ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ ଓ ଜାପାନର ନିଗାତା ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ହିମାଳୟ ପର୍ବତର ଉପରିଭାଗରେ ଗଚ୍ଛିତ ଖଣିଜ ଭିତରେ ଫସିରହିଥିବା ଜଳର ସନ୍ଧାନ ପାଇଛନ୍ତି। ତାହା ୬୦ କୋଟି ବର୍ଷ ତଳର କୌଣସି ମହାସାଗରର ଜଳ ବୋଲି ସେମାନେ ଅନୁମାନ କରିଛନ୍ତି। ପଶ୍ଚିମ କୁମାୟୁଁ ହିମାଳୟ ଅନ୍ତର୍ଗତ ଅମୃତପୁରଠାରୁ ମିଲାମ୍‌ ହିମପ୍ରବାହ ଯାଏ ଏବଂ ଡେରାଡୁନ୍‌ ଠାରୁ ଗଙ୍ଗୋତ୍ରୀ ହିମପ୍ରବାହ ଯାଏ ଏହି ମହାସାଗର ଜଳ ଗଚ୍ଛିତ ଅଛି। ଉକ୍ତ ଅଞ୍ଚଳରେ ଗଚ୍ଛିତ ଥିବା ଉଭୟ କ୍ୟାଲସିଅମ୍‌ ଓ ମାଗ୍ନେସିଅମ୍‌ ଖଣିଜ ଭଣ୍ଡାରର ସ୍ଥିତିକୁ ବିଶ୍ଳେଷଣ କରି ବୈଜ୍ଞାନିକମାନେ ଏପରି ଆକଳନ କରିଛନ୍ତି।

Advertisment

ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ୭୦ କୋଟିରୁ ୫୦ କୋଟି ବର୍ଷ ତଳେ ପୃଥିବୀକୁ ମୋଟା ଆସ୍ତରଣର ବରଫ ଚାଦର ଦୀର୍ଘଦିନ ଧରି ଆଚ୍ଛାଦିତ କରି ରଖିଥିଲା, ଯାହା ‘ସ୍ନୋବଲ୍‌ ଆର୍ଥ ଗ୍ଲାସିନେସନ’ ନାମରେ ପରିଚିତ। ପରେ ପୃଥିବୀର ବାୟୁମଣ୍ଡଳରେ ଅମ୍ଳଜାନ ପରିମାଣ ବୃଦ୍ଧି ପାଇବା ସହ ଭୂପୃଷ୍ଠରେ ଜଟିଳ ଜୀବସତ୍ତାର ବିବର୍ତ୍ତନ ଘଟିଥିଲା। ସେତେବେଳେ ମହାସାଗରଗୁଡ଼ିକର କୌଣସି ସ୍ରୋତ ନଥିଲା, ତେଣୁ କ୍ୟାଲସିଅମ୍‌ ଖଣିଜର ଯୋଗାଣ ବି ନଥିଲା। ଫଳରେ ସମୁଦ୍ରରେ ମାଗ୍ନେସିଅମ୍‌ ପରିମାଣ ଅଧିକ ରହିଥିଲା। ହିମାଳୟରେ ଆବିଷ୍କୃତ ମହାସାଗର ଜଳ ଓ ବର୍ତ୍ତମାନର ମହାସାଗର ଜଳ ଗଠନର ତୁଳନା କରି ମହାସାଗର ଓ ଜୀବଜଗତ ସୃଷ୍ଟି ସମେତ ପୃଥିବୀ ଇତିହାସ ସମ୍ପର୍କରେ ଅନେକ ତଥ୍ୟ ମିଳିପାରିବ ବୋଲି ଗବେଷକମାନେ ଆଶାବାଦୀ ଅଛନ୍ତି।