ବାର୍ବି ଭଳି ଦିଶିବାକୁ ୮୨ ଲକ୍ଷ ଖର୍ଚ୍ଚ

ଅନେକ କଳ୍ପନାବିଳାସୀ ଝିଅ ବାଲ୍ୟାବସ୍ଥାରେ ‘ବାର୍ବି’ କଣ୍ଢେଇ ପରି ଦେଖାଯିବା ଲାଗି ସ୍ବପ୍ନ ଦେଖିଥା’ନ୍ତି। ତେବେ ବଡ଼ ହେଲା ପରେ ସେମାନଙ୍କ ମନରୁ ‘ବାର୍ବି’ର ମାୟା ଅପସରି ଯାଇଥାଏ। ମାତ୍ର ଅଷ୍ଟ୍ରେଲିଆର ଜଣେ ଯୁବତୀ ବାସ୍ତବ ଜୀବନରେ ବାର୍ବି ରାଜକୁମାରୀ ପରି ଦେଖାଯିବା ପାଇଁ ଲକ୍ଷେ ଡଲାର ବା ପ୍ରାୟ ସାଢ଼େ ୮୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି। ଅଷ୍ଟ୍ରେଲିଆର କ୍ବିନ୍‌ସଲାଣ୍ଡରେ ରହୁଥିବା ୨୫ ବର୍ଷୀୟା ଜାଜ୍‌ମିନ୍‌ ଫରେଷ୍ଟ ନିଜକୁ ବାର୍ବି ରୂପରେ ଆବିଷ୍କାର କରିବା ପାଇଁ ଶରୀରରେ ଏକାଧିକ ପ୍ଲାଷ୍ଟିକ ସର୍ଜରି ଓ କସ୍ମେଟିକ୍ ସର୍ଜରି କରି ଚାଲିଛନ୍ତି।

ସୂଚନାନୁୟାୟୀ, ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା, ସେ ନିଜର ବକ୍ଷୋଜ ଆକାର ବଢ଼ାଇବା ଲାଗି ପ୍ରଥମ ପ୍ଲାଷ୍ଟିକ ସର୍ଜରି କରାଇଥିଲେ। ସେହିପରି ନିଜର ଓଠ ଓ ଚିବୁକକୁ ମଧ୍ୟ ବାର୍ବି ଅନୁରୂପ କରିବା ପାଇଁ ସେ ଅସ୍ତ୍ରୋପଚାର କରାଇଥିଲେ। ପର୍ଯ୍ୟାୟକ୍ରମେ ନାକ ଓ ଗାଲକୁ ଅଧିକ ମାଂସଳ କରିବାକୁ ସେ କସ୍ମେଟିକ୍‌ ସର୍ଜରି କରିବା ସହ ନିୟମିତ ବୋଟକ୍ସ ଇଞ୍ଜେକ୍‌ସନ ନେଉଛନ୍ତି। ଏଥି ସହିତ ପେଟ, କାନ୍ଧ, ଜାନୁ ଓ ନିତମ୍ବକୁ ଆକର୍ଷକ କରିବା ଲାଗି ଆବଶ୍ୟକ ଅସ୍ତ୍ରୋପଚାର କରାଇଛନ୍ତି। ଚଳିତବର୍ଷ ସେ ମଧ୍ୟ ଦକ୍ଷିଣ କୋରିଆ ଯାଇ ନିଜର କପାଳକୁ ସଂକୁଚିତ କରାଇ ବାର୍ବିର ଗଢ଼ଣ ଆଣିଥିଲେ। ଏତେ ଅସ୍ତ୍ରୋପଚାର ସତ୍ତ୍ବେ ସେ ତାଙ୍କ ରୂପରେ ସନ୍ତୁଷ୍ଟ ନାହାନ୍ତି। ତେଣୁ ତାଙ୍କର ଆହୁରି ଅନେକ ଅସ୍ତ୍ରୋପଚାର କରିବାର ଅଛି ବୋଲି ଜାଜମିନ୍‌ କହିଛନ୍ତି। ବାର୍ବି ରାଜକୁମାରୀ ହେବାର ଅଭିଳାଷ ଓ ସେଥି ଲାଗି କରାଇଥିବା ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ସମ୍ପର୍କରେ ଗଣମାଧ୍ୟମରେ ଖୋଲାଖୋଲି ଆଲୋଚନା କରିବାକୁ ସେ ଭାରୀ ତତ୍ପର।

ସମ୍ବନ୍ଧିତ ଖବର