ଆମେ ସଂପ୍ରତି ବାସ କରୁଥିବା ମହାନଗରଗୁଡ଼ିକ ଯେତେ ପ୍ରଗତିଶୀଳ ହେଲେ ମଧ୍ୟ ଓ ଆମେ ସହରୀ ସଂସ୍କୃତିର ଇତିହାସ ଲେଖିବାରେ ଯେତେ ତତ୍ପର ହେଲେ ମଧ୍ୟ କେହି ବି ଏ କଥାକୁ ଅସ୍ବୀକାର କରିପାରିବେନି ଯେ, ଭାରତର ହୃଦୟ ଓ ଆତ୍ମା ତା’ର ଗ୍ରାମ୍ୟ ଜୀବନରେ ହିଁ ନିହିତ ଅଛି। ସହରଗୁଡ଼ିକରେ ଜୀବନ ଯେତେବେଳେ ନାନା ଅସନ୍ତୁଷ୍ଟି ମଧ୍ୟଦେଇ ଗତି କରୁଛି ଓ ପଶ୍ଚିମୀ ଅସ୍ତିତ୍ବ ଆଡ଼କୁ ମାଡ଼ି ଚାଲିଛି, ଏ ଦୌଡ଼ ଏବେ ବି ଗ୍ରାମୀଣ ଜୀବନକୁ ପୂର୍ଣ୍ଣତଃ ଛୁଇଁପାରି ନାହିଁ। ସେଥିପାଇଁ ଜୀବନକୁ ଖୋଜିବାକୁ ହେଲେ ଜଣେ ସହର ନୁହେଁ, ଗାଁକୁ ଯିବାକୁ ହିଁ ବାଧ୍ୟହୁଏ। ଗାନ୍ଧୀଜୀ କହିଥିଲେ, ‘‘ଭାରତ ତା’ର ଗାଁରେ ହିଁ ବାସ କରେ’’। ଗାଁର ଜୀବନ ଓ ଜୀବିକାକୁ ଅନୁନ୍ନତ ଦର୍ଶାଇ ଆମେ ଏକ ବିକଶିତ ରାଷ୍ଟ୍ରରେ ତାକୁ ନିମ୍ନ ଦୃଷ୍ଟିରେ ଦେଖି ମହତ୍ତ୍ବହୀନ ଭାବିଲେ ମଧ୍ୟ ଗ୍ରାମୀଣ ସଂସ୍କୃତିର ମନୋବୈଜ୍ଞାନିକ ପ୍ରଭାବକୁ ଚିହ୍ନିବା ହିଁ ଏ ଦେଶର ସଂସ୍କୃତିକୁ ଜାଣିବା।
ସହରରେ ଜନ୍ମିଥିବା ମୋର ଦୁଇ ନାତି, ନାତୁଣୀ ବସିଛନ୍ତି ମୋ’ ଦୁଇପାଖରେ। ଏକା ଜିଦ୍, ଷାଠିଏ ବର୍ଷ ତଳର ମୋ’ ଶୈଶବର ସ୍ମୃତିକୁ ଗାଁ ମାଟିରୁ ତାଙ୍କ ପାଇଁ ଖୋଜି ଆଣିଦେବା। ସେ ଦିନଗୁଡ଼ିକର ସୁକୁମାରପଣ ବଖାଣି ପାରିବା ସମ୍ଭବ ନୁହେଁ। ଗାଁରେ ସକାଳ ହୁଏ ଅଜଣା ପକ୍ଷୀଙ୍କର ସମ୍ମିଳିତ କାକଳିରେ ଓ ସନ୍ଧ୍ୟା ଆସେ ଗୋରୁ କଣ୍ଠର ଘଣ୍ଟି ଏବଂ ମାଦଳ ଓ ଘଣ୍ଟାର ମଧୁର ତାନରେ। କେଉଟ ଘର ଢିଙ୍କିରେ ଚୂଡ଼ା ପାହାର ପଡ଼ିଲେ ରାତି ପାହେ। ଗୋଟିଏ ପଟେ ପାହାଡ଼ ବନାନୀ ଓ ଅପର ପାର୍ଶ୍ବରେ ଗହିରମଥାରେ ବେଷ୍ଟିତ ଗାଁ ଦାଣ୍ଡର ଭାଗବତ ଟୁଙ୍ଗିରୁ ଭାସିଆସେ ରାମାୟଣ ଓ ଭାଗବତର ଲଳିତ ସ୍ବର। ଗାଁ ଲୋକଙ୍କ ମୁଖ୍ୟ ଜୀବିକା ଥିଲା କୃଷିକର୍ମ। ଜୀବନ ଓ ଜୀବିକା ପାଇଁ ସମସ୍ତେ ସଂଗ୍ରାମ କରୁଥିଲେ ମଧ୍ୟ ସେ ସଂଘର୍ଷରେ ନ ଥିଲା ଜ୍ବଳନ, ବରଂ ଥିଲା ଆନନ୍ଦ। ଦାରିଦ୍ର୍ୟ ମଧ୍ୟରେ ନ ଥିଲା ହତାଶା, ଅପରନ୍ତୁ ଜୀବନର ଛନ୍ଦ ଥିଲା ରଙ୍ଗାୟିତ। ସବୁ ଅରିମାନ, ଅନଟନ ଅପସରି ଯାଉଥିଲା ଜୀବନୋତ୍ତର ଏକ ଛନ୍ଦରେ, ଏକ ମୁଗ୍ଧ-ମଧୁର ଗନ୍ଧରେ। ବର୍ତ୍ତମାନର ନର୍ସରି ସ୍କୁଲ୍ ପରି ଗାଁରେ ଥିଲା ଚାହାଳି। ଅର୍ଜୁନ ମାମୁଁଙ୍କ ଦାଣ୍ଡଘରେ ଚାଟଶାଳୀ ବସେ। ଅର୍ଜୁନ ଚୌଧୁରୀଙ୍କ ବେତମାଡ଼ ଯିଏ ନ ଖାଇଛି ସିଏ ମଣିଷ ହେଇନି। ସ୍କୁଲ୍ ଗଲାପରେ ପ୍ରଥମେ ସିଲଟ, ଖଡ଼ି ଓ ପରେ କାଠିକଲମରେ ଲେଖୁଥିଲୁ। ଦୁଆତରେ ପାଣିଭରି କାଳି ବଟିକାଟିଏ ପକାଇଦେଲେ ପ୍ରସ୍ତୁତ ହୋଇଯାଉଥିଲା କାଳି। ସାହି ମଝିରେ ଥିଲା ନବଘନ ଭାଇଙ୍କ ତେଜରାତି ଦୋକାନ। ଆମର ତାଙ୍କ ପାଖରୁ କାଳିରେ ସଉଦା ଆସେ। ‘କାଳିରେ’ ମାନେ କ’ଣ? ପଚାରିଲା ନାତୁଣୀ। ଦିନ ଭିତରେ ଯାହା ବି ସଉଦା ଆସେ, ତାକୁ ନବଘନ ଭାଇ ଏକ ସିଲଟରେ ଲେଖି ରଖନ୍ତି। ମୂଲ୍ୟ ପଇଠ ହୋଇଗଲେ ଲିଭାଇ ଦିଅନ୍ତି। ନ ହେଲେ ଗୋଟିଏ ସରୁଆ ଲମ୍ବା ଖାତାରେ କାଠିକଲମରେ ଲେଖି ରଖନ୍ତି।
କାଳିରେ ଲେଖନ୍ତି ବୋଲି ଏପରି ନାମକରଣ ହୋଇଛି। ବର୍ଷାଦିନେ ପାହାଡ଼ରୁ ବର୍ଷାପାଣି ଗଡ଼ିଆସି ଗାଁ ଦାଣ୍ଡରେ ଚାଲେ। ଆମେ ପିଣ୍ଡାତଳକୁ ଆସି ଖାତା ଚିରି କାଗଜ ଡଙ୍ଗା ଭସାଉ। ବର୍ଷା ଛାଡ଼ିଗଲେ ଗାଁଦାଣ୍ଡ ପୁଣି ପାଲଟିଯାଏ ଆମର ରଙ୍ଗଭୂମି। ସେଇ ଗାଁଦାଣ୍ଡରେ ଓଷାବ୍ରତ, ସେଇଠି ଛାମୁଡ଼ିଆ ଟେକି ବାହାଘର ଓ ସେଇଠି ସଞ୍ଜ ନଇଁଲା ବେଳକୁ ଡୁଡୁ, ବୋହୂଚୋରି ଖେଳ। ଗାଁ ଥିଲା ଗୋଟିଏ ପରିବାର ପରି। ମୋ’ ବୋଉକୁ ଯିଏ ଅପା ଡାକୁଥିଲା, ମୁଁ ତା’କୁ ମାମୁଁ ଡାକୁଥିଲି। ଏହି କ୍ରମରେ ସଂପର୍କ ଲମ୍ବିଥିଲା। ପଖାଳ ଖାଇଲା ବେଳେ ପଡ଼ିଶା ଘର