ନାଟକ ଓ ମଞ୍ଚ ଦୁନିଆକୁ ଅନନ୍ୟ ଅବଦାନ
ଦିଗ୍‌ଗଜ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ସମ୍ବାଦ ଶୁଣି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ‌ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏଥିସହ ତାଙ୍କ ପରିବାର ସଦସ୍ୟଙ୍କୁ ଆଶ୍ବାସନା ଜଣାଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତ, ନାଟକ ଓ ମଞ୍ଚ ଦୁନିଆଙ୍କୁ ତାଙ୍କ ଅନନ୍ୟ ଅବଦାନ ତାଙ୍କୁ ଚିର ସ୍ମରଣୀୟ ରଖିବ। ଓମ୍‌ ଶାନ୍ତି।
ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ

Advertisment

ବିଜୟଙ୍କ ବିୟୋଗରେ ଗଭୀର ଭାବେ ମର୍ମାହତ
ବର୍ଷୀୟାନ୍‌ ଓଡ଼ିଆ ସିନେ ତାରକା ବିଜୟ ମହାନ୍ତିଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଟୁଇଟ୍‌ କରି ଶ୍ରୀ ପ୍ରଧାନ ନିଜର ଶୋକବାର୍ତ୍ତାରେ କହିଛନ୍ତି, ସ୍ବର୍ଗତଃ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ସେ ମର୍ମାହତ। ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତର ଏକ ଯୁଗର ଅନ୍ତ ଘଟିଛି। ପିଢ଼ି ପରେ ପିଢ଼ି ତାଙ୍କ ପ୍ରଶଂସକମାନଙ୍କୁ ସେ କଳାର ଯାଦୁରେ ବାନ୍ଧି ରଖିପାରିଥିଲେ। ଏପରି ଜଣେ ମହାନ୍ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ଶ୍ରୀ ପ୍ରଧାନ ସମବେଦନା ଜଣାଇଛନ୍ତି। ଏହି କଷ୍ଟକର ସମୟରେ ମହାପ୍ରଭୁ ଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ

ଅଭିନୟ ଓ ଅଧ୍ୟାପନା-ଉଭୟ ଜଗତର ନାୟକ ଥିଲେ ବିଜୟ ମହାନ୍ତି
ବିଜୟ ମହାନ୍ତିଙ୍କ ବିୟୋଗରେ ଓଡ଼ିଶାର କଳା ଦୁନିଆ ଜଣେ ମୁରବୀସ୍ଥାନୀୟ ବ୍ୟକ୍ତିଙ୍କୁ ହରାଇଲା। ଅଧ୍ୟାପନା ଓ ଅଭିନୟ -ଉଭୟ କ୍ଷେତ୍ରରେ ସେ ପାରଦର୍ଶିତା ହାସଲ କରିଥିଲେ। ବହୁ ନୂଆ ପିଢ଼ିର କଳାକାରଙ୍କୁ ଉତ୍ସାହିତ ଓ ତିଆରି କରିଥିଲେ। ବ୍ୟକ୍ତିଗତ ଭାବେ ମୁଁ ଅତ୍ୟନ୍ତ ମର୍ମାହତ। ତାଙ୍କ ସହିତ ମିଶି ଆମେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଥିଲୁ। ସେ ମଧ୍ୟ ‘ଆମ ଓଡ଼ିଶା’ର ଅନେକ କାର୍ଯ୍ୟକ୍ରମରେ ଜଣେ ଶୁଭେଚ୍ଛୁ ଭାବେ ସମୟ ଦେଇଥିଲେ। ସେ ଛାଡ଼ିଯାଇଥିବା ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ।
ସୈାମ୍ୟରଂଜନ ପଟ୍ଟନାୟକ, ସମ୍ପାଦକ, ସମ୍ବାଦ ଓ ଚଳଚ୍ଚିତ୍ର ନିର୍ମାତା

