ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ୬୨ବର୍ଷର ଜଣେ ବୃଦ୍ଧ ଏକା ସହିତ ତିନିଟି ସନ୍ତାନର ବାପା ହୋଇଛନ୍ତି। ବୃଦ୍ଧଙ୍କ ଦ୍ବିତୀୟ ସ୍ତ୍ରୀ ଏହି ସନ୍ତାନଙ୍କୁ ଜନ୍ମ ଦେଇଥିବା କୁହାଯାଉଛି। ତିନିଟି ସନ୍ତାନଙ୍କ ବାପା ହେବା ପରେ ବୃଦ୍ଧ ଜୀବନରେ ସବୁକିଛି ପାଇଯାଇଛନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ୬୧ବର୍ଷୀୟ ବୃଦ୍ଧ ଗୋବିନ୍ଦ କୁଶବାହା ଏକାସହିତ ୩ଟି ସନ୍ତାନର ବାପା ହୋଇଛନ୍ତି। ତାଙ୍କର ଦ୍ବିତୀୟ ସ୍ତ୍ରୀ ହୀରାବାଇ ଗତ ମଙ୍ଗଳବାର ଏକାସାଙ୍ଗରେ ତିନିଟି ସନ୍ତାନକୁ ଜନ୍ମ ଦେଇ ପରିବାରରେ ଖୁସି ଭରି ଦେଇଛନ୍ତି। ତେବେ ତିନିଜଣ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ସମସ୍ତଙ୍କୁ ଏସଏନସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି ରଖାଯାଇଛି।
ଗୋବିନ୍ଦ ଏହି ଖୁସି ମୁହୂର୍ତ୍ତ ସହିତ ନିଜ ଜୀବନରେ କିଭଳି ଦୁଃଖ ସହିଥିଲେ ତାହାକୁ ବଖାଣି କହିଛନ୍ତି କି, ବଢ଼ିଲା ପୁଅକୁ ୧୧ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ହରାଇ ଦେଇଥିଲି। ମୁଁ ଓ ମୋର ସ୍ତ୍ରୀ କସ୍ତୁରୀବାଇ ନିଜର ଏକମାତ୍ର ପୁଅକୁ ହରାଇ ପାଗଳପ୍ରାୟ ହୋଇଯାଇଥିଲୁ। ଏହାପରେ ସମସ୍ତଙ୍କ କହିବାପରେ କସ୍ତୁରୀବାଇ ଆଉ ଏକ ସନ୍ତାନ ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଅସଫଳ ରହିଥିଲେ। ଡାକ୍ତର ବି କସ୍ତୁରୀବାଇଙ୍କ ଚିକିତ୍ସା କରି କହିଥିଲେ କି ମୋର ସ୍ତ୍ରୀ ଆଉ ମା’ ହୋଇପାରିବେ ନାହିଁ।
କିଛିଦିନ ଏକଥାକୁ ମନରେ ଚାପି ଧରିବା ପରେ ମୁଁ କସ୍ତୁରୀବାଇଙ୍କୁ ଏହି ଘଟଣା ବିଷୟରେ ଜଣାଇଥିଲି। ପ୍ରଥମେ କସ୍ତୁରୀବାଇ ଏହି କଥା ଶୁଣି ସହି ପାରି ନଥିଲେ। ପରେ ମନକୁ ବୁଝାଇ ମୋର ଦ୍ବିତୀୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ ମୁଁ ଦ୍ବିତୀୟ ବିବାହ ପାଇଁ ରାଜି ନଥିଲି। କସ୍ତୁରୀଙ୍କ ଜିଦକୁ ଦେଖି ମୁଁ ଶେଷରେ ହୀରାବାଇଙ୍କୁ ଦ୍ବିତୀୟ ବିବାହ କରିଥିଲି। ହୀରାବାଇଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସେ ଏକା ରହୁଥିଲେ।’