ଆୟୁର୍ବେଦ ଏକ ପ୍ରାଚୀନ ଭାରତୀୟ ଚିକିତ୍ସା ପ୍ରଣାଳୀ। ଆୟୁର୍ବେଦ ଅନୁଯାୟୀ, କିଛି ଖାଦ୍ୟ ଏକାଠି ଖାଇବା ଉଚିତ୍ ନୁହେଁ କାରଣ ଏହା ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ସହ ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ। ଦୀର୍ଘ ସମୟ ଧରି ଏପରି ଖାଦ୍ୟ ଅଭ୍ୟାସ ରହିଲେ ଶରୀରରେ ଅସନ୍ତୁଳନ ଏବଂ ରୋଗ ମଧ୍ୟ ସୃଷ୍ଟି କରିପାରେ। 

Advertisment

 ଆଜିକାଲି ସ୍ମୁଦି ବହୁତ ‌ଲୋକପ୍ରିୟ। ସେଥିରେ ଫଳ, କ୍ଷୀର କିମ୍ବା ଦହିର ମିଶ୍ରଣ ରହିଥାଏ। ଆୟୁର୍ବେଦ କ୍ଷୀର ଓ ଫଳ ମିଶ୍ରଣ ବିରୁଦ୍ଧରେ ସତର୍କ କରାଇଥାଏ।
କ୍ଷୀର ଥଣ୍ଡା ଓ ଭାରୀ ହୋଇଥିବା ବେଳେ ଫଳ ମିଠା ଓ ଟିକେ ଖଟା ହୋଇଥିବା ବେଳେ ସେଥିରେ ଏସିଡିକ୍‌ ଅଂଶ ରହିଥାଏ। ଫଳରେ ଏହି ମିଶ୍ରଣ ଆପଣଙ୍କ ପାଚନ ପ୍ରକ୍ରିୟାକୁ ଧୀର କରିବା ସହ ଗ୍ୟାସ୍‌ ଓ ବଦହଜମି ଭଳି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ।ଏହି ମିଶ୍ରଣ ଚର୍ମ ସମସ୍ୟା ଓ ଶ୍ୱାସକ୍ରିୟା ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। 
 କ୍ଷୀର, ଦହି ସହିତ ଚିକେନ୍ କିମ୍ବା ମାଛ
କ୍ଷୀର, ଦହି, କୁକୁଡ଼ା ଓ ମାଛ ସମସ୍ତଙ୍କୁ ପୁଷ୍ଟିକର ଖାଦ୍ୟ ଭାବରେ ବିବେଚନା କରାଯାଏ। କିନ୍ତୁ ଏଗୁଡ଼ିକୁ ଏକାଠି ଖାଇବା ଉଚିତ ନୁହେଁ। କାରଣ କ୍ଷୀର ପ୍ରକୃତିରେ ଥଣ୍ଡା ହୋଇଥାଏ, ହେଲେ କୁକୁଡ଼ା ଓ ମାଛ ଗରମ ହୋଇଥାଏ। ତେଣୁ ଏକାଠି ଖାଇଲେ ଏହି ମିଶ୍ରଣ ପାଚନ ପ୍ରକ୍ରିୟାରେ ବାଧା ଦେଇପାରେ ଏବଂ ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ। ଆୟୁର୍ବେଦ ଅନୁସାରେ ଏହି ମିଶ୍ରଣ ସମୟ ସହିତ ଏକ୍‌ଜିମା କିମ୍ବା ସୋରିଆସିସ୍‌ ଭଳି ଚର୍ମରୋଗ ସୃଷ୍ଟି କରିପାରେ। ତେଣୁ ଏଗୁଡ଼ିକୁ ଏକାଠି ଖାଇବାରୁ ଦୂରେଇ ରହନ୍ତୁ।
 ଗରମ ପାଣି କିମ୍ବା ଗରମ କ୍ଷୀର ସହିତ ମହୁ
ଯଦିଓ ମହୁ, ଗରମ ପାଣି କିମ୍ବା କ୍ଷୀର ଅଲଗା ଭାବରେ ସେବନ କଲେ ଭଲ। କିନ୍ତୁ ଆୟୁର୍ବେଦରେ ଗରମ ପାଣି କିମ୍ବା ଗରମ କ୍ଷୀର ସହିତ ମହୁ ମିଶାଇ ପିଇବା ସମ୍ପୂର୍ଣ୍ଣ ମନା ଅଛି। କାରଣ ଆୟୁର୍ବେଦ ଅନୁସାରେ ମହୁକୁ ରନ୍ଧାଗଲେ କିମ୍ବା ଏହାର ତାପମାତ୍ରା ବୃଦ୍ଧି କଲେ ଏହା ବିଷରେ ପରିଣତ ହୁଏ ବୋଲି ବିଶ୍ୱାସ କରାଯାଏ।
 ଫଳ କିମ୍ବା କ୍ଷୀର ସହିତ ଅଣ୍ଡା 
ତରଭୁଜ, କଦଳୀ, କ୍ଷୀର, ପନିର କିମ୍ବା ଦହି ସହିତ ଅଣ୍ଡା ମିଶାଇ ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ମନ୍ଥର ହୋଇଯାଏ ଏବଂ ଗ୍ୟାସ୍ ସୃଷ୍ଟି ହୁଏ।