ପ୍ରଖ୍ୟାତ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବି‌େରାଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, କୃଷି ମନ୍ତ୍ରୀ ଅରୁଣ ସାହୁ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ଘଟିଲା: ପିସିସି ସଭାପତି
ଖ୍ୟାତିସମ୍ପନ୍ନ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ଅବର୍ତ୍ତମାନରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ଘଟିଛି। ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକ ବ୍ୟକ୍ତ କରି କହିଛନ୍ତି, ସ୍ବର୍ଗତଃ ମହାନ୍ତି ଜଣେ ମଞ୍ଚ ଅଭିନେତା ଓ ଚଳଚ୍ଚିତ୍ର ଦୁନିଆର ଗୁରୁ ଥିଲେ। ତାଙ୍କର ବିୟୋଗରେ ସେ ଗଭୀର ଭାବେ ମର୍ମାହତ। ଦୀର୍ଘ ୫୦ ବର୍ଷ ଧରି ଚଳଚିତ୍ରରେ ସ୍ବର୍ଗତଃ ମହାନ୍ତି ସବୁ ପ୍ରକାର ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ସେ କେବଳ ଜଣେ ବ୍ୟକ୍ତି ନଥିଲେ କଳାକାର ସୃଷ୍ଟି କରିବାର ଅନୁଷ୍ଠାନ ମଧ୍ୟ ଗଢ଼ିଥିଲେ। ସ୍ବର୍ଗତଃ ମହାନ୍ତି ତାଙ୍କ ଜୀବଦଶାରେ ବହୁ କଳାକାର ସୃଷ୍ଟି କରିପାରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଭୁବନେଶ୍ବର ଲୋକସଭା ଆସନରୁ ଜାତୀୟ କଂଗ୍ରେସର ପ୍ରାର୍ଥୀ ହୋଇଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ପିସିସି ସଭାପତି ସମବେଦନା ଜଣାଇଛନ୍ତି।

ଓଡ଼ିଆ ସିନେମାର ସଚ୍ଚା ମୂର୍ତ୍ତିମନ୍ତ ନାୟକ ଥିଲେ: ମୁଖ୍ୟ ଶାସନ ସଚିବ
