ଶିମ୍‌ଲା କି ଗୋଆ ନୁହେଁ, ଏହି ୫ଟି ସ୍ଥାନରେ ବି ରଙ୍ଗିନ୍‌ ହେବ ଆପଣଙ୍କ ହନିମୁନ୍‌

ସାଧାରଣତଃ ହନିମୁନ୍‌ ପାଇଁ ନବବିବାହିତମାନେ ବହୁତ ଉତ୍ସାହିତ ରହିଥା’ନ୍ତି ଏବଂ କେଉଁ ସ୍ଥାନକୁ ଯିବେ ବୋଲି ଚିନ୍ତାରେ ପଡ଼ିଯା’ନ୍ତି। ଏମିତି ତ ଭାରତରେ ବହୁତଗୁଡ଼ିଏ ସ୍ଥାନ ରହିଛି, ଯାହା ବିଷୟରେ କି ଲୋକମାନଙ୍କୁ ଆଦୌ ହେଲେ ବି ଜଣା ହିଁ ନଥାଏ। ଯେଉଁଥିପାଇଁ ଲୋକେ ହନିମୁନ୍‌ ଲାଗି ଶିମ୍‌ଲା, କାଶ୍ମୀର୍‌ ବା ଗୋଆ ଯାଇଥା’ନ୍ତି। ହେଲେ ଆଜି ଆମେ ଏଭଳି ୫ଟି ସ୍ଥାନ ବିଷୟରେ ଜଣାଇବୁ,ଯେଉଁଠାକୁ ଆପଣ ଆପଣଙ୍କ ସାଥୀଙ୍କ ସହିତ ହନିମୁନ୍‌ ଯାଇ ଖୁସି ଅନୁଭବ କରିପାରିବେ! ଚାଲନ୍ତୁ ଜାଣିବା ଏହି ସ୍ଥାନଗୁଡ଼ିକ ବିଷୟରେ….।

୧-କର୍ଣ୍ଣାଟକର କୁର୍ଗ : ଆପଣ ଯଦି ପ୍ରକୃତିର ମନୋରମ ଶୋଭାକୁ ଉପଭୋଗ କରିବାକୁ ଚାହୁଁଛନ୍ତି,ତେବେ ଆପଣ ଆପଣଙ୍କ ସାଥିକୁ ନେଇ କର୍ଣ୍ଣାଟକର କୁର୍ଗକୁ ଯାଆନ୍ତୁ। କାହିଁକିନା ଏହା ହେଉଛି ଏକ ପର୍ବତୀୟ ସ୍ଥଳ। ପାହାଡ଼ ଏବଂ ସବୁଜିମା ଘେରି ରହିଛି କୁର୍ଗକୁ। ଏଥିସହିତ ଏଠାରେ ଥିବା ଘଞ୍ଚ ଜଙ୍ଗଲ,ଚା ଏବଂ କଫି ବଗିଚା ଭିନ୍ନ ଅନୁଭବ ଦେବ। ପ୍ରକୃତି କୋଳରେ ନବ ଦମ୍ପତ୍ତି ପରସ୍ପର ସହ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବାର ଢେର ସୁଯୋଗ ଏଠାରେ ରହିଛି।

୨-ଉତ୍ତରାଖଣ୍ଡର ଔଲି: ଯଦି ଆପଣ ଚାହୁଁଛନ୍ତି କି ଭାରତରେ ରହିି ସ୍ୱିଇଜର୍‌ଲ୍ୟାଣ୍ଡ୍‌ର ମଜା ନେବେ,ତେବେ ଉତ୍ତରାଖଣ୍ଡର ଔଲି ଆପଣଙ୍କର ଏହି ଇଚ୍ଛାକୁ ପୂରଣ କରିବ। କାହିଁକିନା ଏହି ସ୍ଥାନରେ ଶୀତ କାଳରେ ଆପଣଙ୍କୁ ଚତୁର୍ଦ୍ଦିଗରେ ବରଫର ପାହାଡ଼ ନଜର ଆସିବ।ଏତଦ୍‌ବ୍ୟତୀତ ଏଠାକାର ସୂର୍ଯୋଦୟ ଓ ସୂର୍ଯ୍ୟସ୍ତ ଅତ୍ୟନ୍ତ ମନୋହର।

