ବିଶ୍ବରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିକୁ ନେଇ ଚର୍ଚ୍ଚା ଚାଲିଛି। ଏହା ଯେତେ ବିକଶିତ ହେବ, ବିଭିନ୍ନ କ୍ଷେତ୍ରରେ ଚାକିରି ସେତେ ସଂକୁଚିତ ହେବ ବୋଲି କୁହାଯାଉଛି। ଅର୍ଥାତ୍; ନୂଆ କର୍ମଚାରୀ ନିଯୁକ୍ତି ବନ୍ଦ ହେବାସହ କାର୍ଯ୍ୟରତ କର୍ମଚାରୀଙ୍କୁ ଛଟେଇ କରାଯିବ। କାରଣ ଯେଉଁ କାମ କରିବା ପାଇଁ କର୍ମଚାରୀମାନେ କେଇ କେଇ ଘଣ୍ଟା ସମୟ ଆବଶ୍ୟକ କରୁଥିଲେ, ସେହି କାମ ‘ଏଆଇ’ ଆଖି ପିଛୁଳାକେ କରିଦେବ। ଏପରି ସ୍ଥିତିକୁ ସାମ୍ନା କରିବା ପାଇଁ ଆମକୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଗବେଷଣା ଓ ଜ୍ଞାନକୌଶଳ ଯୋଗୁଁ ସମୟ ତୁଳନାରେ ‘ଏଆଇ’ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଖର ହେବାରେ ଲାଗିଛି। ତଥ୍ୟ ଅନୁସାରେ; ଜାନୁଆରି ୨୦୨୨ ବେଳକୁ ‘ଏଆଇ’ ୭ ବର୍ଷ ବୟସର ଝିଅ ପରି ଥିଲା। ସେହିପରି ଡିସେମ୍ବର ୨୦୨୨ ବେଳକୁ ‘ଏଆଇ’ ୯ ବର୍ଷର ଝିଅ ପରି ହୋଇଯାଇଥିଲା। ଯେଉଁ ‘ଏଆଇ’ ୭ ବର୍ଷ ଝିଅ ପରି ବୁଦ୍ଧି ହାସଲ କରିବାକୁ ବର୍ଷ ବର୍ଷ ସମୟ ନେଇଥିଲା, ସେହି ‘ଏଆଇ’ ୯ ବର୍ଷ ଝିଅ ପରି ବୁଦ୍ଧି ହାସଲ କରିବାକୁ ୧୦ ମାସରୁ ବି କମ୍ ସମୟ ଆବଶ୍ୟକ କଲା। ଯାହାକୁ ତର୍ଜମା କଲେ ଆଗାମୀ ୬ ମାସ, ୮ ମାସ, ବର୍ଷେ... ପରେ ‘ଏଆଇ’ କେଉଁ ସ୍ତରକୁ ଯାଇଥିବ, ତା’ର ସିଦ୍ଧାନ୍ତ ଆମ ଚେତନାର ଊର୍ଦ୍ଧ୍ବରେ।

Advertisment

ତେବେ ଏପରି ସମୟରେ କେଉଁମାନେ ଚାକିରି ହରାଇବେ, ତାକୁ ନେଇ ନାନା ଆଲୋଚନା ଓ ବିତର୍କ ଦେଖାଗଲାଣି। ବିଶେଷଜ୍ଞଙ୍କ କହିବା କଥା ହେଲା; ଏଆଇ ଯୋଗୁଁ ପ୍ରାୟତଃ ତିନୋଟି ଶ୍ରେଣୀର କର୍ମଚାରୀଙ୍କ ଚାକିରି ବିପଦରେ ରହିଛି। ସେମାନେ ହେଲେ: ପ୍ରଥମରେ ଶ୍ରମିକ ଶ୍ରେଣୀର କର୍ମଚାରୀ, ଦ୍ବିତୀୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ଏବଂ ତୃତୀୟରେ ସୃଜନଶୀଳ କର୍ମଚାରୀ। ହେଲେ ଏବେ ସେମିତି ନହୋଇ ଓଲଟା ପ୍ରଭାବ ଆକଳନ କରାଯାଉଛି। ଅର୍ଥାତ୍ ପ୍ରଥମେ ସୃଜନଶୀଳ ଏବଂ ଦ୍ବିତୀୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ଚାକିରି ଯିବ ବୋଲି କୁହାଯାଉଛି। କାରଣ ‘ଏଆଇ’ ମଣିଷର ଆବଶ୍ୟକତା ଅନୁସାରେ ଆପଣାଛାଏଁ ବିଷୟବସ୍ତୁ ପ୍ରସ୍ତୁତ କରିବାର କ୍ଷମତାପ୍ରାପ୍ତ ହୋଇଛି। ବର୍ଷ ବର୍ଷ ଧରି ହେଉଥିବା ଗବେଷଣା ଏବଂ ଦୀର୍ଘଦିନ ଲାଗୁଥିବା କୌଣସି ସୃଜନଶୀଳ କାମ ‘ଏଆଇ’ କେଇ ସେକେଣ୍ଡରେ କରିଦେଇଛି।