ବର୍ଷିୟାନ୍‌ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ। ଟୁଇଟ୍‌ କରି ଶ୍ରୀ ତ୍ରିପାଠୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ସ୍ବର୍ଗତଃ ମହାନ୍ତି ଓଡ଼ିଆ ସିନେମା ଜଗତର ଜଣେ ମୂର୍ତ୍ତିମନ୍ତ ନାୟକ ଥିଲେ। ତାଙ୍କ ଅଭିନୟ ସର୍ବୋତ୍କୃଷ୍ଟ ଥିଲା। ଦୁଇ ଦଶନ୍ଧି ତଳେ ଶ୍ରୀ ତ୍ରିପାଠୀ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଥିବାବେଳେ ସ୍ବର୍ଗତଃ ମହାନ୍ତି ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଥିଲେ। ତାଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ଶ୍ରୀ ତ୍ରିପାଠୀ ମନେପକାଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ପାଇଁ ସ୍ବର୍ଗତଃ ମହାନ୍ତିଙ୍କ ଅବଦାନ ତାଙ୍କୁ ଚିରକାଳ ଅମର କରି ରଖିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ବିଜୟ ଭାଇ ତାଙ୍କ ପାର୍ଶ୍ବରେ ମତେ ବସିବାକୁ ମନା କରିଥିଲେ
ମୋର ପ୍ରଥମ ଚଳଚ୍ଚିତ୍ରରେ ମୋ ସହ ବିଜୟ ଭାଇ ବି କାମ କରୁଥିଲେ। ମୁଁ ଚଳଚ୍ଚିତ୍ରରେ ଖଳନାୟକ ଚରିତ୍ର କରୁଥିଲି। ଏକ ଫାଇଟିଂ ସିନ୍‌ ସୁଟିଂ ସାରି ମୁଁ ଆସି ବିଜୟ ଭାଇଙ୍କ ପାର୍ଶ୍ବରେ ପଡ଼ିଥିବା ଚେୟାରରେ ବସି ପଡ଼ିଥିଲେ। ହଠାତ୍‌ ବିଜୟ ଭାଇ କହିଲେ, ତୁମେ କ’ଣ ଆସି ‌ମୋ ପାଖରେ ବସିଯାଉଛ? ତୁମର ସେତିକି ଲେବୁଲ ହେଇନି ଯେ ମୋ ପାଖରେ ବସିବ। ମୁଁ ସେତେବେଳେ କିଛି ବୁଝି ପାରିନଥିଲି। ଭାବିଲି କେତେ ଗର୍ବୀ ଲୋକଟା। କିଛି ବର୍ଷ ପରେ ଏକ କାର୍ଯ୍ୟକ୍ରମରେ ତାଙ୍କର ମୋର ଦେଖା ହେଲା। ମତେ ସେ ପାଖକୁ ଡାକିଲେ ବସିବାକୁ। ମୁଁ କହିଲି ବିଜୟ ଭାଇ, ଆପଣ ମତେ ମନା କରିଥିଲେ ଆପଣଙ୍କ ପାଖରେ ବସିବାକୁ। ତ’ ସେ କହିଥିଲେ, ମୁଁ ସେମିତି କହିନଥିଲେ ତୁ ଆଜି ଏତେ ସଂଘର୍ଷ କରି ଏତେ ସଫଳତା ପାଇ ନଥାନ୍ତୁ। ଏମିତି ଥିଲେ ବିଜୟ ମହାନ୍ତି। ବ୍ୟକ୍ତିଗତ ଭାବେ ମୁଁ ବଡ଼ ଭାଇଙ୍କୁ ହରାଇ ଆଜି ନିସ୍ବ। – କୁନା ତ୍ରିପାଠୀ, ଅଭିନେତା

