ନୂଆଦିଲ୍ଲୀ: ତେଲେଙ୍ଗାନାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ନିଜର ୧୬ବର୍ଷ ପୁଅର ଜନ୍ମଦିନ ପାଳିବା ପାଇଁ ଜୋରସୋର ପ୍ରସ୍ତୁତି କରୁଥିଲେ। କିନ୍ତୁ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ପୁଅ ଶରୀର ଅସୁସ୍ଥ ହୋଇ ପଡ଼ିଥିଲା। ଚିକିତ୍ସା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।
ସୂଚନାଯୋଗ୍ୟ, କୋମାରାମ ଭିମ ଆସିଫାବାଦ ଜିଲ୍ଲାରେ ବାବାପୁର ଗୁଣବନ୍ତ ରାଓ ଓ ଲଲିତାଙ୍କ ତିନିଟି ପୁଅ। ସାନ ପୁଅ ସଚିନ(୧୬)ର ନିକଟରେ ଜନ୍ମଦିନ ଥିଲା। ଜନ୍ମଦିନ ପ୍ରସ୍ତୁତି ପାଇଁ ସେ ଖୁସିରେ ବଜାରକୁ ପୋଷାକ କିଣିବାକୁ ଯାଇଥିଲା। ଏହି ସମୟରେ ତାର ଶରୀର ଅସୁସ୍ଥ ହେବା ସହିତ ଛାତିରେ ଯନ୍ତ୍ରଣା ହୋଇଥିଲା। ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ତେବେ ସଚିନର ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତର ତାର ମୃତ୍ୟୁ ହୃଦଘାତରେ ହୋଇଥିବା କହିଥିଲେ। ତେବେ ପୁଅ ମୃତ୍ୟୁ ଖବର ପାଇବା ପରେ ପରିବାରଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଥିଲା। ହସଖୁସିରେ ପୂରି ଉଠୁଥିବା ପରିବାର ପୂରାପୂରି ସ୍ତବ୍ଧ ହୋଇଯାଇଥିଲା।
ତେବେ ସଚିନ ତାର ଜନ୍ମଦିନରେ କେକ କାଟିବ ବୋଲି ବହୁତ ଆଶା ରଖିଥିଲା। ତେଣୁ ତାର ମୃତଦେହ ସାମ୍ନାରେ କେକେ ରଖାଯାଇ ସଚିନର ହାତ ଧରି କାଟିଥିଲେ ପରିବାରଲୋକ।ଆଉ ଏହି ସମୟରେ ସମସ୍ତ ଆଖିରୁ ଲୁହ ଝରି ପଡ଼ିଥିଲା । ଆଜି ଯଦି ସଚିନ ଥାଆନ୍ତା କେତେ ଖୁସି ହୋଇଥାଆନ୍ତା ସେ। କିନ୍ତୁ ସମସ୍ତଙ୍କୁ ଦୁଃଖ ଦେଇ ସେ ଆରପାରିବାକୁ ଚାଲିଗଲା।