ଏହି ସବୁ କାରଣ ପାଇଁ ଆମ ଦେଶରେ ୪୬୯ଟି ପ୍ରଜାତିର ଗଛ ବିଲୁପ୍ତ ହୋଇପାରେ !

ନୂଆଦିଲ୍ଲୀ: ଭାରତରେ ଥିବା ବୃକ୍ଷଲତାର ପାଖାପାଖି ୧୮ ପ୍ରତିଶତ ଅର୍ଥାତ ୪୬୯ଟି ପ୍ରଜାତି ବିଲୁପ୍ତ ହେବାର ଆଶଙ୍କା ରହିଛି। ଏହି ସୂଚନା ନିକଟରେ ବଟାନିକ୍ ଗାର୍ଡେନସ କନଜର୍ଭେସନ୍ ଇଣ୍ଟରନ୍ୟାସନାଲ୍ (ବିଜିସିଆଇ) ଦ୍ବାରା ପ୍ରକାଶିତ  ରିପୋର୍ଟ ‘ଷ୍ଟେଟ ଅଫ ଦ ୱାଲର୍ଡସ ଟ୍ରିଜ’ରୁ ମିଳିଛି। ରିପୋର୍ଟ ଅନୁଯାୟୀ, ଦେଶରେ ୨,୬୦୩ଟି ପ୍ରଜାତିର ଗଛ ଅଛି ଏବଂ ଏହାର ୧୮ ପ୍ରତିଶତ ଅର୍ଥାତ ୪୬୯ ପ୍ରଜାତିର ଗଛ ବିଲୁପ୍ତ ହୋଇଯିବା ସ୍ଥିତି ଉତ୍ପନ୍ନ ହୋଇଛି । କେବଳ ଏତିକି ନୁହେଁ, ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଭାରତରେ ଏପରି ୬୫୦ ପ୍ରଜାତିର ଗଛ ଦେଖିବାକୁ ମିଳେ, ଯାହାକି ପୃଥିବୀର ଅନ୍ୟ କୌଣସି ସ୍ଥାନରେ ନାହିଁ।

‘ଷ୍ଟେଟ ଅଫ ଦ ୱାଲର୍ଡସ ଟ୍ରିଜ’ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ପ୍ରାୟ ୫୮,୪୯୭ ପ୍ରଜାତିର ଗଛ ଅଛି । ସେଥିମଧ୍ୟରୁ କେବଳ ୪୧.୫% (୨୪,୨୫୫) ପ୍ରଜାତିର ଗଛ ସୁରକ୍ଷିତ । ଏଥିସହିତ, ପ୍ରାୟ ୨୯.୯ ପ୍ରତିଶତ (୧୫,୫୧୯) ପ୍ରଜାତିର ବୃକ୍ଷ ବିଲୁପ୍ତ ହେବାର ଆଶଙ୍କା ଥିବାବେଳେ ୭.୧ ପ୍ରତିଶତ (୪,୦୯୯) ଗଛ ଉପରେ ବିପଦ ରହିଥିବା ଆକଳନ କରାଯାଉଛି। ତେବେ ପ୍ରାୟ ୨୧.୬ ପ୍ରତିଶତ (୧୨,୪୯୦) ପ୍ରଜାତିର ଗଛ ସମ୍ପର୍କରେ ଏଯାବତ ସଂପୂର୍ଣ୍ଣ ସୂଚନା ଉପଲବ୍ଧ ନାହିଁ । ଅନୁମାନ କରାଯାଉଛି, ପାଖାପାଖି ୧୪୨ଟି ପ୍ରଜାତିର ଗଛ ଜଙ୍ଗଲରୁ ବିଲୁପ୍ତ ହୋଇଯାଇଛି।

ବିଶ୍ବ ଦୃଶ୍ୟପଟ୍ଟକୁ ଯଦି ଦେଖିବା ତେବେ ମଧ୍ୟ ଓ ଦକ୍ଷିଣ ଆମେରିକାରେ ବୃକ୍ଷର ସର୍ବାଧିକ ୨୩,୬୩୧ଟି ପ୍ରଜାତି ରହିଛି। ଏହାପରେ ଦକ୍ଷିଣ ପୂର୍ବ ଏସିଆରେ ୧୩,୭୩୯ ଏବଂ ଆଫ୍ରିକାର ଉଷ୍ଣ ଜଳବାୟୁ  ଅଞ୍ଚଳରେ ୯,୨୩୭ ପ୍ରଜାତିର ଗଛ ଦେଖିବାକୁ ମିଳିଥାଏ।

