ଦିନେ ବନ୍ଧୁପରିଜନଙ୍କ ସହିତ ଭାବବିନିମୟ କରିବାର ମାଧ୍ୟମରୂପେ ଆରମ୍ଭ ହୋଇଥିଲା ସାମାଜିକ ଗଣମାଧ୍ୟମ ବା ସୋସିଆଲ୍‌ ମିଡିଆ, କିନ୍ତୁ ସହସା ଏହି ବ୍ୟବସ୍ଥା ଅନ୍ୟାନ୍ୟ କ୍ଷେତ୍ରକୁ ବ୍ୟାପୀ ସର୍ବସାଧାରଣଙ୍କର ଅନେକ ଉଦ୍ଦେଶ୍ୟସାଧନ କଲା। କହିବାକୁ ଗଲେ ଫେସ୍‌ବୁକ୍‌ ଓ ଟୁଇଟର୍ (ସମ୍ପ୍ରତି ଏକ୍ସ) ପ୍ରବେଶ କରିବା ପରେ ପରେ ବିଶ୍ବବ୍ୟାପୀ ସାମାଜିକ ଗଣମାଧ୍ୟମ ବ୍ୟବହାର ଜନସାଧାରଣଙ୍କ ଲାଗି ଏକପ୍ରକାର ଅପରିହାର୍ଯ୍ୟ ବୋଧହେଉଛି।

Advertisment

ଆଜିକାଲି ବ୍ୟବସାୟ, ରାଜନୀତି, ଶିକ୍ଷା, ଦାତବ୍ୟ ଅନୁଷ୍ଠାନ, ସରକାରୀ କଳ ଏବଂ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମ ଉପଯୋଗ ହେଉଛି। ଆଜି ମନୁଷ୍ୟ ଜୀବନର ଏମିତି କୌଣସି କ୍ଷେତ୍ର ନାହିଁ, ଯାହା ଉପରେ ସାମାଜିକ ଗଣମାଧ୍ୟମର ପ୍ରଭାବ ନାହିଁ। ସାମାଜିକ ଗଣମାଧ୍ୟମର ଅୟମାରମ୍ଭ ହେଲା କେବେ? ସାମାଜିକ ଗଣମାଧ୍ୟମର ଅୟମାରମ୍ଭ ଇଣ୍ଟର୍‌ନେଟ୍‌ର ଆଦ୍ୟ କାଳ ସହିତ ସମ୍ପୃକ୍ତ। ୧୯୯୬ ମସିହାରେ ଆଣ୍ଡ୍ରିଉ ୱିନ୍‌ରିକ୍‌ ପ୍ରଥମ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ସିକ୍ସ୍‌ ଡିଗ୍ରିଜ୍‌’ ସ୍ଥାପନା କରିବା ପରେ ନୂଆ ନୂଆ ସାମାଜିକ ଗଣମାଧ୍ୟମ‌ ନେଟ୍‌ୱାର୍କର ଆ‌ବିର୍ଭାବ ହେଲା। ତା’ପରେ ଏହା ମନୁଷ୍ୟ ଜୀବନଧାରାର ଅବିଚ୍ଛେଦ୍ୟ ଅଂଶ ହୋଇଗଲା।

୫୦୦ କୋଟିରୁ ଅଧିକ ବ୍ୟବହାରକାରୀ
ସମ୍ପ୍ରତି ବିଶ୍ବବ୍ୟାପୀ ପ୍ରାୟ ୫୦୭ କୋଟି ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଅଛନ୍ତି। ଏହା ବିଶ୍ବ ଜନସଂଖ୍ୟାର ପ୍ରାୟ ୬୨.୬%। ଭାରତବାସୀ ବି ଏ କ୍ଷେତ୍ରରେ ପଛୁଆ ନୁହନ୍ତି। ଏବେ ୮୬୨ ନିୟୁତ ଭାରତବାସୀ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି, ଯାହା ଦେଶ ଜନସଂଖ୍ୟାର ପ୍ରାୟ ୫୯.୯୦%। ପୁଣି ବର୍ଷକୁ ବର୍ଷ ସାମାଜିକ ଗଣମାଧ୍ୟମ ବ୍ୟବହାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କ ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ‌େଯ, ୨୦୨୩ ପ୍ରାରମ୍ଭରୁ ୨୦୨୪ ପ୍ରାରମ୍ଭ ସୁଦ୍ଧା ସମଗ୍ର ବିଶ୍ବରେ ପ୍ରାୟ ୨୫୯ ନିୟୁତ ବ୍ୟବହାରକାରୀ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ଯୋଗ ଦେଇଛନ୍ତି। ‘ଜିଡବ୍ଲୁଆଇ’ ରିପୋର୍ଟ କହୁଛି ଯେ, ଅଧିକାଂଶ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ପ୍ରତିମାସରେ ପ୍ରାୟ ୬.୭ଟି ଭିନ୍ନ ଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ବ୍ୟବହାର କରୁଛନ୍ତି। ଖାଲି ସେତିକି ନୁହେଁ, ଏ ସବୁ ପ୍ଲାଟ୍‌ଫର୍ମରେ ସେମାନେ ଦୈନିକ ୨ ଘଣ୍ଟା ୨୦ ମିନିଟ୍‌ ଅତିବାହିତ କରୁଛନ୍ତି।

ୟୁଟ୍ୟୁବ୍‌ ଦେଖାରେ ଭାରତୀୟଙ୍କ ବି‌ଶ୍ବରେକର୍ଡ
ଭାରତରେ ସର୍ବାଧିକ ବ୍ୟବହୃତ ସାମାଜିକ ଗଣମାଧ୍ୟମ ହେଉଛି ‘ହ୍ବାଟ୍‌ସ୍‌ଆପ୍‌’, ଯେଉଁଥିରେ ୮୩% ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ ସମ୍ପୃକ୍ତ ଅଛନ୍ତି। ଦେଶରେ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୮୦.୬% ଓ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୭୧.୭%। ଭାରତରେ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରୁଥିବା ୪୪.୪% ହେଉଛନ୍ତି ୧୮ରୁ ୨୪ ବର୍ଷ ବୟସ ବର୍ଗର ଏବଂ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାରକାରୀଙ୍କ ମଧ୍ୟରୁ ୬୬.୮% ହେଉଛନ୍ତି ପୁରୁଷ। କିନ୍ତୁ, ଭାରତରେ ୟୁଟ୍ୟୁବ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବିଶ୍ବରେ ସର୍ବାଧିକ। ସେମାନଙ୍କ ସଂଖ୍ୟା ୪୬୨ ନିୟୁତରୁ ଅଧିକ ହେବ। ଜଣେ ଭାରତୀୟ ମାସକୁ ହାରାହାରି ୨୯ ଘଣ୍ଟା ୟୁଟ୍ୟୁବ୍‌ ଦେଖାରେ ବିତାଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ୧୮ରୁ ୩୫ ବର୍ଷ ବୟସ୍କ। ସମୁଦାୟ ବ୍ୟବହାରକାରୀଙ୍କ ମଧ୍ୟରୁ ୬୨.୨% ହେଉଛନ୍ତି ପୁରୁଷ ଓ ୩୭.୮% ହେଉଛନ୍ତି ମହିଳା। ସମ୍ପ୍ରତି ଭାରତରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ମଧ୍ୟରୁ ୭୭% ହ୍ବାଟ୍‌ସ୍‌ଆପ୍‌, ଫେସ୍‌ବୁକ୍‌ ମେସେଞ୍ଜର୍‌ ଆଦି ‘ଇନ୍‌ଷ୍ଟାଣ୍ଟ୍‌ ମେସେଜିଙ୍ଗ୍‌ ଆପ୍‌’ ବ୍ୟବହାର କରୁଛନ୍ତି। ଭାରତରେ ୬୮.୬% ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ପୁରୁଷ ଓ ୩୧.୪% ମହିଳା। ସଂଖ୍ୟାରେ ଦେଖିଲେ ସାମାଜିକ ବ୍ୟବହାରକାରୀ ପୁରୁଷଙ୍କ ସଂଖ୍ୟା ୫୯୯.୩୩ ନିୟୁତ ଓ ମହିଳାଙ୍କ ସଂଖ୍ୟା ୨୭୦.୬୬ ନିୟୁତ।

