ନୂଆଦିଲ୍ଲୀ: ପୂର୍ବ ମିଜୋରମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧ ପାଠପଢ଼ିବା ପାଇଁ ୩କିମିରୁ ଅଧିକ ବାଟ ପାଦରେ ଚାଲିଚାଲି ପ୍ରତିଦିନ ସ୍କୁଲ ଆସିଥାଆନ୍ତି। ଏହି ବୃଦ୍ଧ ଛାତ୍ରଙ୍କ ନାମ ହେଉଛି ଲାଲରିଙ୍ଗଥାରା ଓ ବୟସ ୭୮ବର୍ଷ।
ଲାଲରିଙ୍ଗଥାରାଙ୍କ ପାଠପଢ଼ିବା କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସେ ଏବେ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଲାଲରିଙ୍ଗଥାରା ମିଜୋରମର ଚମଫାଇ ଜିଲ୍ଲାର ହୁଆଇକୋନ ଗ୍ରାମରେ ବସବାସ କରନ୍ତି। ଲାଲରିଙ୍ଗଥାରା ନିକଟରେ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ(ଆରଏମଏସଏ) ହାଇସ୍କୁଲରେ ୯ମ ଶ୍ରେଣୀରେ ପାଠପଢ଼ିବା ପାଇଁ ନାମ ଲେଖାଇଛନ୍ତି।
୭୮ବର୍ଷ ବୟସରେ ପାଠପଢ଼ିବାକୁ ନେଇ ଲାଲରିଙ୍ଗଥାରା କହନ୍ତି, ‘ ମୋର ପାଠପଢ଼ିବା ପ୍ରତି ପିଲାଟି ଦିନରୁ ଦୁର୍ବଳତା ରହିଛି। ବିଶେଷ କରି ଇଂରାଜୀ ଶିଖିବା ପାଇଁ ମୋର ବହୁତ ଇଚ୍ଛା। କିନ୍ତୁ ବାପାଙ୍କ ମୃତ୍ୟୁ ପରେ ମୋତେ ଦ୍ବିତୀୟ ଶ୍ରେଣୀରୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା।
କାରଣ ବାପାଙ୍କ ମୃତ୍ୟୁ ପରେ ମା’ ଏକା ହୋଇଯାଇଥିଲେ। ବାପା-ମା’ ମିଶି ଚାଷ ଜମିରେ କାମ କରୁଥିଲେ। ବାପାଙ୍କ ମୃତ୍ୟୁ ପରେ ମା’ ଏକା ଏହି କାମ ପାରି ନଥିଲେ। ମୁଁ ବାପା ଓ ମା’ଙ୍କ ଗୋଟିଏ ପୁଅ ଥିବାରୁ ମା’ଙ୍କୁ ସାହାଯ୍ୟ କରିବା ପାଇଁ ମୋର ପାଠପଢ଼ାରେ ଡୋରି ବାନ୍ଧି ଦେଇଥିଲି। ଦୀର୍ଘବର୍ଷ ପରେ ମୁଁ ଏବେ ପାଠପଢ଼ିବାକୁ ଚିନ୍ତା କରିଛି। ଇଂରାଜୀ ଭାଷାରେ ମୋର ଜ୍ଞାନ ବଢ଼ାଇବାକୁ ମୁଁ ପୁଣି ପାଠପଢ଼ିବା ପାଇଁ ସ୍କୁଲରେ ନାମ ଲେଖାଇଛି। ଆଉ ପ୍ରତିଦିନ ସ୍କୁଲ ଯାଉଛି।’