publive-image NPR

ସବୁଠାରୁ ବଡ଼କଥା ହେଲା ଆର୍ଥିକ ଦୃଷ୍ଟିରୁ ଏହା ଜମା ବି ବ୍ୟୟସାପେକ୍ଷ ନୁହେଁ। ଏମିତି ସ୍ଥିତିରେ ଭାରତର ଅଧିକାଂଶ ମହିଳା କର୍ମଚାରୀ ଚାକିରି ହରାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। କାରଣ ଆମ ଦେଶରେ ସୃଜନଶୀଳ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାମ କରୁଥିବା ମହିଳା କର୍ମଚାରୀଙ୍କ ସଂଖ୍ୟା ପୁରୁଷ କର୍ମଚାରୀଙ୍କ ତୁଳନାରେ ୫ରୁ ୮ ପ୍ରତିଶତ ଅଧିକ। ନିକଟରେ ଓଡ଼ିଶାର ଜିଏମ୍ଏସ୍‌ପି ନାମକ ଏକ ସାମାଜିକ ସଂଗଠନ ପକ୍ଷରୁ କର୍ମଜୀବୀ ମହିଳାଙ୍କ ଉପରେ ‘ଏଆଇ’ର କି ପ୍ରକାର ପ୍ରଭାବ ପଡ଼ିବ ବୋଲି ଏକ ସର୍ଭେ କରାଯାଇଥିଲା। ଏଥିରେ ମଧ୍ୟ ନକାରାତ୍ମକ ରିପୋର୍ଟ ଆସିଛି। ୬.୨୫ ପ୍ରତିଶତ ଲୋକ କର୍ମଜୀବୀ ମହିଳାଙ୍କ ଉପରେ ‘ଏଆଇ’ର ପ୍ରଭାବ ପଡ଼ିବ ନାହିଁ ବୋଲି କହିଥିବା ବେଳେ ୮୧.୨୫ ପ୍ରତିଶତ ଲୋକ କର୍ମଜୀବୀ ମହିଳାଙ୍କ ଉପରେ ‘ଏଆଇ’ର ପ୍ରଭାବ ପଡ଼ିବ ବୋଲି କହିଛନ୍ତି। ସେହିପରି ୧୨.୫ ପ୍ରତିଶତ ଲୋକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଓଡ଼ିଶା ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ। ନିକଟରେ ଟେଲିଭିଜନ ଜଗତରେ ସମ୍ବାଦପାଠିକା ଭାବରେ କୃତ୍ରିମ ବୁଦ୍ଧିମତାସମ୍ପନ୍ନ ମହିଳାଙ୍କର ଆବିର୍ଭାବ ହେଲାଣି। ଜିଏମ୍ଏସ୍‌ପି ସଂଗଠନର ରିପୋର୍ଟ ଏବଂ ବିଶେଷଜ୍ଞଙ୍କ ଭବିଷ୍ୟବାଣୀକୁ ନେଇ କର୍ମଜୀବୀ ମହିଳାମାନେ ବିବ୍ରତ ହେବା ସ୍ବାଭାବିକ। ହେଲେ ଏହାକୁ ଗୁରୁତ୍ବ ନଦେଇ ସେମାନେ ନିଜ ବୁଦ୍ଧିର ପରିସୀମା ବୃଦ୍ଧି ପାଇଁ ଚେଷ୍ଟା କରିବାର ବେଳ ଆସିଛି। ସର୍ଭେ ଅନୁସାରେ ପୁରୁଷଙ୍କଠାରୁ ମହିଳାମାନେ ୩ରୁ ୫ ପ୍ରତିଶତ ଅଧିକ ବୁଦ୍ଧିମତୀ। ତେଣୁ ନିଜର ଏହି ଅନ୍ତର୍ନିହିତ ବୈଶିଷ୍ଟ୍ୟରେ ସେମାନେ ଉଦ୍‌ବୁଦ୍ଧ ହେବା ଆବଶ୍ୟକ ଏବଂ ‘ଏଆଇ’ ଯାହା କରି ନପାରିବ, ତାହା ମହିଳାମାନେ କରିଦେଖାଇବାର ଦକ୍ଷତା ଅର୍ଜିବା ଜରୁରୀ। ‘ଚାକିରି’ ନାମକ ଗଡ଼ ଜିଣିବାକୁ ହେଲେ ‘ଏଆଇ’ ପରି ବିଜ୍ଞ ପ୍ରତିଦ୍ବନ୍ଦୀକୁ ବୁଦ୍ଧିମତାର ସହ ସାମ୍ନା କରିବାକୁ ପଡ଼ିବ।
ରୁଦ୍ରରଂଜନ ଶେଜପଡ଼ା