ଭାରତର ସମୁଦାୟ ମଟରଗାଡ଼ି ମଧ୍ୟରୁ ବସ୍‌ ଓ ଟ୍ରକ୍‌ ପରି ଭାରୀ ଯାନର ଭାଗ ମାତ୍ର ୨%, କିନ୍ତୁ ସେଥିରୁ ନିର୍ଗତ ହେଉଥିବା ପ୍ରଦୂଷଣର ମାତ୍ରା ୭୦% ବୋଲି ସେଣ୍ଟର ଫର୍‌ ଷ୍ଟଡି ଅଫ୍‌ ସାଇନ୍‌ସ, ଟେକ୍‌ନୋଲଜି ଆଣ୍ଡ୍‌ ପଲିସି (ସିଏସ୍‌ଟିଇପି)ର ଏକ ଅଧ୍ୟୟନରୁ ଜଣାପଡ଼ିଛି। ଉକ୍ତ ରିପୋର୍ଟ ଅନୁସାରେ ୨୦୩୫ ସୁଦ୍ଧା ଭାରୀ ବ୍ୟାବସାୟିକ ଯାନର ସଂଖ୍ୟା ୨୭% ବଢ଼ିସାରିଥିବ। ତେବେ ଅଧିକ ଯାନ ‘ଭାରତ ଷ୍ଟେଜ୍‌ ୬ ଗାଇଡ୍‌ଲାଇନ୍‌’ ଅନୁସରଣ କରିବା ଦ୍ବାରା ପ୍ରଦୂଷଣର ମାତ୍ରା ହ୍ରାସ ପାଇବ। କିନ୍ତୁ ଅତ୍ୟଧିକ ବାୟୁ ପ୍ରଦୂଷଣ କରୁଥିବା ପୁରୁଣା ଭାରୀ ଗାଡ଼ିଗୁଡ଼ିକ ରାସ୍ତାରେ ଚାଲୁଥିବା ଯାଏ ବର୍ତ୍ତମାନର ଧାରା ଜାରି ରହିବ।

Advertisment

ଏହାର ସମାଧାନ ସ୍ବରୂପ ପୁରୁଣା ଟ୍ରକ୍‌ଗୁଡ଼ିକୁ ସ୍କ୍ରାପ୍‌ କରିବା ଅପରିହାର୍ଯ୍ୟ। ବର୍ତ୍ତମାନ ଭାରତୀୟ ରାସ୍ତାରେ ଚାଲୁଥିବା ୪୦% ଟ୍ରକ୍‌ ୧୫ ବର୍ଷରୁ ଅଧିକ ପୁରୁଣା। ଅଧିକାଂଶ ଟ୍ରକ୍‌ ଡିଜେଲ୍‌ ଚାଳିତ। ବାଧ୍ୟତାମୂଳକ ସ୍କ୍ରାପ୍‌ ନୀତି ଦ୍ବାରା ନିଜର ଜୀବିକା ହରାଇବା ନେଇ ଭୟ କରୁଥିବା ଟ୍ରକ୍‌ ମାଲିକଙ୍କୁ ସରକାର ଦୁଇରୁ ତିନିଟି ଟ୍ରକ୍‌ କିଣିବା ଲାଗି ସବ୍‌ସିଡି ଦେବା ଉଚିତ ବୋଲି ବିଶେଷଜ୍ଞଙ୍କ ମତ। ସେହିପରି ଦୂରଗାମୀ ମାଲ୍‌ ପରିବହନ ପାଇଁ ଟ୍ରକ୍‌ ବଦଳରେ ଟ୍ରେନ୍‌ର ଉପଯୋଗ ଜରୁରି। ଉଦାହରଣ ସ୍ବରୂପ ଉତ୍ତର ପ୍ରଦେଶରୁ କେରଳକୁ ଜିନିଷ ପରିବହନ କରିବାର ଥିଲେ ତାକୁ ଟ୍ରକ୍‌ରେ ନ ପଠାଇ ରେଳ ଯୋଗେ ପଠାଇଲେ କେବଳ ମୂଳ ସ୍ଥାନରୁ ଷ୍ଟେସନ୍‌ ଓ ଶେଷ ଷ୍ଟେସନ୍‌ରୁ ଗନ୍ତବ୍ୟ ସ୍ଥଳକୁ ମାଲ୍‌ ନେବା ପାଇଁ ଟ୍ରକ୍‌ ବ୍ୟବହାର କରିବାକୁ ପଡ଼ିବ। ଫଳରେ ଟ୍ରକ୍‌ ଉପଯୋଗକୁ ୨୦% ଦୂରତା ପାଇଁ ସୀମିତ କରାଯାଇପାରିବ।