‘ମାଡାଗାସ୍କର’ରେ  ସର୍ବାଧିକ ୧,୮୪୨ ପ୍ରଜାତିର ଗଛ ବିପଦରେ…

ତେ‌ବେ ବିଲୁପ୍ତି ଦ୍ବାରଦେଶରେ ଥିବା ଗଛଗୁଡ଼ିକ ବିଷୟରେ କହିବାକୁ ଗଲେ ପ୍ରଥମେ ଚର୍ଚ୍ଚାକୁ ଆସେ ଭାରତ ମହାସାଗରରେ ଥିବା ସର୍ବବୃହତ ଲୋହିତ ଦ୍ବୀପ ମାଡାଗସ୍କର୍।   ଏଠାରେ ୧,୮୪୨ (୫୯ପ୍ରତିଶତ) ପ୍ରଜାତିର ଗଛ ବିପଦରେ ଅଛି। ଏଥିସହିତ, ମରିସସରେ ପ୍ରାୟ ୫୭ ପ୍ରତିଶତ (୧୫୪) ପ୍ରଜାତିର ଗଛ ବି ବିପଦରେ । କେବଳ ଏତିକି ନୁହେଁ,  ବ୍ରାଜିଲରେ ୧,୭୮୮ ପ୍ରଜାତିର ଗଛ, ଇଣ୍ଡୋନେସିଆରେ ୧,୩୦୬ ପ୍ରଜାତି, ମାଲେସିଆରେ ୧୨୯୫ ପ୍ରଜାତି, ମେକ୍ସିକୋରେ ୧୦୯୭, ଚାଇନାରେ ୮୯୦, ପେରୁରେ ୭୮୬ ଏବଂ ଭେନେଜୁଏଲାରେ ୬୧୪ ପ୍ରଜାତିର ଗଛ ବିପଦରେ ରହିଛି ଓ ଏହାର ବିଲୁପ୍ତି ଆଶଙ୍କା ସର୍ବାଧିକ।

ଯଦି ଆମେ ଗଛଗୁଡ଼ିକ ଉପରେ ଆସୁଥିବା ବିପଦର କାରଣ ସଂପର୍କରେ ଆଲୋଚନା କରିବା, ତା’ହେଲେ ପ୍ରଥମେ ସାମ୍ନାକୁ ଆସିବ ଜଙ୍ଗଲ କାଟିବା। ଜଙ୍ଗଲକୁ କୃଷି, ଖଣି ଖନନ, କାଠର ଅ‌ାବଶ୍ୟକତା, ସହରୀକରଣ ଲାଗି କଟା ଯାଇଥାଏ| ଏହା ବାଦ ଆକ୍ରମଣକାରୀ କୀଟ ଏବଂ ରୋଗ ହେତୁ ଅନେକ ପ୍ରଜାତିର ଗଛ ମଧ୍ୟ ଧଂସ ପାଇବାରେ ଲାଗୁଛି | ଏଥିପାଇଁ କିଛି ମାତ୍ରାରେ ଜଳବାୟୁ ପରିବର୍ତ୍ତନ ମଧ୍ୟ ଦାୟୀ।

