ନୂଆଦିଲ୍ଲୀ: ବେଳେବେଳେ ଏମିତି ସମୟ ଆସେ ଯେ ଅସମ୍ଭବ ମନେହେଉଥିବା କାମ ବି କରିବାକୁ ପଡ଼େ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ୭ ବର୍ଷର ବାଳକ ଜୋମାଟୋ ଡେଲିଭରି ବୟ ଭାବରେ କାମ କରୁଥିବାର ନଜର ଆସିଛି | ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ବାପାଙ୍କ ଦୁର୍ଘଟଣା ପରେ କିପରି ଜଣେ ଛୋଟ ପିଲାଟି ନିଜ ପରିବାରକୁ ସାହାଯ୍ୟ କରିବା ପାଇଁ ଫୁଡ ଡେଲିଭେରି ବୟ ଭାବରେ ଜୋମାଟୋରେ କାମ କରୁଛି, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି | ଏହି ଭିଡିଓଟି ଟ୍ୱିଟରରେ ରାହୁଲ ମିତ୍ତଲ ନାମକ ଜଣେ ୟୁଜର ପୋଷ୍ଟ କରିଛନ୍ତି ଏବଂ ଏହାକୁ ୪୩ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଟ୍ୱିଟର ବ୍ୟବହାରକାରୀମାନେ ଏତେ କମ ବୟସରେ ବାଳକଟି ପରିବାର ପୋଷଣ ଲାଗି ଦେଖାଯାଇଥିବା ନିଷ୍ଠା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଦୁଃଖ ସମୟରେ ନିଜ ପରିବାର ପାଇଁ କାର୍ଯ୍ୟ କରିଥିବାରୁ ତାକୁ ପ୍ରଶଂସା କରିଛନ୍ତି ।
ପ୍ରାୟ ୩୦ ସେକେଣ୍ଡର ଏହି ଭିଡିଓରେ ରାହୁଲ ମିତ୍ତଲ ସେହି ଛୋଟ ପିଲାଟି ସହିତ କଥାବାର୍ତ୍ତା କରୁଥିବା ବେଳେ ପଚାରିଛନ୍ତି ଯେ, ସେ ଏହି ଡେଲିଭେରି ବୟ କାମ କାହିଁକି କରୁଛି? ହାତରେ ଏକ ଚକଲେଟ ବକ୍ସ ଧରି ରାହୁଲଙ୍କୁ ନିଜର ଦୈନନ୍ଦିନ କାର୍ଯ୍ୟସୂଚୀ ବିଷୟରେ କହୁଛି ବାଳକ | ସେ ସକାଳ ୬ ଟାରୁ ୧୧ଟା ପର୍ଯ୍ୟନ୍ତ ସାଇକେଲରେ ଘର ଘର ଯାଇ ଫୁଡ୍ ପାର୍ସଲ୍ ଦେଇଥାନ୍ତି ଏବଂ ତାପରେ ସ୍କୁଲ ଯାଆନ୍ତି |
ମିତ୍ତଲ ତାଙ୍କ ଟ୍ୱିଟରେ ଜୋମାଟୋ କମ୍ପାନୀକୁ ଟ୍ୟାଗ୍ କରି କହିଛନ୍ତି, ଏହି ୭ ବର୍ଷର ବାଳକ ତା’ ବାପାଙ୍କ ଜାଗାରେ କାମ କରୁଛି। କାରଣ ତାର ପିତା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ କାମ କରିପାରୁନାହାନ୍ତି | ସେ ସକାଳେ ସ୍କୁଲ ଯାଇଥାଏ ଏବଂ ସଂଧ୍ୟା ୬ଟା ପରେ ପୁଣି ଜୋମାଟୋ ପାଇଁ କାମ କରେ । ରହୁଲ୍ ପିଲାଟିର ବାପାଙ୍କ ଚିକିତ୍ସାରେ ସାହାଯ୍ୟ କରିବା ପାଇଁ ଜୋମାଟୋକୁ ନିବେଦନ କରିଛନ୍ତି |
This 7 year boy is doing his father job as his father met with an accident the boy go to school in the morning and after 6 he work as a delivery boy for @zomato we need to motivate the energy of this boy and help his father to get into feet #zomato pic.twitter.com/5KqBv6OVVG
— RAHUL MITTAL (@therahulmittal) August 1, 2022
ଅନେକ ଟ୍ୱିଟର ବ୍ୟବହାରକାରୀ ପିଲାଟିକୁ ସାହାଯ୍ୟ କରିବାକୁ ମଧ୍ୟ ଆଗେଇ ଆସିଛନ୍ତି | ରାହୁଲଙ୍କ ପୋଷ୍ଟରେ କମେଣ୍ଟ କରି କହିଛନ୍ତି ଯେ ତାଙ୍କ ପରିଚୟ ଆଉ ଠିକଣା ଦିଅନ୍ତୁ ଯେମିତି ସେମାନେ ତାଙ୍କୁ ସାହାଯ୍ୟ କରିପାରିବେ | ଅନ୍ୟ ଜଣେ କହିଛନ୍ତି, ଭାବନ୍ତୁ ଯଦି ଏ ପିଲା ତାର ପରିଶ୍ରମ, ଧୈର୍ଯ୍ୟ ଓ ନିଷ୍ଠା ପାଠପଢାରେ ଉପଯୋଗ କରନ୍ତା ତେବେ ସେ କେତେ ଆଗକୁ ବଢି ପାରନ୍ତା| କିଛି ବ୍ୟବହାରକାରୀ ଏହା ଅଭିଯୋଗ କରିଛନ୍ତି ଯେ ଏହା ଶ୍ରମ ଆଇନର ଉଲ୍ଲଂଘନ। ଜୋମାଟୋ ପିଲାଟିର ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସୁ ବୋଲି ଦାବି କରିଛନ୍ତି।