କରୋନାକୁ ଡରନା : କୋଭିଡ୍‌-୧୯କୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଲା ମାତ୍ର ୯୮୦ ଗ୍ରାମ୍‌ ଓଜନର ନବଜାତକ

ବେଙ୍ଗାଲୁର: କରୋନା ଭାଇରସ୍‌ ପାଇଁ ଆପଣଙ୍କ ମନରେ ଯେଉଁ ଭୟ ରହିଛି ତାହାକୁ ଧୀରେ ଧୀରେ କାଢ଼ିଦିଅନ୍ତୁ। ନିକଟରେ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି, ଯାହା ପ୍ରମାଣ କରୁଛି ଯେ କରୋନା ଆଉ ଏକ ମହାମାରୀ ହୋଇ ନାହିଁ। ଶିଶୁଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ଭାଇରସ୍‌କୁ ପରାଜିତ କରି ସୁସ୍ଥ ହୋଇପାରୁଛନ୍ତି। ତାହାର ଏକ ସଦ୍ୟ ଉଦାହରଣ ହେଉଛି ବେଙ୍ଗାଲୁରର ଏକ ଅପରିପକ୍ବ ଅବସ୍ଥାରେ ଜନ୍ମିତ ଶିଶୁ କନ୍ୟା। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଜନ୍ମଲାଭ କରିଥିବା ୯୮୦ ଗ୍ରାମ୍‌ର ଶିଶୁ କନ୍ୟାଟି ଜନ୍ମ ହେବା ପରେ ପରେ ହିଁ କରୋନା ପଜିଟିଭ୍‌ ଜଣାପଡ଼ିଥିଲା। ଏହି ଘଟଣାରେ ଘର ଲୋକେ ପୂରା ଭାଙ୍ଗି ପଡ଼ିଥିଲେ। ମାତ୍ର ଏହା କୌଣସି ଚମତ୍କାର କହିଲେ ଭୁଲ୍‌ ହେବ ନାହିଁ ଯେ ଶିଶୁଟି ଚିକିତ୍ସିତ ହୋଇ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛି। ମଙ୍ଗଳବାର ତାକୁ ଡିସଚାର୍ଜ କରାଯାଇଛି।

ଜାଣିବାକୁ ମିଳିଛି ଯେ ଶିଶୁଟିକୁ ଏକ ଘରୋଇ ଡାକ୍ତରଖାନାରେ ପ୍ରସବ କରାଯାଇଥିଲା। ନବଜାତକର ଓଜନର ୨.୮ କିଲୋଗ୍ରାମରୁ ୨.୯ କିଲୋଗ୍ରାମ୍‌ ମଧ୍ୟରେ ରହିଲେ ସୁସ୍ଥ ପିଲା ବୋଲି ମନା ଯାଉଥିବା ବେଳେ ମାତ୍ର ୯୮୦ ଗ୍ରାମର ଏହି ଶିଶୁଟି ନିହାତି କମ୍‌ ଓଜନର ହୋଇଥିଲା। ସେଥିରେ ପୁଣି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପରିବାର ଲୋକଙ୍କ ଚିନ୍ତା ଆହୁରି ବଢ଼ି ଯାଇଥିଲା। ଶିଶୁଟିକୁ ଜନ୍ମ ପରେ ସ୍ଥାନୀୟ ଭାନି ଭିଲ୍ଲାର ହସ୍ପିଟାଲରେ ପୃଥକ ଭାବେ ରଖାଯାଇଥିଲା। ପାଞ୍ଚ ଦିନ ପରେ ନବଜାତକର ରିପୋର୍ଟରୁ କରୋନା ପଜିଟିଭ୍‌ ଆସିବା ପରେ ତାକୁ ଭିକ୍ଟୋରିଆ ହସ୍ପିଟାଲ୍‌ର ଟ୍ରମା କେୟାର ସେଣ୍ଟରକୁ ନିଆଯାଇଥିଲା। ସେଠାରେ ଶିଶୁଟିର ଉପଯୁକ୍ତ ଯତ୍ନ ନିଆଯାଇଥିଲା। ସେ କରୋନା ନେଗେଟିଭ୍‌‌ ‌ହେବା ପରେ ତାକୁ ଭାନି ଭିଲ୍ଲାର ନିଓନାଟାଲ୍ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର