ନୂଆଦିଲ୍ଲୀ: ହରିୟାଣାର ରେୱାଡ଼ିରେ ସରକାରୀ ଯୋଜନାରୁ ବଞ୍ଚିତ ଜଣେ ବୃଦ୍ଧ ସ୍ବତନ୍ତ୍ରଶୈଳୀରେ ବିରୋଧ ପ୍ରଦର୍ଶନ କରିଛନ୍ତି। ବୃଦ୍ଧ ଜଣକ ମୁଣ୍ଡରେ ପଗଡ଼ି ବାନ୍ଧି ଜିଲ୍ଲାର ସଚ୍ଚିବାଳୟରେ ପହଞ୍ଚିଯାଇଥିଲେ।
ସେଠାରେ ପହଞ୍ଚି ବୃଦ୍ଧ ସତବୀର କହିଥିଲେ, ‘ମୋର ଏକାକି ଥିବାର ପରିଚୟ ପତ୍ର ତିଆରି କରିଦିଅ ନଚେତ ବିବାହ କରାଇ ଦିଅ’।
ରେୱାଡ଼ି ଜିଲ୍ଲାର ନୂଆ ଗ୍ରାମରେ ବସବାସ କରୁଥିବା ୭୧ବର୍ଷୀୟ ସତବୀରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ସତବୀରଙ୍କ ଫେମିଲି ଆଇଡି କାର୍ଡ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ତାଙ୍କ ପୁଅ ଦିଲ୍ଲୀରେ ବସବାସ କରେ। ସ୍ତ୍ରୀର ଛଅବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଛି। ଗାଁରେ ଥିବା ଭଙ୍ଗା ଘରେ ସେ ଏକା ରହୁଛନ୍ତି। ଏକାଥିବା ହେତୁ ତାଙ୍କର ପରିବାର ପରିଚୟ ପତ୍ର ହୋଇପାରୁ ନାହିଁ।
ଏହି ଅଭିଯୋଗ ନେଇ ବୃଦ୍ଧ ସତବୀର ଆଜି ଜିଲ୍ଲା ସଚିବାଳୟରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ ଡିସି ମହମ୍ମଦ ଇମରାନ ରଜାଙ୍କୁ ଭେଟି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି।
ବୃଦ୍ଧ ସତବୀର କହିଛନ୍ତି, ଏଯାବତ ପେନସନ ବି ମିଳିନାହିଁ। ଏହି କାରଣରୁ ମୋତେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯଦି ମୋର ଏହି ସମସ୍ୟାର ସମାଧାନ ନହୁଏ ତେବେ ମୁଁ କୋର୍ଟଙ୍କ ଦ୍ବାରସ୍ଥ ହେବି।
ଏହି ଘଟଣାକୁ ନେଇ ଡିସି ଆଶ୍ବାସନା ଦେଇ କହିଛନ୍ତି, ‘ ଖୁବଶୀଘ୍ର ବୃଦ୍ଧଙ୍କ ସମସ୍ୟାର ସମାଧାନ ହେବ। କାରଣ ପ୍ରତ୍ୟେକ ନାଗରିକଙ୍କ ସରକାରୀ ଯୋଜନାର ଲାଭ ଉଠାଇବାର ଅଧିକାର ଅଛି। ’