ମାଇଁ ପଠେଇଦେବ ଗଛତୋଳା ବାଇଗଣ ଭଜା। ବିଲରୁ କାହାର ମାଛ ଆସିଲେ ବଣ୍ଟାହେବ ସାଇପଡ଼ିଶାରେ। ପର୍ବପର୍ବାଣିରେ ଗାଁରେ ବଣ୍ଟାହେବ ପିଠା। ଘରେ ପିଠା ନ ହେଇଥାଉ, ଚିନ୍ତା ନାହିଁ। ଏପରି ଭାଇଚାରା ଭିତରେ ଝଗଡ଼ା ମଧ୍ୟ ଲାଗେ। ପଡ଼ିଶା ଘର ମାଇଁ ଓ ଆରପଟ ଘରର ଭାଉଜଙ୍କ ମଧ୍ୟରେ ପିଲାଖେଳକୁ ନେଇ କଜିଆ ଲାଗିବ। ଦାଣ୍ଡଦୁଆରେ ବାଉଁଶ ଖୁଣ୍ଟକୁ ଧରି ମାଇଁ ସମ୍ପି ଚାଲିଥିବ ଭାଉଜକୁ, ‘‘ଭାଇ ମୁଣ୍ଡଖାଇ, ବୋପା ମୁଣ୍ଡଖାଇ...’’। ସେପଟୁ ଭାଉଜଙ୍କର ସମାନ ଅସ୍ତ୍ରରେ ପ୍ରତ୍ୟୁତ୍ତର। ରଡ଼ି କରି କରି ହାଲିଆ ହେଲେ ଦୁହେଁ ଘରକୁ ଫେରିଯିବେ। ପୁଣି ପରଦିନ କାମଦାମ ସାରି ଆରମ୍ଭ କରିଦେବେ। ତିନି ଚାରିଦିନ ଯୁଦ୍ଧ ପରର ନିରବତା। ଦି’ପହରେ ଦିନେ ଭାଉଜ ସନ୍ତର୍ପଣରେ ଆସି ପହଞ୍ଚିଯିବ ମାଇଁଙ୍କ ଘରେ। ପଣତକାନି ତଳେ ଲୁଚାଇ ଧରିଥିବ ଗିନାଏ ତିଅଣ। ମାଇଁ ପାଖରେ ବସିପଡ଼ି କହିବ, ଏ ବିଶିକା (ବିଶାଖା)! ବିଲରୁ ଆଜି ଆସିଥିଲା ମହୁରାଳି। ସେଥିରେ ଗଣ୍ଡାଏ ଜହ୍ଲାମାଛ ବି ଥିଲା। ତତେ ଜହ୍ଲା ଭଲଲାଗେ ବୋଲି ଭାଜିକି ଆଣିଦେଇଛି। ମାଇଁ ମାଛଭଜା ରଖିଦେଇ ଭାଉଜ ସହିତ ଗପସପରେ ମାତିଯିବ। ଚାରିଦିନ ତଳର ମହାଭାରତ ଯୁଦ୍ଧକଥା କାହାରି ଆଉ ମନେ ନ ଥିବ।
ପଡ଼ିଶା ଘର ଆଈ ଚାଲିଗଲା। ଗାଁଟା ସାରା ସମସ୍ତେ କାନ୍ଦିଲେ। ଶବ ନ ଉଠିବା ଯାଏ ସମଗ୍ର ଗାଁରେ ନିଆଁପାଣି ବନ୍ଦ। ସମସ୍ତେ ଉପାସ। ଶବ ଉଠିଗଲା ପରେ ପୁଣି ଜୀବନ ସ୍ବାଭାବିକ। ଯେଉଁ ଦାଣ୍ଡରେ କାନ୍ଦବୋବାଳି ପଡ଼ିଥିଲା, ସେଇ ଦାଣ୍ଡରେ ରାତିକୁ ଆସିଲା ପ୍ରଭାସିନୀ ଅପାର ଦାଣ୍ଡ ବାହାଘର ଶୋଭାଯାତ୍ରା। ଝାଡ଼ଲାଇଟ ମୁଣ୍ଡାଇ କିଛି ଲୋକ ଚାଲିଥିବେ, ରଙ୍ଗିନ୍ କାଗଜରେ ତିଆରି ଓଉଫୁଲ, କଦମ୍ବଫୁଲ ଗଛ, କଖାରୁ ପରି ଝୁଲି ରହିଥିବା କଖାରୁଆ, ରାଜାରାଣୀ ବେଶ, ବାଣ, ରୋଶଣି ଓ ଢୋଲ ମହୁରିର ତାନରେ ପାଲିଙ୍କିରେ ବସି ଆସିଲା ବର। ଟିକିଏ ଗରିବ ଥିବାରୁ ଟିକନ ଅପା ଯାଇଥିଲା ତୋଳାକନିଆଁ ହୋଇ। ତୋଳାକନିଆଁ ଅର୍ଥ, କନ୍ୟାକୁ ସବାରିରେ ତୋଳିନେଇ ବର ଘରେ ବାହାଘର ହେବ। ଭୋଇମାନେ ସବାରି କାନ୍ଧେଇ ଡାକ ଛାଡୁଥିବେ ‘‘ଧାକୁମ୍ ଧାବଲ, ଧାକୁମ୍ ଧାବଲ/ ଏଇଠି ଢିପ ଏଇଠି ଖାଲ/ ଡାଁ’କୁ ଛାଡ଼ି ବାଁ’କୁ ମାଡ଼’’। ଝିଅ ବିଦାବେଳେ ମାଉସୀ କାନ୍ଦିଥିଲା, ‘‘ରାମ ବନବାସ ଦିନେ ସରିବ, ବାପାହେ ମୋର/ ମୋ ବନବାସ ମଲେ ସରିବ, ବାପାହେ ମୋର...’’। ଗାଁର ଅଦୂରରେ ଶଅରସାହି। ବେଳ ରତରତ ହେଲେ ଶଉରୁଣୀମାନେ ମୁଣ୍ଡରେ କାଠଗୋଛା ଧରି ବିକିବାକୁ ଆସନ୍ତି। ସାଙ୍ଗରେ ଆଣିଥାନ୍ତି ବେତକୋଳି, ବଇଁଚକୋଳି। ଗୋଟିଏ କୁଞ୍ଚା ଚାଉଳରେ କୁଞ୍ଚାଏ କୋଳି। କୁଲା କି ବାଉଁଶିଆ ଦରକାର ହେଲେ ବୋଉ ପଠାଏ ଶଅରସାହିକୁ। ଜଙ୍ଗଲ ଭିତରେ ବାଉଁଶ ବାଡ଼ଘେରା ଲିପାପୋଛା ଅଗଣାରେ ଚୁଲିରେ ମାଟିହାଣ୍ଡିରେ ଭାତ ଫୁଟୁଥିବ। ଆଉ ଗୋଟିଏ ଚୁଲିରେ ଶଉରୁଣୀ ଆଣ୍ଠୁ ଜାକି ବସି ଭାଜୁଥିବ ବାଦାମ। କଅଁଳା ପିଲାଟି ତା’ର ଆଣ୍ଠୁ ସନ୍ଧିରେ ମୁହଁ ଗଳେଇ ଫୁଙ୍ଗୁଳା ଛାତିରୁ ତା’ର ପିଉଥିବ କ୍ଷୀର। ଅଦୂରରେ କଙ୍କି, ପ୍ରଜାପତି ସହିତ ଖେଳୁଥିବେ ଆଉ ଦୁଇଟି ପିଲା। ବୁଢ଼ାବୁଢ଼ୀ ବସି ବାଉଁଶ ପାତରେ ବୁଣୁଥିବେ କୁଲା, ବାଉଁଶିଆ। ଗୃହସ୍ଥଟି ବିଡ଼ି ଟାଣି ଟାଣି ବୁଣୁଥିବ ଶପ ମଶିଣା।
ଦିନବେଳେ ଗାଁଦାଣ୍ଡ ଶୂନଶାନ୍ ହୋଇଯାଏ। ବୈଶାଖର ଉତ୍ତପ୍ତ ଆକାଶରୁ ତରଳ ସୂର୍ଯ୍ୟ ତତଲା ଡହଡହ କିରଣ ଢାଳି ଦେଉଥିବା ବେଳେ ତତଲା ଝାଞ୍ଜି ଓ ଖଣ୍ଡିଆଭୂତର ନୃତ୍ୟ ମଧ୍ୟରେ ଦୂରରୁ ଭାସିଆସିବ ଗୋଟିଏ କର୍କଶ ସ୍ବର, ଚକୁଳିଆପଣ୍ଡାର। ‘‘ବୈଶାଖ ମାସରେ ଦାନ ପୁଣ୍ୟ କରୁଥିବ/ ମା’ମାଉସୀମାନେ କୁଣ୍ଠିତ ନୋହିବ/ ଦେଇଥିଲେ ପାଇ, ରୋଇଥିଲେ ଦାଇ/ ପଡ଼ିଆ ବାରିରେ ଗୋଧନ ଚରାଇ’’। ମୁଣ୍ଡ ଉପରେ ତାଳପତ୍ରର ଛତା, କଣ୍ଠରେ ରୁଦ୍ରାକ୍ଷର ମାଳା, ଅଣ୍ଟାରେ ଦଉଡ଼ି ପରି ମୋଡ଼ାହୋଇ ବନ୍ଧା ହୋଇଥିବ ଗୋଟିଏ ଧୋତି ଓ କାନ୍ଧରେ ବୁଜୁଳା। ହାତରେ କଂସା ପାତ୍ରଟିଏ ଧରି ଦାନପୁଣ୍ୟର ମହିମା ପ୍ରଚାର କରି ଚାଲି ଯାଉଥିବେ ଗାଁଦାଣ୍ଡରେ। କାହାରିକୁ କିଛି ମାଗିବେନି କି ପାଣି ଟୋପାଏ ପିଇବେନି। ଚକୁଳିଆପଣ୍ଡା ରିକ୍ତ ହସ୍ତରେ ଫେରିଗଲେ ଅଶୁଭ। କୁଳବଧୂ ସାଧ୍ୟମତେ ବେଲାରେ ତାଙ୍କର ଢାଳିଦେବ ଚାଉଳ, ପରିବା। ଗୋଟିଏ ଦିନ ପାଇଁ ଖାଦ୍ୟତଣ୍ଡୁଳ ସଂଗ୍ରହ ହୋଇଗଲେ ପଣ୍ଡା ଫେରିଯିବେ ନିଜ ଘରକୁ। ବେଳେବେଳେ ଟଂ..ଟଂ.. ଶବ୍ଦ କରି ଗାଁଦାଣ୍ଡରେ ଚାଲି ଆସୁଥିବ ଜାନୁଘଣ୍ଟିଆ। ଦେହରେ ଗେରୁଆ ବସ୍ତ୍ର, ମଥାରେ ରାମାନନ୍ଦୀ ତିଳକ, ହାତରେ ତମ୍ବା ଖଡୁ, ବେକରେ ରୁଦ୍ରାକ୍ଷ। ବାମ ହାତରେ ଫାର୍ସା, ଡାହାଣ ହାତରେ ଥିବ କମଣ୍ଡଳୁ। ଜଂଘରେ ବନ୍ଧା ଏକ ବଡ଼ ଘଣ୍ଟି। ଏମାନେ ମଧ୍ୟ ମୁହଁ ଖୋଲି ମାଗନ୍ତି ନାହିଁ। ରାମ-ପର୍ଶୁରାମ ସଂବାଦ ଗାଇ ଗାଇ ଚାଲିଯାଉଥିବେ। ଗୃହିଣୀ ଅଜାଡ଼ି ଦେବେ ସାଧ୍ୟମତେ ଭିକ୍ଷା। ବିଶ୍ବାସ ଥିଲା ଯେ, ତାଙ୍କର ଘଣ୍ଟବୁଡ଼ା ପାଣି ପିଆଇ ଦେଲେ କଥା କହିପାରୁ ନ ଥିବା ପିଲା କଥାକହେ। ଜୀବନକୁ ସତ୍ମାର୍ଗରେ ନେବା ପାଇଁ ଏସବୁ ପରଂପରା ଥିଲା ଆମ ଚଳଣିର ପ୍ରାକୃତିକ ଉପାୟ। ନାଥ ସଂପ୍ରଦାୟର ଯୋଗୀଟିଏ ଆସିବ କେନ୍ଦରା ବଜେଇ। ଶଢ଼େଇ ଓ ଗୋଧିଛାଲରେ ତିଆରି କେନ୍ଦରାଟି ତା’ର ସତରେ କାନ୍ଦୁରା। ସ୍ବର କାନ୍ଦିବା ପରି। ଯୋଗୀ ଗାଉଥିବ, ‘‘ଭଜୁକି’ନା ରାମ ନାମରେ ଗୋବିନ୍ଦ, ଭଜୁକି’ନା ରାମ ନାମ/ ଭଜି ନ ପାରିଲେ କୁଳଚନ୍ଦ୍ରମାରେ ବାନ୍ଧିନେବ କାଳଯମ...’’