ଚଳିତ ସେପ୍ଟେମ୍ବର ଆକାଶରେ ଅଳ୍ପ ଦୁଇ ସପ୍ତାହ ବ୍ୟବଧାନରେ ଦୁଇ ଦୁଇଟି ବିରଳ ମହାଜାଗତିକ ଘଟଣା ଦୃଶ୍ୟମାନ ହେବ। ୭ ତାରିଖରେ ସଂଘଟିତ ହେବ ପୂର୍ଣ୍ଣଗ୍ରାସ ଚନ୍ଦ୍ର ଗ୍ରହଣ। ଏ ସମୟରେ ଚନ୍ଦ୍ରମା ଉପରେ ପୃଥିବୀର ଛାଇ ୮୨ ମିନିଟ୍ ଧରି ପଡ଼ିବ। ପୁନଶ୍ଚ ୨୧ ତାରିଖ ଦିନ ହେବ ଆଂଶିକ ସୂର୍ଯ୍ୟୋପରାଗ। ଉପରୋକ୍ତ ଦୁଇ ମହାଜାଗତିକ ଘଟଣା ସ୍ମରଣ କରାଇଦିଏ ୧୯୭୩ ଜୁନ୍ ୩୦ରେ ହାତଗଣତି ଲୋକ ଦେଖିଥିବା ଦୀର୍ଘତମ ସୂର୍ଯ୍ୟୋପରାଗ କଥା, ଯାହା ୭୪ ମିନିଟ୍ ଲାଗି ଦୃଶ୍ୟମାନ ହୋଇଥିଲା।
ବାସ୍ତବରେ ସେଦିନ ସ୍ଥଳଭାଗରେ ମାତ୍ର ୭ ମିନିଟ୍ ପାଇଁ ପରାଗ ଲାଗିଥିଲା, କିନ୍ତୁ ସୂର୍ଯ୍ୟୋପରାଗ ସମୟରେ ଏକ ସୁପର୍ସୋନିକ୍ ବିମାନ ‘କନ୍କୋର୍ଡ ୦୦୧’ରେ ଯାତ୍ରା କରୁଥିବା ବୈଜ୍ଞାନିକମାନେ ରେକର୍ଡ ୭୪ ମିନିଟ୍ ଧରି ଏହାକୁ ଅବଲୋକନ କରିଥିଲେ। ସାହାରା ମରୁଭୂମି ଆକାଶରେ ପରାଗ ପଥେ ପଥେ ଘଣ୍ଟାପ୍ରତି ୨,୦୦୦ କିଲୋମିଟର୍ରୁ ଅଧିକ ବେଗରେ କନ୍କୋର୍ଡ ବିମାନ ଉଡ଼ାଇ ସେମାନେ ଚନ୍ଦ୍ରଛାୟା ଦିଗରେ ଅନୁଧାବନ କରି ଏକ ଘଣ୍ଟାରୁ ଅଧିକ ସମୟ ଧରି ସୂର୍ଯ୍ୟୋପରାଗ ଦେଖିଥିଲେ। ସେବେଠାରୁ ଏଭଳି ଉପଲବ୍ଧିର ପୁନରାବୃତ୍ତି ହୋଇନାହିଁ।
ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଅବସ୍ଥିତି ଯୋଗୁଁ ପ୍ରାକୃତିକ ଭାବେ ୭ ମିନିଟ୍ ୩୨ ସେକେଣ୍ଡ୍ରୁ ଅଧିକ ସମୟ ସୂର୍ଯ୍ୟୋପରାଗ ହେବା ସମ୍ଭବ ନୁହେଁ। ତେବେ ବୈଜ୍ଞାନିକମାନେ ଏକଦା ଏକ ସୁପରସୋନିକ୍ ବିମାନରେ ବସି ଘଣ୍ଟାଏରୁ ଅଧିକ କାଳ ଲଗାତାର ସୂର୍ଯ୍ୟୋପରାଗ ଦେଖିବାର ରେକର୍ଡ କରିଥିଲେ
ସେଦିନ ସେ ବିମାନରେ ଯାତ୍ରା କରିଥିବା ଅନ୍ୟତମ ବୈଜ୍ଞାନିକ ଡୋନାଲ୍ଡ ଲିବେନ୍ବର୍ଗ ସ୍ମରଣକରି କହନ୍ତି, ‘‘କନ୍କୋର୍ଡରେ ଆରୋହଣ କରିଥିବା ଆମ ଦଳ ୭୪ ମିନିଟ୍ ଧରି ସୂର୍ଯ୍ୟୋପରାଗ ଅବଲୋକନ କରିଥିଲେ। ସୂର୍ଯ୍ୟୋପରାଗ ମଧ୍ୟରେ ବିତାଯାଇଥିବା ଏହି ଅବଧିକୁ ଏଯାବତ୍ ଅତିକ୍ରମ କରାଯାଇ ପାରିନାହିଁ। ଅଙ୍ଗେ ନିଭାଇଥିବା ସେ ଉପଲବ୍ଧିକୁ ମୁଁ କଦାପି ଭୁଲି ପାରିବି ନାହିଁ।’’ କେତେକ ପ୍ରାକୃତିକ କାରଣ ମଧ୍ୟ ଏହି ସୂର୍ଯ୍ୟୋପରାଗକୁ ଦୀର୍ଘତମ କରାଇବାରେ ସମପରିମାଣରେ ଦାୟୀ। ସେଦିନ ପୃଥିବୀ ତା’ର କକ୍ଷପଥରେ ସବୁଠୁ ଦୂର ପ୍ରାନ୍ତରେ ଥିବାବେଳେ ଚନ୍ଦ୍ର ପୃଥିବୀର ଅତି ନିକଟରେ ଅବସ୍ଥାନ କରିଥିଲା। ଫଳରେ ଚନ୍ଦ୍ର ଅପେକ୍ଷାକୃତ ବଡ଼ ଦିଶୁଥିଲା ଏବଂ ତା’ର ଛାଇ ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଆବୋରି ପକାଇଥିଲା। ତା’ ସହିତ ଉପରାଗ ମଧ୍ୟ ବିଷୁବ ରେଖା ପଥ ଦେଇ ଚାଲିଥିଲା। ଏହା ଫଳରେ ପୃଥିବୀର ଉତ୍ତଳ ପୃଷ୍ଠରେ ଚନ୍ଦ୍ରର ଛାଇ ଅଧିକ ଦୀର୍ଘ ହୋଇଯାଇଥିଲା। ବିମାନରୁ ୭୪ ମିନିଟ୍ ସୂର୍ଯ୍ୟୋପରାଗ ଅବଲୋକନ କରିବା ଘଟଣା ଅଦ୍ୟାବଧି ଅନତିକ୍ରମ୍ୟ ହୋଇରହିଛି। ସ୍ବାଭାବିକ ଭାବେ ସମୁଦାୟ ୭ ମିନିଟ୍ ୩୨ ସେକେଣ୍ଡ୍ରୁ ଅଧିକ ସମୟ ସୂର୍ଯ୍ୟୋପରାଗ ସମ୍ଭବ ନୁହେଁ। ତେବେ ୨୧୮୬ ମସିହା ଜୁଲାଇ ୧୬ର ସୂର୍ଯ୍ୟୋପରାଗର ଅବଧି ୭ ମିନିଟ୍ ୨୯ ସେକେଣ୍ଡ୍ ହେବ ବୋଲି ଆକଳନ କରାଯାଇଛି।