ଆମେ ବିଭିନ୍ନ ବାର୍ତ୍ତାର ସଂକ୍ଷିପ୍ତ ପ୍ରତ୍ୟୁତ୍ତର ଭାବରେ ବିଭିନ୍ନ ପ୍ରକାର ସାଂକେତିକ ଚିତ୍ର ବା ‘ଇମୋଜି’ ବ୍ୟବହାର କରିଥାଉ। ତେବେ ବେଳେ ବେଳେ ଇମୋଜି ପ୍ରେରଣକାରୀ ତାହାର ପ୍ରକୃତ ଅର୍ଥ ବୁଝିନଥା’ନ୍ତି। ଏହି କ୍ରମରେ କାନାଡାର ଜଣେ ବ୍ୟକ୍ତି ଭୁଲ୍ବଶତଃ ‘ବୁଢ଼ା ଆଙ୍ଗୁଠି ଟେକା’ ଇମୋଜି ପଠାଇ ୫୦ ହଜାର ଟଙ୍କା ତଣ୍ଡ ଗଣିଛନ୍ତି।
ସୂଚନାନୁଯାୟୀ, ୨୦୨୧ ମାର୍ଚ୍ଚରେ କାନାଡ଼ାର ସସ୍କାଚେୱାନ୍ ଠାରେ କୃଷକ କ୍ରିସ୍ ଆକ୍ଟରଙ୍କ ଠାରୁ ଜଣେ ସ୍ଥାନୀୟ ଶସ୍ୟବୀଜ ସଂଗ୍ରହକାରୀ ନଭେମ୍ବର ମାସରେ କିଛି ଶସ୍ୟବୀଜ କିଣିବେ ବୋଲି ପ୍ରତିଶ୍ରୁତି ଦେଇ ଅନ୍ଲାଇନ୍ରେ ବାର୍ତ୍ତା ପଠାଇଥିଲେ। ତେବେ ଏହାର ପ୍ରତ୍ୟୁତ୍ତରରେ କ୍ରିସ୍ ଏକ ‘ବୁଢ଼ା ଆଙ୍ଗୁଠି ଟେକା’ ଇମୋଜି ଛାଡ଼ିଥିଲେ। ମାତ୍ର ଏପରି ଇମୋଜି ପଠେଇବାର ଅର୍ଥ ଯେ ସେ ଏହି କାରବାରକୁ ଗ୍ରହଣ କରିଛନ୍ତି ତାହା କ୍ରିସ୍ ଜାଣିନଥିଲେ। ତେବେ ନଭେମ୍ବର ମାସ ଆସିଲା ପରେ ବି କ୍ରିସ୍ କୌଣସି ଶସ୍ୟବୀଜ ପଠାଇନଥିଲେ କି ସେ ବାବଦରେ କିଛି ଜଣାଇନଥିଲେ।
ଏହି ଅବସରରେ ସଂପୃକ୍ତ ଶସ୍ୟବୀଜର ଦର ବହୁତ ବଢ଼ିଯାଇଥିଲା। ଏଥିରେ ମର୍ମାହତ ହୋଇ ସଂପୃକ୍ତ ଶସ୍ୟବୀଜ ସଂଗ୍ରହକାରୀ କମ୍ପାନି ଅଦାଲତର ଆଶ୍ରୟ ନେଇଥିଲେ। କ୍ରିସ୍ ତାଙ୍କ ପ୍ରତିଶ୍ରୁତି ପାଳନ କରିବାରେ ଖିଲାପ କରିଛନ୍ତି ବୋଲି ଶସ୍ୟ ସଂଗ୍ରହକାରୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିବା ବେଳେ କ୍ରିସ୍ କେବଳ ସଂଗ୍ରହକାରୀଙ୍କ ବାର୍ତ୍ତା ପାଇଲେ ବୋଲି ସେଭଳି ଇମୋଜି ଛାଡ଼ିଥିବା କହିଥିଲେ। ମାତ୍ର ‘ବୁଢ଼ା ଆଙ୍ଗୁଠି ଟେକା’ ଇମୋଜି ଛାଡ଼ିବାର ମାନେ କୌଣସି ରାଜିନାମାକୁ ଆନୁଷ୍ଠାନିକ ଭାବେ ସ୍ବୀକୃତି ଦେବା ସହ ସମାନ ବୋଲି ଅଦାଲତ କହିଥିଲେ। ଶେଷରେ କ୍ରିସ୍ଙ୍କ ଉପରେ ଅଦାଲତ ୬୧,୪୪୨ ଡଲାର ବା ପାଖାପାଖି ୫୦ ଲକ୍ଷ ଟଙ୍କାର ଜରିମାନା କଷିଥିଲେ। ଏହି ମାମଲା ଇମୋଜି ପ୍ରେରଣକାରୀଙ୍କୁ ଇମୋଜିର ଅର୍ଥ ବୁଝି ତାହା ପଠେଇବା ପାଇଁ ଏକ ଶିକ୍ଷା ଦେଇଛି।