ନୂଆଦିଲ୍ଲୀ: ଶାଶୂ ଓ ବୋହୂର ସମ୍ପର୍କରେ ମାନମାଳିନ୍ୟ ହେଉଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ଶାଶୂ ଓ ବୋହୂର ଏମିତି ଏକ ସମ୍ପର୍କ ସାମ୍ନାକୁ ଆସିଛି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଉଛି।
ଘଟଣାଟି ହେଉଛି ଏପରି, ମୁମ୍ବାଇରେ ବସବାସ କରୁଥିବା ୭୦ବର୍ଷୀୟ ବୃଦ୍ଧା ଶାଶୂ ତାଙ୍କ ବୋହୂକୁ କିଡନି ଦାନ କରିଛନ୍ତି। ୨୦୨୨ରେ ବୋହୂ ଅମିଷାର ଦୁଇଟି କିଡନି ଖରାପ ଥିବା କଥା ଡାକ୍ତର ପରିବାରଲୋକଙ୍କୁ ଜଣାଇଥିଲେ। ଏହାପରେ ଅମିଷାର ସ୍ବାସ୍ଥ୍ୟ ଦିନକୁ ଦିନ ଖରାପ ହୋଇ ଚାଲିଥିଲା। ଅମିଷାର ଅବସ୍ଥା ଦେଖି ଡାକ୍ତର କିଡନି ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। ଅମିଷାର ସ୍ବାମୀ ମଧୁମେହ ରୋଗରେ ପୀଡିତ ଥିବା ହେତୁ ସେ ଚାହିଁକି ବି କିଡନି ଦେଇ ପାରି ନଥିଲେ।
ବୋହୂକୁ ବଞ୍ଚାଇବା ପାଇଁ କୌଣସି ଆଡୁ କିଛି ବି ଉପାୟ ଦେଖା ନଯିବାରୁ ଶେଷରେ ଶାଶୂ ବୋହୂକୁ କିଡନି ଦାନ କରିବାକୁ ସ୍ଥିର କରିଥିଲେ।
ଏହାପରେ ୨୦୨୩ ଅଗଷ୍ଟ ୧ ତାରିଖରେ ନାନାବତୀ ମ୍ୟାକ୍ସ ସୁପର ସ୍ପେସାଲିଟି ହସ୍ପିଟାଲରେ ସଫଳତା ଭାବେ ଶାଶୂଙ୍କ କିଡନି ବୋହୂ ଶରୀରରେ ଡାକ୍ତର ପ୍ରତିରୋପଣ କରିଥିଲେ। ଗତ ଶୁକ୍ରବାର ଶାଶୂ ପ୍ରଭା କାନ୍ତିଲାଲଙ୍କୁ ହସ୍ପିଟାଲରୁ ଛୁଟି ମିଳିଯାଇଛି। ସେ ଘରକୁ ଚାଲିଯାଇଛନ୍ତି। ଘରେ ତାଙ୍କର ଆଡମ୍ବରରେ ସ୍ବାଗତ କରାଯାଇଥିଲା।
ପ୍ରଭା କାନ୍ତିଲାଲ ବୋହୂଙ୍କୁ କିଡ଼ନି ଦେବା ଘଟଣାକୁ ନେଇ କହନ୍ତି କି, ‘ମୋତେ ଖୁବ ଖୁସି ଲାଗୁଛି। ମୋର ଏହି ତ୍ୟାଗ ଯୋଗୁଁ ବୋହୂ ଏବେ ବିପଦମୁକ୍ତ ଅଛି। ତାର ଜୀବନ ବଞ୍ଚି ଯାଇଛି। ମୁଁ ମୋ ବୋହୂକୁ ବାହାଘର ଦିନଠାରୁ ଝିଅ ଭଳି ଦେଖି ଆସୁଛି। ଭଗବାନ ସାରା ଜୀବନ ତାକୁ ଆର୍ଶୀବାଦ କରିଥାଆନ୍ତୁ।’