। ଏମାନେ ଭିକ୍ଷା ମାଗନ୍ତି ଓ ରନ୍ଧାଖାଦ୍ୟ ଦେଲେ ଗ୍ରହଣ କରନ୍ତି। ଚୈତ୍ର ମାସରେ ଗାଁକୁ ଆସନ୍ତି ରାଉଳ ସଂପ୍ରଦାୟର ଘଣ୍ଟପାଟୁଆ। ରକ୍ତ-କୃଷ୍ଣ ବସ୍ତ୍ର ପରିହିତ, ବେକରେ ମନ୍ଦାର ମାଳ, ମୁଣ୍ଡରେ ଫୁଲରେ ଢଙ୍କା ମଙ୍ଗଳାଙ୍କ ଘଟ। ନାରୀ ବେଶରେ ନୃତ୍ୟ କରୁଥିବେ ଘଣ୍ଟପାଟୁଆ। ସାଥୀ ଜଣକ ବଜାଉଥିବେ ଘଣ୍ଟ। ଗ୍ରାମର ଗୃହିଣୀ ସମର୍ପିଦିଏ ଚାଉଳ, ଡାଲି, ପନିପରିବା ଓ ଅର୍ଥ। ଗ୍ରାମ୍ୟ ଜୀବନରେ ତ’ ପଥର ଖଣ୍ଡିଏ ମଧ୍ୟ କାହାଣୀ ଶୁଣାଏ। ଏ କାହାଣୀ ଅସରନ୍ତି।
ଗାଁରେ ଆଜି ପରି ଦୁର୍ଗାପୂଜା, ଦୀପାବଳି ହୁଏ? ପଚାରିଲା ନାତୁଣୀ। ଓଡ଼ିଶାରେ ବାର ମାସରେ ତେର ପର୍ବ। ଦଶହରାରେ ଘର ଭିତରେ କୌଳିକ ପେସାର ସାଜ ପୂଜା ହୁଏ। ଗାଁରେ ଫାଲ୍ଗୁନରେ ବସେ ଦୋଳ ମେଳଣ। ମେଳଣ ପଡ଼ିଆରେ ଏକତ୍ରିତ ହୁଅନ୍ତି ଆଖପାଖ ଗାଁରୁ ଚଉଢଳରେ ବସି ଆସିଥିବା ଗ୍ରାମ-ଦେବତାମାନେ। ବସନ୍ତ ଅପସରି ଗଲେ ନିଦାଘ ଆସେ ରୁଦ୍ର ଡମ୍ବରୁ ବଜାଇ। ବଦଳିଯାଏ ଗାଁର ଦୃଶ୍ୟପଟ। କଇଁ ଫୁଲରେ ଭର୍ତ୍ତି ଟୁବିଗାଡ଼ିଆ ଶୁଖିଯାଇ ଅନାଇ ରହେ ଆକାଶକୁ ପାଣି ବୁନ୍ଦାଏ ପାଇଁ। କ୍ଷେତ ଗହୀରରେ ନିସ୍ତବ୍ଧତା ଘୋଟିଗଲା ବେଳେ ଲୋକଙ୍କର ଭିଡ଼ ଜମେ ତୋଟାଗହଳରେ। ସ୍ବେଦାକ୍ତ ଦି’ପହରଟାରେ ବାହୁନୁଥାଏ କପୋତୀ। ଆମ୍ବତୋଟାରେ ଚାଲିଥାଏ ଡାଳମାଙ୍କୁଡ଼ି ଖେଳ। ପାଟ ଗହୀରରେ ଗାଈପଲକୁ ଛାଡ଼ିଦେଇ ତାଳପତ୍ରର ଛତାତଳେ ବସି ଗାଈଆଳ ବଜାଉଥାଏ ବଂଶୀ। ଅଳସ ଅପରାହ୍ଣରେ ପଖାଳ କଂସା ପ୍ରସ୍ତୁତ କରି ପତିର ଅପେକ୍ଷାରେ ବସିଥାଏ କୁଳବଧୂ। ଚଉରା ଉପରେ ଝୁଲୁଥାଏ ଜଳଭରା ବସନ୍ତରା ଠେକି। ଉଚ୍ଚ ପିଣ୍ଡାରେ ଚାଲିଥାଏ ପିଲାଙ୍କର ଅନ୍ତାକ୍ଷରୀ ଖେଳ। ଝିଅମାନେ ଢିଙ୍କିଶାଳରେ ବସି ଖେଳନ୍ତି କଉଡ଼ି ନ ହେଲେ କାଞ୍ଜିଗାତ। ଗାଁଦାଣ୍ଡରେ ସଦ୍ୟସମାପ୍ତ ହୋଇଥାଏ ରାମଲୀଳା ଉତ୍ସବ। କେଉଁଦିନ ଅନୁଷ୍ଠିତ ହୁଏ ଚଢ଼େୟା ନାଚ ତ କେଉଁଦିନ ଗୋଟିପୁଅ ନାଚ। ଗାଁକୁ ସାତଶଙ୍ଖ, ଉତ୍ତରକୂଳରୁ ଆସନ୍ତି ଯାତ୍ରାଦଳ। ରଜ ଉତ୍ସବରେ ଉଗ୍ରତାରାଙ୍କ ପୀଠରେ ମେଳା ଲାଗେ। ଖଳାବାଡ଼ିର ଆମ୍ବଗଛରେ ଦୋଳି ଝୁଲୁଥାଏ। ଝିଅମାନେ ଦୋଳି ଖେଳିଖେଳି ଗାଆନ୍ତି, ‘‘ରଜଦୋଳି କଟକଟ, ମୋ’ ଭାଇ ମଥାରେ ସୁନା ମୁକୁଟ ହେଉଥାଏ ଝକମକ...’’।
ସାନବଡ଼ ଅବିବାହିତା ଝିଅ ମିଶି ପାଳନ କରନ୍ତି ଖୁଦୁରୁକୁଣୀ। ଆମ ଗାଁ ପାଖ ଡିଆ ଗ୍ରାମରେ ଏକାଦଶ ଶତାବ୍ଦୀରୁ ବିରାଜମାନ କପିଳେଶ୍ବର ମହାଦେବଙ୍କ ପୀଠରେ ହୁଏ ଅଶୋକାଷ୍ଟମୀ। ସେ ଗାଁରେ ରଥଦାଣ୍ଡ ନାହିଁ। ରଥ ଟଣାହୁଏ ବିଲମାଳ ଭିତରେ। ସଞ୍ଜ ନଇଁଲେ ରଥ ବିଲ ମଝିରେ ଅଟକେ। ବାହୁଡ଼ାରେ ରଥ ଟଣାହୁଏ ରାତିରେ। ଆଉ ବିଲ ଭିତରେ ଯଦି ବର୍ଷା ହୁଏ? ପଚାରିଲା ନାତୁଣୀ। ପଙ୍କ କାଦୁଅରେ ଦବିଯାଇଥିବା ରଥକୁ ଟାଣନ୍ତି ପୁରୀ ରାଜାଙ୍କ ହାତୀ। କୁମାର ପୂର୍ଣ୍ଣମୀରେ ଗାଁଦାଣ୍ଡରେ ଧୂଳି ଉଡ଼େଇ ଝିଅମାନେ ଖେଳନ୍ତି ପୁଚି। ଗାଉଥାନ୍ତି ପୁଚିଖେଳର ଗୀତ, ‘‘ପୁଚିଲୋ, ଯା’ ଘୁଞ୍ଚିଲୋ/ ବାଡ଼ିଆଡ଼େ ଗଲା ଗୋଧି, ପୁଚି ନଜାଣୁ ତୁ ମାଈପୀ ଟୋକୀ, କିଏ ଶିଖେଇବ ବୁଦ୍ଧି’’। ତା’ଛଡ଼ା ପାଳନ ହୁଏ ଅନେକ ଛୋଟବଡ଼ ପର୍ବ। ଦୀପାବଳି, କାଞ୍ଜିଅଁଳା, ଧାନମାଣିକ, ଜହ୍ନିଓଷା ଓ ଆହୁରି ଅନେକ- ବାର ମାସରେ ତେର ପର୍ବ। ଗାଁକୁ ଆସନ୍ତି ସାପୁଆ କେଳା। ସାପ ଖେଳ ଓ ଗୋବିନ୍ଦ ମୂଷା ଖେଳ ଦେଖାନ୍ତି। କେଳୁଣୀ ଘରଘର ବୁଲି ଖଜୁରି ପତ୍ର ତିଆରି ଝୁମୁକା ଓ ଭୋଗେଇ ବିକେ। କାନ୍ଧଠୁ ଅଣ୍ଟା ମଧ୍ୟରେ ଲୁଗାଥଳିରେ ବସି ଝୁଲୁଥାଏ ତା’ର କଅଁଳା ପିଲା। ଆଉ କିଛି କେଳା ଭୋଜବିଦ୍ୟା ଦେଖାନ୍ତି। ସବୁଠୁ ମଜାଲାଗେ କେଳୁଣୀ ଝିଅର ବାଉଁଶରାଣୀ ଖେଳ।
