ମୁମ୍ବାଇ: ମହାରାଷ୍ଟ୍ରର କୋହ୍‌ଲାପୁରସ୍ଥିତ ଏକ ଅନାଥ ଆଶ୍ରମରେ ୭୦ ଓ ୭୫ ବର୍ଷୀୟ ବୟୋଜ୍ୟୋଷ୍ଠ ବ୍ୟକ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ଦୁଇ ଜଣ ବିବାହ କରିବା ପରେ ପରିଣତ ବୟସରେ ପରସ୍ପରଙ୍କ ପାଇଁ ସାହାରା ପାଲଟିଛନ୍ତି। ଏହି ନିଆରା ବିବାହ ଏବେ ସମଗ୍ର ଦେଶରେ ବେଶ୍‌ ଚର୍ଚ୍ଚା ହେଉଛି। ପରସ୍ପରଙ୍କୁ ଜୀବନସାଥୀ ଭାବେ ବରଣ କରିସାରିବା ପରେ ଦମ୍ପତି ବେଶ୍‌ ଆନନ୍ଦିତ ଥିବା ଜଣା ପଡୁଛନ୍ତି। ସେମାନେ କହିଛନ୍ତି ଯେ ଦୁହେଁ ଦୁହିଁଙ୍କ ସାହାରା ବନିବାକୁ ଏହି ବିବାହ କରିଛନ୍ତି।

Advertisment

ସୂଚନାନୁସାରେ, ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ସିରୋଲ ତହସିଲ୍‌ର ଘୋସରବାଡ଼‌ରେ ‘ଜାନକୀ’ ନାମରେ ଏକ ବୃଦ୍ଧାଶ୍ରମ ରହିଛି। ଏହି ଆଶ୍ରମରେ ୭୫ ବର୍ଷୀୟ ବାବୁରାଓ ପାଟିଲ୍‌ ଓ ୭୦ ବର୍ଷୀୟା ଅନସୂୟା ସିନ୍ଧେ ୨ ବର୍ଷ ହେବ ରହୁଛନ୍ତି। ବାବୁରାଓଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନସୂୟାଙ୍କ ସ୍ବାମୀଙ୍କର ବି ପରଲୋକ ହୋଇସାରିଛି।

ଏହି ଦୁଇ ଜଣ ଆଶ୍ରମରେ ପରସ୍ପରଙ୍କ ସାହାରା ବନି ରହୁଥିଲେ। କିଛିଦିନ ତଳେ ବାବୁରାଓ ପାଟିଲ ଅନସୂୟାଙ୍କୁ ବିବାହ ପାଇଁ ପ୍ରସ୍ଥାବ ଦେଇଥିଲେ। ସେ ସମୟରେ ସେ ବିବାହ ପାଇଁ ମନା କରି ଦେଇଥିଲେ। ମାତ୍ର ୮ ଦିନ ଛାଡ଼ି ସେ ବାବୁରାଓଙ୍କୁ ହଁ କହିଥିଲେ।

ଯେବେ ଏହି ଦୁଇ ଜଣଙ୍କ କଥା ଆଶ୍ରମର ପରିଚାଳକଙ୍କୁ ଜଣାପଡ଼ିଲା ତ ସେ ଆଇନ୍‌ ଅନୁଯାୟୀ ଦୁଇ ବୟୋଜ୍ୟୋଷ୍ଠଙ୍କ ବିବାହ କରାଇ ଦେଇଛନ୍ତି। ଏହି ବିବାହକୁ ବିଭିନ୍ନ ମହଲରେ ଗ୍ରହଣୀୟତ‌ା ମିଳିଛି।