ନୂଆଦିଲ୍ଲୀ: ଭଲ ପ୍ରବାଭ ପକାଉଥିବାରୁ କରୋନା ଟିକାର ୧୧ଟି ଡୋଜ ନେଲେ ୮୪ବର୍ଷୀୟ ବୃଦ୍ଧ। ଏହି ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଘଟଣାଟି ବିହାରରେ ଘଟିଥିବା ବେଳେ ବୃଦ୍ଧଜଣକ ୧୨ନମ୍ବର ଡୋଜ ନେବାକୁ ଯାଉଥିବା ବେଳେ ଧରାପଡ଼ିଥିବା ଜଣାପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ବୃଦ୍ଧ କିଭଳି କରୋନା ଟିକାର ୧୧ଟି ଡୋଜ ନେଲେ ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ବୃଦ୍ଧଙ୍କ ବ୍ରହ୍ମଦେବ ମଣ୍ଡଳ ବୋଲି ଜଣାପଡ଼ିଥିବା ବେଳେ ସେ ଓରାଇ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି।
ମାଧେପୁରା ଜିଲ୍ଲାର ସିଭିଲ୍ ସର୍ଜନ ବର୍ତ୍ତମାନ କହିଛନ୍ତି ଯେ ବୃଦ୍ଧ କିପରି ଏତେ ମାତ୍ରାରେ ଡୋଜ ନେଇଛନ୍ତି ତାହା ଜାଣିବା ପାଇଁ ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ। ଏବିଷୟରେ ବ୍ରହ୍ମଦେବଙ୍କକୁ ପଚରାଯିବା ପରେ ସେ କହିଥିଲେ ଯେ, କରୋନା ଟିକା ନେବା ପରେ ମୋତେ ଏକାଧିକ ଲାଭ ମିଳିବାରୁ ମୁଁ ଦ୍ବିତୀୟ ଡୋଜ ପରେ ଅଟକି ନଥିଲି। ଏହାକୁ ବାରମ୍ବାର ବାରମ୍ବାର ନେଇ ମୁଁ ସୁସ୍ଥ ରହିବାକୁ ଚାହୁଁଥିଲି।
ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ବ୍ରହ୍ମଦେବ କହିଛନ୍ତି ଯେ, ସେ ଗତ ବର୍ଷ ଫେବ୍ରୁଆରି ୧୩ରେ ତାଙ୍କର ପ୍ରଥମ ଟିକା ନେଇଥିଲେ। ଏହା ପରେ ଫେବ୍ରୁଆରି ୧୩ରୁ ଡିସେମ୍ବର ୩୦ ମଧ୍ୟରେ ସେ ଏକ ଜନସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକାର ୧୧ଟି ଡୋଜ ନେଇଥିଲେ। ଏହା ସହ ଟିକା ନେବାର ସ୍ଥାନ, ତାରିଖ ଏବଂ ସମୟକୁ ମଧ୍ୟ ସେ ଲେଖି ରଖିଥିଲେ।

ତାଙ୍କ ଲେଖା ଅନୁଯାୟୀ,
ପ୍ରଥମ ଡୋଜ: ଫେବ୍ରୁଆରି ୧୩, ପୁରୁଣା ପିଏଚସିରେ।
ଦ୍ୱିତୀୟ ଡୋଜ୍: ମାର୍ଚ୍ଚ ୧୩, ପୁନର୍ବାର ପୁରୁଣାପିଏଚସିରେ।
ତୃତୀୟ ଡୋଜ: ମେ ୧୯, ଓରାଇ ଉପ-ସ୍ୱାସ୍ଥ୍ୟକେନ୍ଦ୍ରରେ।
ଚତୁର୍ଥ ଡୋଜ: ଜୁନ୍ ୧୬, ଏକ ଶିବିରରେ।
ପଞ୍ଚମ ଡୋଜ: ଜୁଲାଇ ୨୪, ବାଡି ହାଟ ସ୍କୁଲ ଶିବିରରେ।
ଷଷ୍ଠ ଡୋଜ: ଅଗଷ୍ଟ ୩୧, ନାଥବାବା ଶିବିରରେ।
ସପ୍ତମ ଡୋଜ: ସେପ୍ଟେମ୍ବର ୧୧, ପୁନର୍ବାର ବାଡି ହାଟ ସ୍କୁଲ ଶିବିରରେ।
ଅଷ୍ଟମ ଡୋଜ: ସେପ୍ଟେମ୍ବର ୨୨, ବାଡି ହାଟ ସ୍କୁଲରେ।
ନବମ ଡୋଜ: ସେପ୍ଟେମ୍ବର ୨୪, କଲାସାନର ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ।
ଦଶମ ଡୋଜ: ଖାଗରିଆ ଜିଲ୍ଲାର ପାର୍ବଟ୍ଟାରେ।
ଏକାଦଶ ଡୋଜ: ଭାଗଲପୁରର କାହଲଗାଓଁରେ।