ପ୍ରତାପଗଡ଼: ଉତ୍ତରପ୍ରଦେଶ ପ୍ରତାପଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରତାପଗଡ଼ ଥାନା ଅନ୍ତର୍ଗତ ପାଟହଟିୟା ଗାଁରେ ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧ ବିବାହ କରିବାକୁ ଜିଦ ଧରିଥିଲେ। ଆଉ ଏହି ଜିଦକୁ ସାକାର କରିବାକୁ ଯାଇ ସେ ଜଣେ ୪୫ ବର୍ଷୀୟା ମହିଳାଙ୍କୁ ବିବାହ କରିଛନ୍ତି। ଏହି ବିବାହ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାରେ ରହିଛି।
ସୂଚନା ଅନୁଯାୟୀ, ୭୫ ବର୍ଷ ବୟସ୍କ ଅବଧ ନାରାୟଣ ଓ ସୁବସା ଗାଁର ୪୫ବର୍ଷୀୟା ରାମରତିଙ୍କ ମଧ୍ୟରେ ଅନେକ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ଦୁହେଁ ଦୁହିଁଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ।
ତେବେ ଧୀରେଧୀରେ ଏ ସମ୍ପର୍କ ବିଷୟରେ ପରିବାର ଓ ଗାଁ ଲୋକ ଜାଣିବାକୁ ପାଇଥିଲେ। ଏହାପରେ କିଛିଲୋକ ଏସମ୍ପର୍କକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ କିଛିଲୋକ ଏହାକୁ ସମର୍ଥନ କରୁଥିଲେ। ତେବେ ଅବଧ କିନ୍ତୁ କୌଣସି ବି ପରିସ୍ଥିତିରେ ରାମରତିଙ୍କୁ ବିବାହ କରିବେ ବୋଲି ଜିଦ ଧରିଥିଲେ।
ଏହାପରେ ଅବଧ ପରିବାର ଲୋକ ବିବାହ ପାଇଁ ରାଜି ହୋଇଯାଇଥିଲେ। ସମ୍ପୂର୍ଣ ରୀତିନୀତି ଅନୁସାରେ ଅକ୍ଟୋବର ୨୬ ତାରିଖରେ ଧୂମଧାମରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଅଗ୍ନିକୁ ସାକ୍ଷୀ ରଖି ଅବଧ ନାରାୟଣ ଓ ରାମରତିଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବାହାଘରରେ ଅବଧ ନାରାୟଣଙ୍କ ପୁଅ ଓ ବୋହୂ, ନାତି ଓ ନାତୁଣୀ ଓ ଅନ୍ୟ ସମ୍ପର୍କୀୟ ମଧ୍ୟ ସାମିଲ ହୋଇଥିଲେ। ପ୍ରତାପଗଡ଼ର ବୁଢା ବରକୁ ଦେଖିବାକୁ ଗ୍ରାମବାସୀଙ୍କ ମଧ୍ୟରେ ଭିଡ ଜମିଥିଲା।