ନୂଆଦିଲ୍ଲୀ: ମାଆର ସମ୍ପର୍କ ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପର୍କ। ତାର ସ୍ନେହ, ଶ୍ରଦ୍ଧା ଭଲ ପାଇବା ହେଉଛି ଅମୂଲ ମୂଲ। ଯାହାକୁ କାହାରି ସହିତ ତୁଳନା କରାଯାଇ ପାରିବ ନାହିଁ। 

Advertisment

ମା’ କେବଳ ସନ୍ତାନକୁ ଜନ୍ମ ଦିଏ ନାହିଁ ବରଂ ଆବଶ୍ୟକ ପଡ଼ିଲେ ସେ ତାର ପିଲାମାନଙ୍କ ପାଇଁ ଜୀବନ ଦେବାକୁ ପଛାଇ ନଥାଏ। ଏପରି ଏକ ଅନନ୍ୟ ଉଦାହରଣ  ଜୟପୁର ନିକଟସ୍ଥ ଭରତପୁରରେ ଦେଖିବାକୁ ମିଳିଛି। ଏଠାରେ ବସବାସ କରୁଥିବା ୮୫ ବର୍ଷୀୟା ବୃଦ୍ଧୋ ଦେବୀ ତାଙ୍କ ଝିଅ ଗୁଡ୍ଡି ଦେବୀ (୫୦)କୁ କିଡନି ଦାନ କରି ଜୀବନ ବଞ୍ଚାଇ ଦେଇଛନ୍ତି। ଏହି ଘଟଣାପରେ ପରିବାରଲୋକେ କହୁଛନ୍ତି,‘ ବୃଦ୍ଧୋ ଦେବୀ ଗୁଡ୍ଡିଙ୍କୁ ଥରେ ନୁହେଁ ଦୁଇଥର ଜନ୍ମ ଦେଇଛନ୍ତି।’ 

ଗୁଡ୍ଡି ଦେବୀ ଗତ କିଛି ବର୍ଷ ଧରି କ୍ରନିକ୍ କିଡନି ରୋଗରେ ପୀଡିତ ଥିଲେ। ତାଙ୍କର ଦୁଇଟି କିଡନୀ ଧୀରେ ଧୀରେ କାମ କରିବା ବନ୍ଦ କରି ଦେଉଥିଲା। ପ୍ରତି ତୃତୀୟ ଦିନରେ ଡାଏଲିସିସ୍ ପାଇଁ ହସ୍ପିଟାଲକୁ ଯିବାକୁ ପଡ଼ୁଥିଲା। ଚିକିତ୍ସା ସମୟରେ ଡାକ୍ତରମାନେ ଗୁଡ୍ଡିଙ୍କ ପରିବାରଲୋକଙ୍କୁ ସ୍ପଷ୍ଟ ଭାବେ କହିଥିଲେ କି ରୋଗୀଙ୍କ ଯଦି କିଡନି ପ୍ରତିରୋପଣ ନହୁଏ, ତେବେ ତାଙ୍କ ଜୀବନ ବିପଦରେ ପଡ଼ିପାରେ। 

ଏହାପରେ ଗୁଡ୍ଡିଙ୍କ ପରିବାରଲୋକ କିଡନି ଦାତାଙ୍କୁ ଖୋଜିଥିଲେ। କିନ୍ତୁ ବିଶ୍ବାସଯୋଗ୍ୟ କିଡନି ଦାତାଙ୍କୁ ପାଇ ପାରି ନଥିଲେ। ଶେଷରେ ମା’ ଝିଅର ଜୀବନ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଥିଲେ।  କିଡନି ଦାନ ପାଇଁ ଡାକ୍ତରଙ୍କ ସହିତ କଥା ହୋଇଥିଲେ।

ବୃଦ୍ଧୋଙ୍କ ବୟସ ଦେଖି ଡାକ୍ତରମାନେ ମା’ଙ୍କ ଏ ପ୍ରସ୍ତାବରେ ପ୍ରଥମେ ସଂକୋଚ କରିଥିଲେ। କାରଣ ଏଭଳି ପରିଣତ ବୟସରେ କିଡନି ଦାନ କରିବା ବୃଦ୍ଧାଙ୍କ ଜୀବନ ପ୍ରତି ବିପଦପୂର୍ଣ୍ଣ ଥିଲା। କିନ୍ତୁ ବୁଦ୍ଧୋ ଦେବୀ ନି‌ଜେ ଦୃଢ଼ ରହିବା ସହିତ ସମସ୍ତଙ୍କୁ ସାହସ ଦେଇଥିଲେ। ଝିଅକୁ କିଡନି ଦାନ ପାଇଁ ଥିବା ସମସ୍ତ ପ୍ରକ୍ରିୟାକୁ ସେ ଦମ୍ଭର ସହ ସାମ୍ନା କରିଥିଲେ। ଯେଉଁଥିପାଇଁ ଆଜି ତାଙ୍କ ଝିଅ ଗୁଡ୍ଡି ଏକ ନୂଆ ଜୀବନ ପାଇ ପାରିଛି।