ଯଦି ଆମେ ଗତ ୩୦୦ ବର୍ଷର ଇତିହାସକୁ ଦେଖିବା, ତେବେ ବିଶ୍ୱରେ ଜଙ୍ଗଲର ୪୦ ପ୍ରତିଶତ ହ୍ରାସ ଘଟିଛି। ଏଥି ସହିତ ୨୯ଟି ଦେଶରେ ଜଙ୍ଗଲର ମୋଟ କ୍ଷେତ୍ରଫଳ ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଛି। ଜମି ଉପଯୋଗରେ ପରିବର୍ତ୍ତନ ଏବଂ କୃଷି ମୁଖ୍ୟତଃ ଏଥିପାଇଁ ଦାୟୀ |  ଦ୍ୱିତୀୟ ପ୍ରମୁଖ ବିପଦ ହେଉଛି ଗଛ ଉପରେ ପ୍ରତ୍ୟକ୍ଷ ଭାବେ କରାଯାଉଥିବା ଶୋଷଣ, ଯେଉଁଥିରେ କାଠ ପାଇଁ ଗଛ କାଟିବା ଅନ୍ତର୍ଭୁକ୍ତ।  ଅନୁମାନ କରାଯାଉଛି ଯେ ଏହି କାରଣରୁ ୭୪୦୦ ପ୍ରଜାତି ଗଛ ବିପଦରେ ପଡ଼ିଛି। ଜଳବାୟୁ ପରିବର୍ତ୍ତନ ମଧ୍ୟ ସମଗ୍ର ବିଶ୍ୱରେ ବୃକ୍ଷକୁ ପ୍ରଭାବିତ କରୁଛି|

                              ଗଛ କମିଲେ ମଣିଷ ଲାଗି ବିପଦ 

ବୃକ୍ଷ ପରିବେଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା କେବଳ ଖାଦ୍ୟ, ଅତ୍ୟାବଶ୍ୟକ ଦ୍ରବ୍ୟ ଏବଂ ଉତ୍ସ ଯୋଗାଇ ଥାଏ ତାହା ନୁହେଁ, ଗଛ ଆମ ପାଇଁ ଜୀବନ ପ୍ରଦାନକାରୀ ନିର୍ମଳ ଅମ୍ଲଜାନ ମଧ୍ୟ ଦେଇଥାଏ। ଆଜି ବି, ଏହି ଗଛଗୁଡ଼ିକ ନିର୍ଗତ ହେଉଥିବା ଗ୍ରୀନ୍ ହାଉସ୍ ଗ୍ୟାସର ଏକ ବଡ଼ ଅଂଶକୁ ଅବଶୋଷିତ କରେ । କେବଳ ଏତିକି ନୁହେଁ, ସାଂସ୍କୃତିକ ଏବଂ ଆର୍ଥିକ ଦୃଷ୍ଟିରୁ ଗଛଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରାୟ ୧୦ ପ୍ରତିଶତ (୬,୦୦୦ ପ୍ରଜାତି) ଗଛ ଔଷଧ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ । ଏପରି ପରିସ୍ଥିତିରେ ଆପଣ କଳ୍ପନା କରିପାରୁଥିବେ ଗଛ ପ୍ରଜାତିଗୁଡ଼ିକୁ ବଞ୍ଚାଇ ରଖିବା କେତେ ଆବଶ୍ୟକ।

ଏଭଳି ପରିସ୍ଥିତିରେ ବିଲୁପ୍ତପ୍ରାୟ ପ୍ରଜାତିର ଗଛଗୁଡିକୁ ବଞ୍ଚାଇବା ପାଇଁ ସଂରକ୍ଷିତ ଅଞ୍ଚଳର ସମ୍ପ୍ରସାରଣ ପାଇଁ ବିଜିସିଆଇ ସୁପାରିଶ କରିଛି। ବିଲୁପ୍ତପ୍ରାୟ ପ୍ରଜାତି ଗଛଗୁଡ଼ିକୁ ବଞ୍ଚାଇବା ସହିତ ଏଥିପାଇଁ ବିଶ୍ବସ୍ତରୀୟ ସହଯୋଗ, ସଂରକ୍ଷଣ ପ୍ରୟାସ ପାଇଁ ଅର୍ଥ ବ୍ୟବସ୍ଥା କରିବା | ଉଦ୍ଭିଦ ବଗିଚା ଏବଂ ବିହନ ବ୍ୟାଙ୍କ ଜରିଆରେ ଏହି ବିପଦପୂର୍ଣ୍ଣ ପ୍ରଜାତିଗୁଡିକୁ ସଂରକ୍ଷଣ କରିବା ପାଇଁ ପ୍ରୟାସ କରାଯାଉଛି, ଯାହା ଦ୍ବାରା ସେଗୁଡିକ ବଞ୍ଚାଇ ରଖାଯାଇପାରିବ।

(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)

ସମ୍ବନ୍ଧିତ ଖବର