୪ ବର୍ଷରେ ୨ଟି ସର୍ଜରୀ ଜରିଆରେ ଓଜନକୁ ୩୦୦କିଲୋରୁ ୮୬କିଲୋକୁ ହ୍ରାସ କଲେ ଏସିଆର ସବୁଠାରୁ ଓଜନଦାର ମହିଳା

ମୁମ୍ବାଇ : ମୁମ୍ବାଇର ବସାଇରେ ରହୁଥିବା ଅମିତା ରଜାନୀଙ୍କ କାହାଣୀକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ୩୦୦ କିଲୋରୁ ୮୬କିଲୋ ପର୍ଯ୍ୟନ୍ତର ଯାତ୍ରା ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି । ୩୦୦କିଲୋ ଓଜନର ହୋଇ ସେ ଏସିଆର ସବୁଠାରୁ ଓଜନଦାର ମହିଳା ବୋଲି ଦାବି କରାଯାଉଥିବା ବେଳେ ଏବେ ସର୍ଜରୀ ଜରିଆରେ ତାଙ୍କର ଓଜନ ୮୬କିଲୋ ହୋଇଥିବା ଜଣାପଡ଼ିଛି । ୪ବର୍ଷର ପରିଶ୍ରମ ଏବଂ ୨ଟି ସର୍ଜରୀ ପରେ ଅମିତା ଏବଂ ତାଙ୍କ ଡ଼ାକ୍ତରଙ୍କୁ ଏହି ସଫଳତା ମିଳିପାରିଛି ।

ତେବେ ଅମିତାଙ୍କ ସର୍ଜରୀ କରିଥିବା ଡ଼ାକ୍ତର ଶଶାଙ୍କ ଶାହାଙ୍କ କହିବା ଅନୁଯାୟୀ, ଅମିତାଙ୍କ ଓଜନ ସର୍ଜରୀ ପୂର୍ବରୁ ୩୦୦କିଲୋ ଥିଲା ଏବଂ ସେ ଏସିଆର ସବୁଠାରୁ ଓଜନଦାର ମହିଳା ଥିଲେ । ପ୍ରଥମ ସର୍ଜରୀ ପରେ ତାଙ୍କର ଓଜନ ୧୪୦ କିଲୋ ହୋଇ ଯାଇଥିଲା । ଦ୍ୱିତୀୟ ସର୍ଜରୀ କରାଯିବା ପରେ ତାଙ୍କର ଓଜନ ଏବେ ୮୬କିଲୋ ରହିଛି । ତେବେ ତାଙ୍କର ପୂର୍ବ ଓଜନକୁ ଆଖି ଆଗରେ ରଖି ଅମିତାଙ୍କ ନାଁ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ସାମିଲ କରିବା ପାଇଁ ଆବେଦନ କରାଯାଇଥିବା କହିଛନ୍ତି ଡ଼ାକ୍ତର ଶଶାଙ୍କ ।

The Hindu

ଅନ୍ୟ ପକ୍ଷରେ, ନିଜର ମୋଟାପଣ ବିଷୟରେ କହିବାକୁ ଯାଇ ତାଙ୍କ ପରିବାର ସେ ସମୟରେ କିଭଳି ସାହାଯ୍ୟ କରିଥିଲେ ତାହା ଜଣାଇଛନ୍ତି ଅମିତା । ମୁଁ ଚାଲି ନ ପାରିବା ସହ ନିଜ କାମ ମଧ୍ୟ କରି ପାରୁ ନଥିଲି । ୮ବର୍ଷ ପର୍ଯ୍ୟନ୍ତ ଖଟରେ ପଡ଼ି ରହିଥିଲି । ଛୋଟ ପିଲା ମୋତେ ଦେଖି ଡ଼ରୁଥିଲେ । ମୋଟାପଣ ସହ ମୁଁ ଟାଇପ୍‌-୨ ମଧୁମେହ ରୋଗରେ ପୀଡ଼ିତ ଥିଲି । ଏହା ସହ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଥିଲା ।

ପରେ ମୁଁ ଡ଼ାକ୍ତର ଶାହାଙ୍କୁ ଭେଟିଥିଲି, ଯିଏ ମୋ ପୂର୍ବରୁ ୬,୦୦୦ଟି ବାରିଆଟ୍ରିକ୍‌ ସର୍ଜରୀ କରି ସାରିଥିଲେ । ଏହି ସର୍ଜରୀ ଦ୍ୱାରା ପାକିସ୍ଥଳୀର ଆକାରକୁ ଛୋଟ କରି ଦିଆଯାଇଥାଏ । ଯାହାଦ୍ୱାରା ରୋଗୀଟି କମ ଖାଦ୍ୟ ଖାଇବା ଆରମ୍ଭ କରିଥାଏ । ତେବେ ୪ବର୍ଷ ମଧ୍ୟରେ ମୋର ୨ଥର ସର୍ଜରୀ କରାଯିବା ପରେ ଏବେ ମୋର ଓଜନ ୮୬କିଲୋ ରହିଛି ବୋଲି କହିଛନ୍ତି ଅମିତା । ।

ସମ୍ବନ୍ଧିତ ଖବର