ବେଜିଂ: ଜଣେ କ‌ୋଟିପତି ଥରେ କି ଦୁଇଥର ନୁହନ୍ତି ୨୭ଥର ପ୍ରବେଶିକା ପରୀକ୍ଷାରେ ଅସଫଳ ହୋଇଛନ୍ତି। ଏହି କଥାକୁ କୋଟିପତି ନିଜେ ଏକ ସାକ୍ଷାତକାରରେ ବଖାଣିଛନ୍ତି। ଏହି କୋଟିପତିଙ୍କ ନାମ ହେଉଛି ଲିଆଙ୍ଗ ଶି।

Advertisment

ଲିଆଙ୍ଗ ଶି ଚାଇନାର ଜଣେ ଆତ୍ମନିର୍ଭରଶୀଳ କୋଟିପତି। ତାଙ୍କର ବିଶ୍ବାବିଦ୍ୟାଳୟରେ ପାଠପଢ଼ିବାକୁ ବହୁତ ଇଚ୍ଛା ଅଛି। ଏଥିପାଇଁ ଆଜି ଯାଏଁ ସେ ଅନେକ ଥର ପ୍ରବେଶିକା ପରୀକ୍ଷା ଦେଇଛନ୍ତି। କିନ୍ତୁ ଅସଫଳ ହୋଇଯାଉଛନ୍ତି।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଲିଆଙ୍ଗ ଶି କହିଛନ୍ତି,  ‘ଗତ ୪୦ ବର୍ଷ ମଧ୍ୟରେ ଅନେକ ଥର ସିଚୁଆନ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇବାକୁ ଏବଂ ବୁଦ୍ଧିଜୀବୀ ହେବାକୁ ଇଚ୍ଛା ରଖି ପରୀକ୍ଷା ଦେଇଛି। କିନ୍ତୁ ଅସଫଳ ହୋଇଯାଉଛି। ଉଚ୍ଚଶିକ୍ଷା ପାଇଁ ମୁଁ ୧୨ ଘଣ୍ଟା ଅଧ୍ୟୟନ କରୁଛି। କେବେ ସଫଳତା ପାଇବି ସେ ଅପେକ୍ଷାରେ ରହିଛି।

ଏମିତି କି ମଦ ପିଇବା ଠାରୁ ଆରମ୍ଭ କରି ବିଭିନ୍ନ ବଦ ଅଭ୍ୟାସ ଠାରୁ ନିଜକୁ ଦୂରେଇ ରଖିଛି। କାରଣ ଏସବୁ ଅଭ୍ୟାସ ରହିଲେ ପାଠପଢ଼ାରେ ମନ ଲାଗିବ ନାହିଁ। ବହୁ ପରିଶ୍ରମ କରିବା ପରେ ବି ଦୁଃଖ ଲାଗୁଛି କି କଲେଜ ପ୍ରବେଶିକା ପରୀକ୍ଷାରେ ଚଳିତଥର ବି ଅସଫଳ ହୋଇଗଲି। ଚଳିତବର୍ଷ ମୋର ପାସ ହେବା ପାଇଁ ୩୪ ପଏଣ୍ଟ କମ୍‌ ରହିଲା। ଏହାକୁ ମିଶାଇ ମୁଁ ପ୍ରବେଶିକା ପରୀକ୍ଷାରେ ୨୭ ଥର ପାଇଁ ବିଫଳ ହୋଇଛି।’

ଗତ ଶୁକ୍ରବାର ସିଚୁଆନ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏଥିରେ ବି ଅସଫଳ ହେବା ପରେ  ଲିଆଙ୍ଗ ଶି ଭାଙ୍ଗି ପଡ଼ିଥିଲେ। ପରେ ମନକୁ ବୁଝାଇ ନିଜ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆଗାମୀ ବର୍ଷ ପ୍ରବେଶିକା ପରୀକ୍ଷାକୁ ଅପେକ୍ଷା କରିବା ସହିତ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।