ଦିନେ ନା ଦିନେ ବିଶ୍ବର ପ୍ରମୁଖ ଦେଶଗୁଡ଼ିକୁ ଭ୍ରମଣ କରିବାର ସ୍ବପ୍ନ ଭ୍ରମଣପ୍ରେମୀମାନଙ୍କର ମନରେ ଉଙ୍କି ମାରୁଥାଏ। ବର୍ଷ ସାରା ଛୁଟି ପାଇବା ପାଇଁ ସଂଘର୍ଷ କରୁଥିବା ବୟସ୍କମାନଙ୍କ କ୍ଷେତ୍ରରେ ଯାହା ସମ୍ଭବ ନୁହେଁ, ଜଣେ ୧୦ ବର୍ଷର ଝିଅ ସେଭଳି ସ୍ବପ୍ନକୁ ସାର୍ଥକ କରିପାରିବା ଚର୍ଚ୍ଚାର ବିଷୟ ହୋଇଛି। ଆଦିତି ତ୍ରିପାଠୀ ନାମକ ଏହି ଭାରତୀୟ ନାବାଳିକା ୫୦ଟି ଦେଶ ପରିଭ୍ରମଣ କରିବାର ସୌଭାଗ୍ୟ ଲାଭ କରିପାରିଛି। ଏଭଳି ଉଲ୍ଲେଖନୀୟ ସଫଳତା କେବଳ ଜଣେ ପୂର୍ଣ୍ଣକାଳୀନ ଯାତ୍ରୀ ହାସଲ କରିପାରିବେ ବୋଲି ଅନେକ ଭାବୁଥିବା ବେଳେ ଆଦିତିଙ୍କ ଉତ୍ସାହୀ ପିତାମାତା ସେଭଳି ଅନୁମାନକୁ ଭୁଲ ପ୍ରମାଣତ କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା, ଆଦିତିଙ୍କର ବିଶ୍ବ ଭ୍ରମଣ ପାଇଁ ସେ ଦିନଟିଏ ବି ସ୍କୁଲ ବନ୍ଦ କରିନାହାନ୍ତି।
ଗ୍ରିନୱିଚ୍ ସହରରେ ଏକ କମ୍ପାନିରେ କାର୍ଯ୍ୟରତ ଆଦିତିଙ୍କ ପିତାମାତା ଦୀପକ ଓ ଅଭିଳାଷା ସେମାନଙ୍କ ଝିଅକୁ ଜଣେ ପ୍ରଖ୍ୟାତ ଭ୍ରମଣକାରୀ ଭାବେ ଗଢ଼ି ତୋଳିବା ଲାଗି ପିଲାଟି ଦିନରୁ ସଂକଳ୍ପ କରିଥିଲେ। ଏହାଦ୍ବାରା ଆଦିତି ବିଭିନ୍ନ ଦେଶର ସଂସ୍କୃତି, ଖାଦ୍ୟପେୟ ଓ ଲୋକଙ୍କ ବିଷୟରେ ଜ୍ଞାନ ଆହରଣ କରିପାରିବ ବୋଲି ସେମାନେ ଆଶାବାଦୀ। ତେଣୁ ସେମାନେ ଆଦିତିକୁ ସ୍କୁଲର ଲମ୍ବା ଛୁଟିରେ ଯୋଜନା କରି ବିଦେଶ ବୁଲେଇ ନେଇଥା’ନ୍ତି। ମାତ୍ର ତିନି ବର୍ଷ ବୟସରୁ ଆଦିତିର ଭ୍ରମଣ ଆରମ୍ଭ ହୋଇଥିଲା ଏବଂ ଏହା ଭିତରେ ସେ ନେପାଳ, ଥାଇଲାଣ୍ଡ, ମାଲେସିଆ ସମେତ ଅନେକ ୟୁରୋପୀୟ ଦେଶ ବୁଲିସାରିଛି।