ଶିଶୁ-ବୃଦ୍ଧ ନିର୍ବିଶେଷରେ ଜ୍ଞାନ ଆହରଣ କରିବାର ପ୍ରବୃତ୍ତି ଜଣକୁ ନୂତନତ୍ବ ହାସଲ କରିବାରେ ପ୍ରୋତ୍ସାହିତ କରିଥାଏ। ଏହି କ୍ରମରେ ଆର୍ଥର ରସ୍‌ ନାମକ ଜଣେ ୭୧ ବର୍ଷୀୟ ବ୍ୟକ୍ତି ଦୀର୍ଘ ୫୪ ବର୍ଷର ସାଧନା ପରେ ବ୍ରିଟିସ କଲମ୍ବିଆ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିବା ଚର୍ଚ୍ଚାର ବିଷୟ ହୋଇଛି। ଏପରି କୀର୍ତ୍ତି ହାସଲ କରି ସେ ବିଶ୍ବର ସବୁଠାରୁ ମନ୍ଥର ଛାତ୍ରର ମାନ୍ୟତା ଲାଭ କରିଛନ୍ତି। ସୂଚନାନୁଯାୟୀ, ୧୯୬୯ ମସିହାରେ ରସ୍‌ ସ୍ନାତକ ଡିଗ୍ରି ପାଠ୍ୟକ୍ରମ ପାଇଁ ଉକ୍ତ ବିଶ୍ବବିଦ୍ୟାଳୟରେ ନିଜର ନାମ ଲେଖାଇଥିଲେ। ପ୍ରଥମେ ଇଂରେଜୀରେ ସ୍ନାତକ ହାସଲ କରିବାକୁ ଚାହୁଁଥିବା ତତ୍କାଳୀନ ଯୁବବିଦ୍ୟାର୍ଥୀ ପରେ ନାଟକ ବିଭାଗ ପାଇଁ ମନ ବଳାଇଥିଲେ। ତେଣୁ ବ୍ରିଟିସ କଲମ୍ବିଆ ବିଶ୍ବବିଦ୍ୟାଳୟର ବିଏ ପଢ଼ା ଅଧାରୁ ଛାଡ଼ି ସେ କାନାଡ଼ାର ମଣ୍ଟ୍ରିଲ ସ୍ଥିତ ଜାତୀୟ ନାଟକ ବିଦ୍ୟାଳୟରେ ନାମ ଲେଖାଇଥିଲେ।

Advertisment

ସେଠାରେ ପାଠ ପଢ଼ା ସରିବା ପରେ ସେ ଅନୁଭବ କଲେ ଯେ ଅଭିନେତାର ଜୀବନ ତାଙ୍କ ଲାଗି ଉଦ୍ଦିଷ୍ଟ ନୁହେଁ। ସେ ଚାକିରି ପାଇଁ ଟରଣ୍ଟୋ ସ୍ଥିତ ଆଇନ ବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ ଏବଂ ଭାନ୍‌କୁଭର ମେଟ୍ରୋରେ ଜଣେ ସିଭିଲ ଲିଟିଗେଟର ଭାବେ ୩୫ ବର୍ଷ କାଳ ଚାକିରି କରିଥିଲେ। ୨୦୧୬ରେ ସେଠାରୁ ଅବସର ନେଲା ପରେ ସେ ପୁରୁଣା ପାଠପଢ଼ା ସମାପ୍ତ କରିବାକୁ ବ୍ରିଟିସ କଲମ୍ବିଆ ବିଶ୍ବବିଦ୍ୟାଳୟ ଗଲେ। ଅନୁରୋଧ କ୍ରମେ ୨୦୧୭ରୁ ତାଙ୍କୁ ଇତିହାସର ଜଣେ ସାମୟିକ-ଛାତ୍ର ହିସାବରେ ଗ୍ରହଣ କରାଯାଇଥିଲା। ଶେଷରେ ଚଳିତବର୍ଷ ସେ ସଫଳତାର ସହ ବିଏ ଡିଗ୍ରି ହାସଲ କରିଛନ୍ତି। ଏଥି ସହିତ ସେ ପୂର୍ବ ଗିନିସ୍ ରେକର୍ଡଧାରୀ ରବର୍ଟ କ୍ରୋନିନ୍‌ଙ୍କ ୫୨ ବର୍ଷରେ ବିଶ୍ବବିଦ୍ୟାଳୟ ଡିଗ୍ରି ହାସଲର ରେକର୍ଡକୁ ପଛରେ ପକାଇଦେଇଛନ୍ତି।