ନୂଆଦିଲ୍ଲୀ: କଥାରେ ଅଛି ‘ବିଦ୍ୟା ଦାନ ମହା ପୁଣ୍ୟ’। ଏପରି ଏକ ପୁଣ୍ୟ କରି ଏବେ ଚର୍ଚ୍ଚା ପାଲଟିଛନ୍ତି ବେଙ୍ଗାଲୁରୁର ୮୨ ବର୍ଷୀୟ ବଦ୍ରିନାଥ ଓ ତାଙ୍କ ୭୨ ବର୍ଷୀୟା ପତ୍ନୀ ଇନ୍ଦିରା। ଅବସରପ୍ରାପ୍ତ ସିଭିଲ୍ ଇଞ୍ଜିନିୟର ବଦ୍ରିନାଥ ଓ ତାଙ୍କ ପତ୍ନୀ ମିଶି ଅନ୍ଲାଇନ୍ରେ ୧୭୦ ପିଲାଙ୍କୁ ପାଠ ପଢ଼ାଇ ଚର୍ଚ୍ଚା ପାଲଟିଛନ୍ତି। ଛଅ ବର୍ଷ ପୂର୍ବେ ବଦ୍ରିନାଥ ଯେତେବେଳେ ଜାଣିବାକୁ ପାଇଲେ କି ତାଙ୍କ ଗୃହ ସହାୟିକାଙ୍କ ଝିଅକୁ ପାଠ ପଢ଼ିବା ପାଇଁ ସହାୟତାର ଆବଶ୍ୟକତା ଅଛି ସେ ସେବେଠାରୁ ହିଁ ମାଗଣାରେ ଶିକ୍ଷାଦାନ କରିବା ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ସହାୟିକାଙ୍କୁ ଆର୍ଥିକ ସହାୟତା କରିବା ପରିବର୍ତ୍ତେ ତାଙ୍କ ଝିଅକୁ ମାଗଣାରେ ପାଠ ପଢ଼ାଇବା ପାଇଁ ଚିନ୍ତା କରିଥିଲେ। ସେହିଦିନରୁ ହିଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବାର ଆଗ୍ରହ ଜାଗ୍ରତ ହୋଇଥିଲା। ବଦ୍ରିନାଥ କୁହନ୍ତି କି ତାଙ୍କର ସେଦିନର ସେ ଛୋଟିଆ ଚେଷ୍ଟା ଦିନେ ଅନେକ ପିଲାଙ୍କୁ ମାଗଣାରେ ଟିଉସନ୍ ଯୋଗାଇ ଦେବ ବୋଲି ସେ କେବେ କଳ୍ପନା କରିନଥିଲେ।
ବଦ୍ରିନାଥ ଓ ଇନ୍ଦିରା ମିଶି ତାଙ୍କ ଗୃହ ସହାୟିକାଙ୍କ ଝିଅ ସହ ଅନ୍ୟ ଜଣେ ପିଲାକୁ ମଧ୍ୟ ପାଠ ପଢ଼ାଇବାରେ ଲାଗିଲେ। ୨୦୧୪ ମସିହାରେ କିଛି ପଡ଼ୋଶୀ ସେମାନଙ୍କୁ ନିଜ ପିଲାଙ୍କୁ ପାଠ ପଢ଼ାଇବାରୁ ଅନୁରୋଧ କରିବାରୁ ବଦ୍ରିନାଥ ଓ ଇନ୍ଦିରାଙ୍କ ମାଗଣା ଟିଉସନ୍ ୨ ଜଣରୁ ୮ ଜଣଙ୍କୁ ବୃଦ୍ଧି ପାଇଥିଲା। ପାଠ ପଢ଼ିବାର ଆଗ୍ରହ ରଖୁଥିବା ଗରିବ ପିଲାମାନଙ୍କୁ ଏହି ଦମ୍ପତି ମାଗଣାରେ ଶିକ୍ଷା ଯୋଗାଇ ଆସୁଥିଲେ।
ଚଳିତବର୍ଷ ମହାମାରୀ କରୋନା ଭାଇରସ୍ ପାଇଁ ଲକ୍ଡାଉନ୍ ଘୋଷଣା ହେବା ପରେ ସେମାନେ ପିଲାଙ୍କୁ ଅନ୍ଲାଇନ୍ ଯୋଗେ ପାଠ ପଢ଼ାଇବା ଆରମ୍ଭ କଲେ। ଧୀରେ ଧୀରେ ଏହି କଥା ଚାରିଆଡ଼େ ପ୍ରଘଟ ହୋଇଗଲା। ଏପରିକି ସ୍ଥାନୀୟ ଖବରକାଗଜରେ ଏହି ଉଦାର ଦମ୍ପତିଙ୍କ ବିଷୟରେ ଖବର ପ୍ରକାଶ ପାଇଲା। ଏହି କଥା ଧୀରେ ଧୀରେ ପୂରା କର୍ଣ୍ଣାଟକରେ ବ୍ୟାପିଯିବା ପରେ ଅନେକ ଅବିଭାବକ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ବଦ୍ରିନାଥ ଓ ଇନ୍ଦିରାକୁ ଅନୁରୋଧ କଲେ। ୮ ଜଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ି ଏବେ ୧୭୦ ଜଣରେ ପହଞ୍ଚିଛି। ଏତେ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇ ଏବେ ବେଶ୍ ପ୍ରଶଂସା ସାଉଁଟୁଛନ୍ତି ବଦ୍ରିନାଥ ଓ ପତ୍ନୀ ଇନ୍ଦିରା।