୁ ଲୋକେ ୪୬ ଲକ୍ଷ ଟଙ୍କା ଦେଇ ନେବକୁ ବି ରାଜି। ହେଲେ ସେ ୬୧ ଲକ୍ଷ ଟଙ୍କା ନଦେଲେ ନିଜ ମଇଁଷିକୁ ବିକିବେ ନାହିଁ।

ଧର୍ମା ଜନ୍ମ ହେବା ପରଠାରୁ ସଞ୍ଜୟ ତା’ର ଖୁବ୍‌ ଧ୍ୟାନ ରଖୁଛନ୍ତି। ତାକୁ ସବୁବେଳେ ସବୁଜ ପରିବା ଖୁଆଉଥିବା ବେଳେ ଗାଜର ହେଉଛି ତା’ର ମୁଖ୍ୟ ଖାଦ୍ୟ। ତେବେ ଧର୍ମା ପଞ୍ଜାବ ଓ ୟୁପିରେ ହୋଇଥିବା ଅନେକ ‌‌ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ଜିତିବା ପରେ ନିଜ ସୌନ୍ଦର୍ଯ୍ୟର ପ୍ରମାଣ ଦେଇ ସାରିଛନ୍ତି।