୩- କେରଳର କୋଚି ଓ ଲାକ୍ଷାଦ୍ୱୀପ : ଆପଣ ଏକ ଭିନ୍ନ ଅନୁଭୂତି ଲାଗି ଯାଆନ୍ତୁ କୋଚି। ସେଠାରୁ ହାରାହାରି ୪ଶହ କିଲୋମିଟର ଦୂରରେ ଅବସ୍ଥିତ ଲାକ୍ଷାଦ୍ୱୀପର ଏକ ଛୋଟ ଟାପୁକୁ ନିଜ ସାଥିଙ୍କୁ ନେଇ ହନିମୁନ୍‌ରେ ଯାଆନ୍ତୁ। ଏକାନ୍ତରେ ସାଥୀଙ୍କ ସହ ସମୟ ବିତାଇବା ଲାଗି ଏହି ସ୍ଥାନଟି ଆପଣଙ୍କ ପାଇଁ ସଠିକ୍‌ ରହିବ। ଏଠାକାର ବେଳାଭୂମିରେ ଥିବା ନଡ଼ିଆ ଗଛ ଏବଂ ନୀଳ ସମୁଦ୍ର ଭିତରେ ରହିଥିବା ଜୀବଜନ୍ତୁ ମଧ୍ୟ ଆପଣଙ୍କ ମନ କିଣିନେବ।

୪-ମେଘାଳୟର ଶିଲଂ : ଯଦି ଆପଣ ହନିମୁନ୍‌ ଯିବାକୁ ଚିନ୍ତା କରୁଛନ୍ତି ଓ ସ୍ଥାନ ନିର୍ଦ୍ଦିଷ୍ଟ କରିପାରୁନାହାଁନ୍ତି,ତେବେ ଆପଣ ମେଘାଳୟର ରାଜଧାନୀ ଶିଲଂ ଯାଆନ୍ତୁ। କାହିଁକିନା ଏଠାରେ ମନୋରମ ପ୍ରାକୃତିକ ଶୋଭା ସହିତ ରହିଛି ଦୁଃସାହସୀକ କ୍ରୀଡ଼ା ଓ ମାଛଧରା ଭଳି ସମୟ କାଟିବାର ସାଧନ। ତେଣିକି ଶିଲଂ ଏକ ଛୋଟିଆ ସହର ହେଉ ପଛକେ,ଏଠାକାର ପାର୍ଶ୍ୱବର୍ତ୍ତୀ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଯଥେଷ୍ଟ।

୫- ରାଜସ୍ଥାନର ଜୈସଲମେର୍‌ : ହନିମୁନ୍‌ ଲାଗି ରାଜସ୍ତାନର ଜୈସଲମେର୍‌ ମଧ୍ୟ ଏକ ଆକର୍ଷଣୀୟ ସ୍ଥାନ। ଆପଣଙ୍କୁ ଯଦି ରାଜସ୍ଥାନୀ ଜୀବନଶୈଳୀ ଓ ସଂସ୍କୃତି ପସନ୍ଦ ଆସୁଅଛି ତ,ତେବେ ଆପଣ ଜୈସଲମେରକୁ ନିଶ୍ଚୟ ହିଁ ସାଥୀଙ୍କ ସହିତ ବୁଲିଯାଆନ୍ତୁ। ରାଜସ୍ତାନର ପ୍ରାଚୀନ ଦୁର୍ଗ ଓ ରାଜମହଲ ଆପଣଙ୍କୁ ପ୍ରଲୁବ୍ଧ କରିବ। ସେଠାରେ ଅନେକ ରାଜମହଲକୁ ହୋଟେଲରେ ପରିବର୍ତ୍ତିତ କରାଯାଇଛି, ଯେଉଁଠି ଆପଣ ରାତ୍ରୀଯାପନ କରିପାରିବେ।

ସମ୍ବନ୍ଧିତ ଖବର