ଏ ଥିଲା ସଂକ୍ଷେପରେ ଷାଠିଏ ବର୍ଷ ତଳେ ଆମର ଗ୍ରାମ୍ୟ ଜୀବନ। ଏବେ ଯେତେବେଳେ ଦୁନିଆ ସହରୀକରଣର ଆହ୍ୱାନ ସହିତ ମୁକାବିଲା କରୁଛି, ଗ୍ରାମ୍ୟ ଜୀବନ ଆମର ସ୍ଥିରତା ଓ ସାମାଜିକ ସଂପର୍କର ମହତ୍ତ୍ବ ଉପରେ ମୂଲ୍ୟବାନ ଶିକ୍ଷା ପ୍ରଦାନ କରୁଛି। ଉତ୍ତୁଙ୍ଗ ଆପାର୍ଟମେଣ୍ଟରେ ଏକାକୀ ରହି ସହରୀ ଜୀବନ ବିତାଉଥିବା ଆଜିର ସଭ୍ୟ ମଣିଷ ଆମ ଗ୍ରାମ୍ୟ ଜୀବନର ସୌନ୍ଦର୍ଯ୍ୟ ଅନୁଭବ କରିପାରିବ ବା କେମିତି! ଲମ୍ବ ଶାଖାଯୁକ୍ତ ଗଛଟିଏ ଆକାଶଚୁମ୍ବୀ ହେଲେ ମଧ୍ୟ ଚେର ତା’ର ମାଟିକୁ ଜାବୁଡ଼ିଥାଏ। ଠିକ୍ ସେହିପରି ସହରୀ ସଭ୍ୟତାରେ ଆମେ ଯେତେ ଉଚ୍ଚକୁ ଉଠିଲେ ମଧ୍ୟ ଗାଁରେ ରହିଯାଇଥିବା ଚେର ହିଁ ଆମର ଶକ୍ତି। ସ୍ବ-ପରିଚୟ ଖୋଜିବା ବେଳେ ଆମକୁ ସର୍ବଦା ସେଇ ଗାଁ ମାଟିକୁ ମନେ ପକାଇବାକୁ ପଡ଼ିବ। ମନେ ରଖିବାକୁ ହେବ ଯେ, ବୃକ୍ଷର ଶକ୍ତି ତା’ର ଶାଖା ପ୍ରଶାଖାରେ ନ ଥାଏ, ଥାଏ ତା’ର ଭୂମି ଭିତରେ ଥିବା ଜଡ଼ରେ। ଭାରତୀୟତାର ଆତ୍ମାକୁ ତୃଣମୂଳ ସ୍ତରରେ ତଲାସିବାକୁ ହେଲେ ଓ ତା’ର ପ୍ରାମାଣିକ ଐତିହ୍ୟକୁ ବୁଝିବାକୁ ହେଲେ ଆମକୁ ଗାଁ ମାଟିର ଜୀବନକୁ ଅନୁଧ୍ୟାନ କରିବାକୁ ହେବ। ଏବେ ଗ୍ରାମ୍ୟ ଜୀବନ ତା’ର ସରଳତା, ଉଦାରତା ଓ ସ୍ବୟଂସଂପୂର୍ଣ୍ଣ ଚେହେରା ହରାଇ ବସିଛି। ଆଧୁନିକତାର ଗ୍ରସ୍ତତା ଦ୍ବାରା ପ୍ରଭାବିତ ଗାଁକୁ ନେଇ ବ୍ୟଥିତ କବି ଜଣେ ଲେଖିଥିଲେ, ‘‘ମେରେ ଗାଁଓ କୋ ଅଭି ଗାଁଓ ହି ରହନେ ଦୋ/ ୟେ ଧୂଁଧଲିସି ଛାଓଁ ହୈ, ଛାଓଁ ରହନେ ଦୋ/ କ୍ୟୁଁ ବନା ରହେହୋ ଇସେ ସମନ୍ଦର କା ଜାହାଜ୍/ ୟେ ମେରି ଛୋଟିସି କସ୍ତି ହୈ, ଇସେ ନାଁଓ ହି ରହନେ ଦୋ’’। ସ୍ବପ୍ନ ରାଜ୍ୟରୁ ଫେରିଆସିଥିଲି ମୁଁ। ନାତି, ନାତୁଣୀ ଟୁଳୁଟୁଳୁ ଆଖିରେ ଆଖିଏ ନିଦ ନେଇ ଚାହିଁ ରହିଛନ୍ତି। କହିଲି, ମୋ’ କଥାଟି ସରିନି କି ଫୁଲ ଗଛଟି ମରିନିରେ ପିଲାଏ! ଆଜି ପାଇଁ ତମେ ଶୋଇପଡ଼।
ମୋ: ୯୩୩୭୬୪୮୬୩୮