ପଞ୍ଜାବ: ପଞ୍ଜାବ ବଡ଼ ବନ୍ୟାର ସମ୍ମୁଖୀନ ହୋଇଛି। ରାଜ୍ୟରେ ବନ୍ୟା ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବେଳେ ୧୯୦୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ସତଲେଜ ନଦୀର ପ୍ରଖର ସୁଅ ଯୋଗୁ ଲୁଧିଆନା ଜିଲ୍ଲାର ପୂର୍ବ ଅଂଚଳରେ ବାକ୍ରା ନଦୀବନ୍ଧ ପ୍ରବଳ ଚାପରେ ଥିବାରୁ ଲୁଧିଆନା ଜିଲ୍ଲା ପ୍ରଶାସନ ହାଇ ଆଲର୍ଟ ଜାରି କରିଛି। ଏଭଳି ସମୟରେ ସରକାରଙ୍କ ସମେତ ରାଜନେତାଙ୍କ ଠାରୁ ଆରମ୍ଭ କରି କଳାକାର ଓ ସାଧାରଣଲୋକ ବି ବନ୍ୟା ପୀଡ଼ିତଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।

Advertisment

ବନ୍ୟା ପୀଡ଼ିତଙ୍କ ଦୁଃଖ ଦେଖି ସହି ପାରି ନାହାନ୍ତି ହରିୟାଣାର ମେୱାଟ ଜିଲ୍ଲାର ତିଲକପୁରୀ ଗାଁରେ ବସବାସ କରୁଥିବା ୮୦ ବର୍ଷୀୟା ରହିମି।
ରହିମି ଗରିବ ଝିଅର ବାହାଘରରେ ଦେବା ପାଇଁ ସାଇତି ରଖିଥିବା ରୁପାର ଚୁଡ଼ିକୁ ଦାନ କରି ଦେଇଛନ୍ତି। ଯେତେବେଳେ ପଞ୍ଜାବ ବନ୍ୟା ପାଇଁ ରିଲିଫ୍ ସାମଗ୍ରୀ ସଂଗ୍ରହ କରାଯାଉଥିଲା ସେ ତାଙ୍କ ହାତରୁ ରୁପାର ଚୁଡ଼ି ଖୋଲି ଦାନ କରି ଦେଇଥିଲେ।

ଏହି ଘଟଣାକୁ ନେଇ ରହିମି କୁହନ୍ତି, "ମୁଁ ମରିବା ପୂର୍ବରୁ ମୋର ଏହି ରୁପା ଚୁଡ଼ିକୁ ଜଣେ ଗରିବ ଝିଅକୁ ଦାନ କରିବାକୁ ଚାହୁଁଥିଲି। କିନ୍ତୁ ଆଜି ପଞ୍ଜାବରେ ଆମର ଲୋକମାନେ ସାହାଯ୍ୟ ଆବଶ୍ୟକ କରୁଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କର ଛୋଟ ସାହାଯ୍ୟ ବି ବନ୍ୟା ପୀଡ଼ିତଙ୍କ ଜୀବନ ରକ୍ଷା କରି ପାରିବ। ତେଣୁ ମୋର ଏହି ଅଳଙ୍କାରର କୌଣସି ଆବଶ୍ୟକ ନାହିଁ। ଆମେ ୧୯୯୬ ବନ୍ୟାର ସମ୍ମୁଖୀନ ହୋଇଛୁ, ତେଣୁ ମୁଁ ପଞ୍ଜାବ ଲୋକଙ୍କ ଯନ୍ତ୍ରଣା ବୁଝିପାରୁଛି।"

କେବଳ ରହିମି ଏକା ନୁହଁନ୍ତି ସୋହନା ବ୍ଲକର ନୁନେହରା ଗାଁର ୭୦ ଏବଂ ୮୦ ଦଶକର ବୃଦ୍ଧାମହିଳାମାନେ ବନ୍ୟା ପୀଡ଼ିତଙ୍କ ସାହାଯ୍ୟ ପାଇଁ ଏପର୍ଯ୍ୟନ୍ତ ପ୍ରାୟ ୨ କିଲୋ ରୂପା ଏବଂ ୨୦ ଗ୍ରାମ ସୁନା (ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର) ପଞ୍ଜାବକୁ ଦାନ କରିଛନ୍ତି।ଅଳଙ୍କାର ବ୍ୟତୀତ ଏହି ମହିଳାମାନେ ସେମାନଙ୍କର ପେନସନ ଏବଂ ସଞ୍ଚୟ ମଧ୍ୟ ଦାନ କରିଛନ୍ତି।