କରୋନା ଭାଇରସରୁ ମୁକ୍ତ ହେବା ପରେ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସଙ୍କୁ ନୃତ୍ୟ କରି ଧନ୍ୟବାଦ ଜଣାଇଲା ୫ବର୍ଷୀୟା ଶିଶୁ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ୭୮,୬୦୪ରୁ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ସାରିଛନ୍ତି। ୩୦ରୁ ଅଧିକ ଦେଶରେ ଏବେ ଭାଇରସ୍‌ ପହଞ୍ଚି ସାରିଥିବାବେଳେ ଚୀନ୍‌ ବାହାରେ ଦକ୍ଷିଣ କୋରିଆ, ଇରାନ୍‌ ଓ ଇଟାଲିରେ ଭାଇରସ୍ ସର୍ବାଧିକ ଆତଙ୍କ ଖେଳାଇଛି। କରୋନା ଭାଇରସ୍‌ ଯୋଗୁ ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ୨୭୧୫ ଟପିଛି। ଚୀନରେ ବର୍ତ୍ତମାନର ସ୍ଥିତିକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ଏବେ ଭାଇରାଲ ହେଉଥିବା ଭିଡିଓକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ୫ବର୍ଷୀୟା ଶିଶୁ କରୋନା ଭାଇରସରୁ ମୁକ୍ତ ହେବା ପରେ କିପରି ନିଜର ଖୁସି ଜାହିର କରୁଛି, ତାହା ଭିଡିଓରେ ଦେଖିବାକୁ ମିଳିଛି। ଶିଶୁଟିର ନାଁ ବେଇ ବେଇ ଓ  ଚିକିତ୍ସା କରିଥିବା ଡାକ୍ତର ଏବଂ ନର୍ସଙ୍କୁ ଧନ୍ୟବାଦ ଜଣାଇବା ପାଇଁ ସେ ଏଭଳି ନୃତ୍ୟ କରିଥିବା ଜଣା ପଡ଼ିଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି କି, ବେଇ ବେଇ ଲଲିପପ୍ ଗୀତରେ ନୃତ୍ୟ କରୁଛନ୍ତି। ନିଜ ଅନ୍ଦାଜରେ ସେ ସେଠାରେ ଥିବା ଡାକ୍ତର ଓ ନର୍ସଙ୍କୁ ଧନ୍ୟବାଦ ଜଣାଉଛନ୍ତି। ଏହା ସହ ଭିଡିଓରେ, କିଭଳି ଡାକ୍ତର ଓ ନର୍ସ ବେଇ ବେଇଙ୍କ ଚିକିତ୍ସା କରିଥିଲେ, ତାହାର ମଧ୍ୟ କିଛି ଦୃଶ୍ୟ ମଧ୍ୟ ରହିଛି। ଭିଡିଓଟି  ପିପୁଲ୍ସ ଡେଲି ଖବରକାଗଜର ଟୁଇଟର ଆକାଉଣ୍ଟରେ ସେୟାର କରାଯାଇଥିବା ବେଳେ କ୍ୟାପସନରେ ଲେଖାଯାଇଛି କି, ଧନ୍ୟବାଦ୍,  ମୋତେ ଆପଣମାନଙ୍କ ପାଇଁ ନାଚିବାକୁ ଦିଅନ୍ତୁ । ସୋମବାର ହୁବଇର ଶିଆନରେ ଥିବା ଡାକ୍ତରଖାନାରୁ ବେଇ ବେଇ କରୋନା ଭାଇରସରୁ ମୁକ୍ତ ହେବା ପରେ ଘରକୁ ଯିବା ପୂର୍ବରୁ ସେ ଏଭଳି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଭିଡିଓଟି ଟୁଇଟ୍ ହେବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି। କୁନି ଝିଅର ନୃତ୍ୟ ସମସ୍ତଙ୍କୁ ଖୁସି କରାଇଛି।

ସମ୍ବନ୍ଧିତ ଖବର