ଓଡ଼ିଆ ଚଳଚ୍ଚିତ୍ର ଜଗତର ଭୀଷ୍ମ ପିତାମହ ଥିଲେ: ବାଚସ୍ପତି
ଓଡ଼ିଆ ଚଳଚ୍ଚିତ୍ର ଜଗତର ଭୀଷ୍ମ ପିତାମହ ତଥା ପ୍ରବୀଣ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ବିଧାନସବା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଶ୍ରୀ ପାତ୍ର ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ବର୍ଗତଃ ମହାନ୍ତିଙ୍କ ସିନେ ଜଗତ ପ୍ରତି ଅବଦାନ ଅତୁଳନୀୟ ଓ ଅବିସ୍ମରଣୀୟ। ନାୟକ ଓ ଖଳନାୟକ ଭୂମିକାରେ ତାଙ୍କ ଅଭିନୟ ହୃଦୟସ୍ପର୍ଶୀ ଥିଲା। ଜଣେ ସମାଜସେବୀ ଓ ଦରଦୀ ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ବାଚସ୍ପତି ଶ୍ରୀ ପାତ୍ର ସ୍ବର୍ଗତଃ ମହାନ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

ଓଡ଼ିଆ ସିନେମାର ଦିଗ୍‌ଦ୍ରଷ୍ଟା ଥିଲେ: ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ
ପ୍ରସିଦ୍ଧ ଚଳିଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଓଡ଼ିଆ ସିନେମାର ଦିଗ୍‌ଦ୍ରଷ୍ଟା ଥିଲେ। ସ୍ବର୍ଗତଃ ମହାନ୍ତିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, ଚଳଚ୍ଚିତ୍ର ଜଗତ ପ୍ରତି ଅପୂରଣୀୟ କ୍ଷତି ଘଟିଛି। ଜଣେ ଲୋକପ୍ରିୟ ଅଭିନେତା ଓ ନିର୍ଦ୍ଦେଶକ ଭାବରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଏହି ଦୁଃଖ ସମୟରେ ମନ୍ତ୍ରୀ ଶ୍ରୀ ଦାସ ସ୍ବର୍ଗତଃ ମହାନ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ବିଜୟ ଯୁଗର ଅବସାନ
ଓଡ଼ିଆ ଚଳଚ୍ଚିତ୍ର ପାଇଁ ତାଙ୍କର ଅବଦାନ ସବୁଦିନେ ‌ମନେ ରହିବ ଏବଂ ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ହୋଇଛି ବୋଲି ଶ୍ରୀ ପଣ୍ଡା ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି। ଶ୍ରୀ ପଣ୍ଡା ଏହି ଦୁଃଖଦ ପରିସ୍ଥିତିରେ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।
ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପସଭାପତି, ବିଜେପି

ମେରୁଦଣ୍ଡ ଭାଙ୍ଗିଗଲା
ଓଡ଼ିଆ ଚଳଚ୍ଚିତ୍ର ଜଗତର ସେ ଥିଲେ ମେରୁଦଣ୍ଡ। ଚଳଚ୍ଚିତ୍ର ଶିଳ୍ପକୁ ସେ ଏକ ନୂଆ ଗତି ଦେଇଥିଲେ। ତାଙ୍କ ବିୟୋଗରେ ଆମ ସମସ୍ତଙ୍କୁ ଏକ ଶକ୍ତ ଧକ୍କା ଲାଗିଛି। ମାନସିକସ୍ତରରେ ମୁଁ ଭାଙ୍ଗି ପଡିଛି। ଆଜି ଯେଉଁ ସ୍ଥାନରେ ମୁଁ ପହଞ୍ଚିଛି ସେଥିରେ ତାଙ୍କର ଅବଦାନ ଅନେକ ରହିଛି। ଜଣେ ସହ କଳାକାର ଭାବେ ତାଙ୍କଠାରୁ ଚଳଚ୍ଚିତ୍ର ଜଗତର ପ୍ରତିଷ୍ଠିତ କଳାକାର ମା‌ନେ ଅନେକ କିଛି ଶିଖିଛନ୍ତି। ଈଶ୍ବର ତାଙ୍କ ପରିବା ଓ ବିଜୟ ମହାନ୍ତିଙ୍କୁ ଭଲ ପାଉଥିବା ଅଗଣିତ ଦର୍ଶକଙ୍କୁ ଏହି ଦୁଃଖ ସମୟକୁ ଅତିକ୍ରମ କରିବାକୁ ଶକ୍ତି ଦିଅନ୍ତୁ।
ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ତଥା ଅଭିନେତା

ସେ ଥିଲେ ପ୍ରତିଭାବାନ କଳାକାର
ମୋଠାରୁ ବୟସରେ ସେ ସାନ ଥିଲେ। ମାତ୍ର ମୋ ଠାରୁ ଅଧିକ ପ୍ରତିଭାବାନ କଳାକାର ଥିଲେ। ତାଙ୍କ ସହିତ ‘ଟିକେ ହସ ଓ ଟିକେ ଲୁହ’ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲି। ନାଗଫାଶ ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଦେଖି ସେତେବେଳେ ତାଙ୍କ ବିଷୟରେ ଆଲୋଚନା କରିବାକୁ ଆମକୁ ବାଧ୍ୟ ହେଉଥିଲୁ। ତାଙ୍କ ବ୍ୟବହାର ଅତି ସୁନ୍ଦର ଥିଲା। ତାଙ୍କ ପରି ଜଣେ ବଳିଷ୍ଠ କଳାକାରଙ୍କ ବିୟୋଗରେ ଆମ ଚଳଚ୍ଚିତ୍ର ଜଗତ ବହୁତ କିଛି ହରାଇଲା।
ଝରଣା ଦାସ, ଚଳଚ୍ଚିତ୍ର ଅଭିନେତ୍ରୀ