ଗୁଜରାଟରୁ ଆରମ୍ଭ ହୋଇଥିବା ଗରବା ନୃତ୍ୟ ସାରା ବିଶ୍ବରେ ଲୋକପ୍ରିୟ ହୋଇଗଲାଣି । ଦିନକୁ ଦିନ ଗରବା ଓ ଦାଣ୍ଡିଆ ନୃତ୍ୟ ଦୁଇଟିର ଲୋକପ୍ରିୟତା ବି ବୃଦ୍ଧି ପାଇବାରେ ଲାଗିଛି। ବିଦେଶରେ ରହୁଥିବା ଭାରତୀୟମାନେ ବି ନବରାତ୍ରି ସମୟରେ ଗରବା କରିବା ସହ ଦାଣ୍ଡିଆ ଖେଳୁଥିବାର ଦେଖିବାକୁ ମିଳୁଛି ।
ତେବେ ଆସନ୍ତୁ ଜାଣିବା ଗରବା ଓ ଦାଣ୍ଡିଆ ସହିତ ଜଡ଼ିତ କିଛି ଜଣା ଓ ଅଜଣା କଥା...
ଗରବା କେବଳ ଏକ ନୃତ୍ୟ ନୁହେଁ ଏହା ଦେବୀ ଶକ୍ତିର ପୂଜା ଏବଂ ଜୀବନଚକ୍ରର ପ୍ରତୀକ ଅଟେ। ଏହା ଦେବୀ ଦୁର୍ଗାଙ୍କୁ ସମର୍ପିତ । ପାରମ୍ପରିକ ଭାବରେ ଗରବା ଏକ ମାଟି ଦୀପ ଯାହାକୁ ଗରବା ଦୀପ ବୋଲି ବି କୁହାଯାଏ। ଏହି ଦୀପ ଚାରିପାଖରେ ଏକ ବୃତ୍ତ ଅଙ୍କା ଯାଇଥାଏ। ଯାହା ଦେବୀଙ୍କ ଗର୍ଭ ଏବଂ ଶକ୍ତିକୁ ପ୍ରତିନିଧିତ୍ୱ କରେ।
ତେବେ ନବରାତ୍ରି ସମୟରେ ଗରବା ସହିତ ଦାଣ୍ଡିଆ ନାଚର ବି ଖୁବ ଲୋକପ୍ରିୟ ରହିଛି। ପ୍ରାୟତଃ ଲୋକେ ଗରବା ଓ ଦାଣ୍ଡିଆ ଦୁଇଟିକୁ ସମାନ ନୃତ୍ୟ ବୋଲି ଭାବି ଥାଆନ୍ତି। କିନ୍ତୁ ଦୁଇଟି ନୃତ୍ୟ ସମ୍ପୂର୍ଣ୍ଣ ଭାବେ ଭିନ୍ନ। ଦାଣ୍ଡିଆ ନାଚରେ ବାଡ଼ି ବ୍ୟବହାର କରାଯାଇଥାଏ। ଯାହାକି ଦୁର୍ଗା ଏବଂ ମହିଷାସୁର ମଧ୍ୟରେ ଯୁଦ୍ଧକୁ ପ୍ରତୀକ କରେ। ଗରବାର ଅର୍ଥ "ଗର୍ଭ" ଯାହା ନାରୀତ୍ୱ ଏବଂ ପ୍ରଜନନଶକ୍ତିକୁ ପ୍ରତିନିଧିତ୍ୱ କରେ।
ଏହା କେବଳ ଏକ ନବରାତ୍ରି ନୃତ୍ୟ ନୁହେଁ। ନବରାତ୍ରି ସମୟରେ ଗରବା ସର୍ବାଧିକ ଲୋକପ୍ରିୟ ହେଲେ ମଧ୍ୟ ଏହା ବିବାହ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଦର୍ଶିତ ହୋଇଥାଏ।
ଗରବା ନୃତ୍ୟ ଦେବୀ ଦୁର୍ଗାଙ୍କୁ ପୂଜା ଏବଂ ସମ୍ମାନ କରିବା ପାଇଁ ଏକ ଉପାୟ ଭାବରେ ଆରମ୍ଭ ହୋଇଥିଲା। ତେଣୁ ଉଭୟ ପୁରୁଷ ଏବଂ ମହିଳାମାନେ ପାରମ୍ପରିକ ପୋଷାକ ପିନ୍ଧି ଦେବୀଙ୍କ ଦରବାରରେ ନୃତ୍ୟ କରିଥାଆନ୍ତି। ଏହି ନୃତ୍ୟ ଶ୍ରଦ୍ଧାଳୁଙ୍କ ମନରେ ଦେବୀ ଦୁର୍ଗାଙ୍କ ପ୍ରତି ଭକ୍ତି ଏବଂ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରି ଅତୁଟ ବିଶ୍ୱାସ ସୃଷ୍ଟି କରିଥାଏ।
ଏହି ନୃତ୍ୟରେ ବ୍ୟବହୃତ ବୃତ୍ତାକାର ଗତି ଜୀବନ ଏବଂ ବ୍ରହ୍ମାଣ୍ଡର ଚକ୍ରକୁ ପ୍ରତିନିଧିତ୍ୱ କରେ, ଯାହା ଲୋକଙ୍କ ଜୀବନକୁ ପ୍ରଭାବିତ କରୁଥିବା ସକାରାତ୍ମକ ଶକ୍ତି ସୃଷ୍ଟି କରେ। ତେଣୁ ଏହାକୁ ଧାର୍ମିକ ଭାବରେ ଶୁଭ ବୋଲି ବିବେଚନା କରାଯାଏ।