ସାମାଜିକ ଗଣମାଧ୍ୟମରେ କେତେ ସମୟ
୧୮ରୁ ୨୫ ବର୍ଷ ମଧ୍ୟରେ ୩୮,୮୯୬ ଜଣ ଯୁବାଙ୍କ ଉପରେ ଆଇଆଇଏମ୍‌-ରୋହତକ୍‌ କରିଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ସେମାନଙ୍କ ମଧ୍ୟରୁ ପ୍ରାୟ ୬୦.୬୬ ସାମାଜିକ ଗଣମାଧ୍ୟମ ‘ଆପ୍‌’ ବ୍ୟବହାର କରନ୍ତି। ଭାରତୀୟ ଯୁବା ବ୍ୟବହାର କରୁଥିବା ସାଧାରଣ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ହେଉଛି ଇନ୍‌ଷ୍ଟାଗ୍ରାମ୍‌ (୩୧.୨୭%), ହ୍ବାଟସ୍‌ଆପ୍‌ (୨୮.୩୨%) ସ୍ନାପ୍‌ଚାଟ୍ ୧୯.୭୮% ଓ ଫେସ୍‌ବୁକ୍‌ ୧୭.୨୦%। ଅଳ୍ପ କିଛିବର୍ଷରେ ‘ଓଟିଟି’ ପ୍ଳାଟ୍‌ଫର୍ମର ମଧ୍ୟ ଦର୍ଶକସଂଖ୍ୟା ବେଶ୍‌ ବୃଦ୍ଧି ପାଇଛି। କିନ୍ତୁ, ପ୍ରାୟ ୩୨.୦୩% ଦର୍ଶକ ଥାଇ ୟୁଟ୍ୟୁବ୍‌ ଏ ତାଲିକାର ଆଦ୍ୟରେ ରହିଛି।
୨୦୨୩ରେ ଲୋକାଲ୍‌ସର୍କଲ୍‌ ଦ୍ବାରା କରାଯାଇଥିବା କେତେକ ଜାତୀୟ ସର୍ଭେ କହେ, ଭାରତୀୟମାନଙ୍କ ମଧ୍ୟର ୁ୬୦% ବା ୯ରୁ ୧୭ ବର୍ଷ ବୟସର ତରୁଣମାନେ ସାମାଜିକ ଗଣମାଧ୍ୟମ ଓ ଗେମିଙ୍ଗ୍‌ ଆପ୍‌ରେ ଦୈନିକ ୩ ଘଣ୍ଟାରୁ ଅଧିକ ସମୟ ବ୍ୟୟ କରୁଛନ୍ତି। ରାଜ୍ୟୱାରି ଦେଖିଲେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ସଂଖ୍ୟା ମହାରାଷ୍ଟ୍ର ରାଜ୍ୟରେ ସର୍ବାଧିକ। ମହାରାଷ୍ଟ୍ରର ୧୭% ପିତାମାତା କହନ୍ତି କି, ସେମାନଙ୍କ ପିଲାମାନେ ଦୈନିକ ୬ ଘଣ୍ଟାରୁ ଅଧିକ ସମୟ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି।

ସ୍ବଭାବ ଉପରେ ପ୍ରଭାବ
ଏହାଛଡ଼ା, ସର୍ବେକ୍ଷଣରୁ ଜଣାପଡ଼ିଛି କି, ସମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ୩୯% ଭାରତୀୟ ତରୁଣ (୯ରୁ ୧୭ ବର୍ଷ) କ୍ରୋଧ ଓ ଆକ୍ରମଣ ମନୋଭାବ ପୋଷଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୩୭% ହେଉଛନ୍ତି ଧୈର୍ଯ୍ୟହୀନ ଓ ୨୭% ଆଳସ୍ୟପରାୟଣ। ସାମାଜିକ ଗଣମାଧ୍ୟମ ବ୍ୟବହାରକରୁଥିବା ୮% ତରୁଣ ପୂର୍ବାପେକ୍ଷା ଅଧିକ ଖୁସି ହେଉଛନ୍ତି। ୧୦% ଅଧିକ ସାମାଜିକ ହେଉଛନ୍ତି। କିନ୍ତୁ, ୩୭% ଅଧୈର୍ଯ୍ୟ ହୋଇପଡୁଛନ୍ତି। ୨୨% ଅବସାଦଗ୍ରସ୍ତ, ୨୨% ଅସ୍ବାଭାବିକ ଭାବେ ସକ୍ରିୟ, ୨୭% ଆଳସ୍ୟପରାୟଣ ହୋଇଯାଉଛନ୍ତି।