ରାୟବରେଲି: ଯେଉଁ ସମାଜରେ ଯୁବକମାନେ ଭିକ୍ଷାବୃତ୍ତି କରି ସମାଜ ପାଇଁ ନିନ୍ଦାର ପାତ୍ର ପାଲଟୁଛନ୍ତି, ସେହି ସମାଜରେ ପରିଣତ ବୟସରେ ବି ପରିଶ୍ରମ କରି ନିଜ ଖର୍ଚ୍ଚ ନିଜେ ତୁଲାଇ ଉଦାହରଣ ପାଲଟିଛନ୍ତି ରାୟବରେଲିର ୯୮ ବର୍ଷୀୟ ଜଣେ ବୃଦ୍ଧ। ଏହି ସ୍ବାବଲମ୍ବୀ ବରିଷ୍ଠ ନାଗରିକ ଜଣକ ରାସ୍ତା କଡ଼ରେ ‘ଚଣା’ ବିକ୍ରି କରି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ରିପୋର୍ଟରୁ ଜାଣିବାକୁ ମିଳିଛି କି ଏହି ବୟସ୍କ ବ୍ୟକ୍ତିଙ୍କ ନାମ ବିଜୟ ପଲ୍ ସିଂହ। ନିଜ ପିଲାମାନଙ୍କ ଉପରେ ବୋଝ ନ ହୋଇ ଜୀବନର ଶେଷ ସମୟରେ ବି ନିଜ ପେଟ ଖଣ୍ଡକର ଦାୟିତ୍ବ ନିଜ ମୁଣ୍ଡରେ ବୋହିଛନ୍ତି ଏହି ଆଦର୍ଶ ବ୍ୟକ୍ତି।
ନିକଟରେ ବିଜୟ ରାସ୍ତାରେ ‘ଚଣା’ ବିକ୍ରି କରୁଥିବା ବେଳେ ଜିଲ୍ଳାପାଳ ବୈଭବ ଶ୍ରୀବାସ୍ତବଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଜିଲ୍ଲାପାଳ ବୃଦ୍ଧ ଜଣଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ ତୁରନ୍ତ ତାଙ୍କ ନିକଟକୁ ଧାଇଁ ଆସିଥିଲେ। ଖାଲି ଧାଇଁ ଆସି ନଥିଲେ, ବରଂ ଜିଲ୍ଲାପାଳ ପରଦିନ ତାଙ୍କ ଅଫିସ୍କୁ ଡକାଇ ସମ୍ମାନିତ କରିବା ସହ ତାଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ଜିଲ୍ଳାପାଳ ବିଜୟଙ୍କୁ ଏକ ସାଲ୍ ଦେଇ ସମ୍ମାନିତ କରିବା ସହ ନଗଦ ୧୧ ହଜାର ଟଙ୍କା ଓ ରାସନ କାର୍ଡ ମଧ୍ୟ ଦେଇଛନ୍ତି। ‘ବାବା’ ନାମରେ ବିଶେଷ ପରିଚିତ ବିଜୟ ସମ୍ମାନିତ ହେବା ପରେ ଜିଲ୍ଲାପାଳଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି।
ବିଜୟ ପଲ୍ ସିଂହ ରାୟବରେଲିର ହରଚାନ୍ଦପୁର ସହରରେ ରହନ୍ତି। ତାଙ୍କର ଦୁଇ ଦୁଇ ଜଣ ରୋଜଗାରିଆ ପୁଅ ଅଛନ୍ତି। ନିଜ ପିଲାମାନଙ୍କ ଉପରେ ବୋଝ ନବନିବାକୁ ‘ଚଣା’ ବେପାରକୁ ଆଦରି ନେଇଛନ୍ତି ବିଜୟ।