ଫ୍ରିଜର୍‌ ମଧ୍ୟରେ ଜୀବିତ ରହିଛି ୫ ବର୍ଷ ତଳେ ମୃତ ଘୋଷିତ ନୁରମାହାଲ ଡେରା ମୁଖ୍ୟ ଆଶୁତୋଷ ମହାରାଜଙ୍କ ଶବ

ଚଣ୍ଡିଗଡ଼: ନୁରମାହାଲସ୍ଥିତ ଦିବ୍ୟ ଜ୍ୟୋତି ଜାଗୃତି ସଂସ୍ଥାନର ମୁଖ୍ୟ ଆଶୁତୋଷ ମହାରାଜଙ୍କୁ ୫ ବର୍ଷ ତଳେ ଡାକ୍ତରମାନେ ‘କ୍ଲିନିକାଲି ଡେଡ୍‌’ ଘୋଷଣା କରିବା ପରେ ବି ତାଙ୍କର ଶବ -୨୨ଂ ସେଣ୍ଟିଗ୍ରେଡ୍‌ରେ ସଂରକ୍ଷିତ ରହିଛି।

୨୦୧୪ ମସିହା ଜାନୁଆରି ୨୮ ତାରିଖରେ ତାଙ୍କର ଛାତି ରୁନ୍ଧି ହେଉଥିବା କହିବାରୁ ଲୁଧିଆନାର ସତ୍‌ଗୁରୁ ପ୍ରତାପ ସିଂହ ଆପୋଲୋ ହସ୍‌ପିଟାଲ୍‌ରୁ ଗୋଟାଏ ଆମ୍ବୁଲାନ୍‌ସ୍‌ ମଗାଯାଇ ତାଙ୍କୁ ସେଠାକୁ ନେବା ପରେ ସେ ଆଉ ନାହାନ୍ତି ବୋଲି ଡାକ୍ତରମାନେ ଘୋଷଣା କରିଥିଲେ। ଆଜି ୨୦ ଜଣ ଅନୁଗାମୀ ତାଙ୍କୁ କୋଠରିକୁ ଅହର୍ନିଶ ପହରା ଦେଉଛନ୍ତି।

ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ଆଦେଶ କ୍ରମେ ଗଠିତ ତିନିଜଣିଆ ଡାକ୍ତରୀ ଦଳ ପ୍ରତି ୬ ମାସରେ ଆସି ତାଙ୍କ ଶବ ବିଘଟିତ ହେଉଛି କି, ନାହିଁ ଯାଞ୍ଚ କରି ଯାଉଛନ୍ତି। ଗତ ଡିସେମ୍ବର ମାସରେ ମଧ୍ୟ ଯାଞ୍ଚ କରାଯାଇଛି। ଏହାଛଡ଼ା ଡେରାର ଡାକ୍ତରୀ ଦଳ ମଧ୍ୟ ପ୍ରତି ୧୫ ଦିନରେ ଥରେ ଆସି ତାଙ୍କ ଶବ ଯାଞ୍ଚ କରି ଯାଉଛନ୍ତି।

ଆଶୁତୋଷ ମହାରାଜଙ୍କ ମୂଳ ନାଁ ହେଉଛି ମହେଶ ଝା। ୧୯୪୬ରେ ବିହାରର ଦରଭଙ୍ଗା ଜିଲ୍ଲା ଅନ୍ତର୍ଗତ ନଖ୍‌ଲୋର୍‌ ଗ୍ରାମରେ ଜନ୍ମିତ ଝା ବିବାହର ୧୮ ମାସ ପରେ ପତ୍ନୀ ଓ ପୁତ୍ରଙ୍କୁ ଛାଡ଼ି ସତପଲ ମହାରାଜଙ୍କ ଶିଷ୍ୟ ହୋଇଥିଲେ। ୧୯୮୩ରେ ସେ ନିଜସ୍ୱ ଡେରା ଆରମ୍ଭ କରିଥିଲେ।

ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କଲେ। ଡେରା ଶବ ସତ୍କାର ଲାଗି ସୂଚନା ଦେବାର କେତେ ଘଣ୍ଟା ପରେ ପୁଣି ସୂଚନା ଦେଲେ କି, ଆଶୁତୋଷ ‘କ୍ଲିନିକାଲି ଡେଡ୍‌’ ଅର୍ଥ ‘ସମାଧି’ରେ ଅଛନ୍ତି। ଖୁବ୍‌ ଶୀଘ୍ର ସେ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବେ ବୋଲି ମଧ୍ୟ ଡେରା ତରଫରୁ ଦାବି କରାଗଲା।

ଡେରା ସମ୍ପତ୍ତିର ମୂଲ୍ୟ କୋଟି କୋଟି ଟଙ୍କା ହୋଇଥିବାରୁ ଏହାର ଉତ୍ତରାଧିକାରି ହେବା ଲାଗି ବାଦବିସମ୍ବାଦ ଲାଗି ମାମଲା ଅଦାଲତକୁ ଯାଇଥିଲା। କିନ୍ତୁ, ଆଶୁତୋଷ ଜୀବିତ ଥିବାରୁ ଟ୍ରଷ୍ଟ୍‍ର ମାଲିକାନା ହସ୍ତାନ୍ତର ହୋଇ ପାରିବ ନାହିଁ ବୋଲି ଦର୍ଶାଯିବାରୁ ୫ ବର୍ଷ ହେବ ମାମଲାରେ ଅଦାଲତରେ ପଡ଼ିରହିଛି।

ଜଳନ୍ଧର ସିଭିଲ୍‌ ସର୍ଜନ୍‌ ଡାକ୍ତର ରାଜେଶ କୁମାର ବୁଗ୍ଗା କହନ୍ତି: ଶବ ବିଘଟନ ହେବାର କୌଣସି ସଙ୍କେତ ନାହିଁ। ଶବର ବ୍ୟାକ୍ଟେରିଆ କଲ୍‌ଚର୍‌ ରିପୋର୍ଟ ବି ନେଗେଟିଭ୍‌ ଆସୁଛି।

ସମ୍ବନ୍ଧିତ ଖବର