ଆଜିକାଲି ଯୁବବର୍ଗଙ୍କ ଜୀବନଚର୍ଯ୍ୟାକୁ ଆଳସ୍ୟ ଅଧିକରୁ ଅଧିକ ଗ୍ରାସ କରୁଥିବାର ଦେଖିବାକୁ ମିଳୁଛି। ଶାରୀରିକ ସୁସ୍ଥତା ସତ୍ତ୍ବେ ସେମାନେ କର୍ମଭୀରୁ ହୋଇଯାଉଛନ୍ତି ବୋଲି ଅଭିଭାବକମାନେ ଚିନ୍ତିତ। ଏ ପରିପ୍ରେକ୍ଷୀରେ ଆମେରିକାର ଓହିଓ ପ୍ରଦେଶର ଜଣେ ଶତାୟୁ ମହିଳାଙ୍କ କର୍ମ ତତ୍ପରତା ସେମାନଙ୍କ ପାଇଁ ଉଦାହରଣୀୟ। ଜେନ୍ ବର୍ଣ୍ଣ ନାମକ ବୃଦ୍ଧା ଜଣକ ଗତ ୨୬ ବର୍ଷ ହେଲା ଏକ ବସ୍ତ୍ର କାରଖାନାରେ ଜଣେ ସାମୟିକ ବସ୍ତ୍ର କଟାଳି ଭାବେ କାମ କରନ୍ତି। ନିୟମିତ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବାରେ ତାଙ୍କୁ ଆନନ୍ଦ ମିଳେ ଏବଂ ସେଠାରେ ତାଙ୍କ ସମୟ ସୁଖରେ କଟିଯାଉଛି ବୋଲି ସେ ଆଶ୍ବସ୍ତ ଥିବା କହିଛନ୍ତି।
ପୂର୍ବରୁ ସେ ଏକ ପୁସ୍ତକାଳୟରେ କାମ କରି ଷାଠିଏ ବର୍ଷ ବୟସରେ ଅବସର ନେଇଥିଲେ। ହେଲେ ତାଙ୍କୁ ୭୫ ବର୍ଷ ହୋଇଥିବା ବେଳେ ତାଙ୍କ ସ୍ବାମୀଙ୍କର ପରଲୋକ ହୋଇଯିବାରୁ ସେ ଭାରି ନିଃସଙ୍ଗ ହୋଇପଡ଼ିଥିଲେ। ନିଃସଙ୍ଗତାକୁ ଦୂର କରିବା ଲାଗି ଉକ୍ତ ବସ୍ତ୍ର କାରଖାନାରେ କାମ କରୁଥିବା ତାଙ୍କ ଝିଅ ତାଙ୍କୁ ସେଠାରେ ସାମୟିକ ଭାବେ କାମ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ବାସ୍, ସେବେଠାରୁ ବର୍ଣ୍ଣ ସେଇ ନୂତନ କର୍ମସ୍ଥଳୀକୁ ଗ୍ରହଣ କରିବା ସହ ଆଉ ପଛକୁ ଫେରିନାହାନ୍ତି। ନିୟମିତ କାର୍ଯ୍ୟସ୍ଥଳୀକୁ ଯିବା ଦ୍ବାରା ପରିଣତ ବୟସରେ ବି ସେ ସୁସ୍ଥ ସବଳ ଅନୁଭବ କରୁଛନ୍ତି। ଏଥି ସହିତ ସେଠାରେ ନୂଆ ନୂଆ ଗ୍ରାହକଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ବିଶେଷ ଆନନ୍ଦ ମିଳୁଛି ବୋଲି ବର୍ଣ୍ଣ ସ୍ବୀକାର କରିଛନ୍ତି। ସମୟ କଟାଇବା ପାଇଁ ଏହା ତାଙ୍କ ପାଇଁ ସର୍ବୋତ୍କୃଷ୍ଟ ଜୀବନଶୈଳୀ ଏବଂ ଏକ ଦୀର୍ଘଜୀବୀ ତଥା ସୁଖପ୍ରଦ ଜୀବନ ପାଇଁ ଏଭଳି କାର୍ଯ୍ୟବ୍ୟସ୍ତତା ହିଁ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ନିଜ କାର୍ଯ୍ୟକୁ ସେ ଉପଭୋଗ କରୁଛନ୍ତି ଏବଂ ଜୀବନ ଥିଲା ଯାଏ ସେ ତାହା ଜାରି ରଖିବେ ବୋଲି ତାଙ୍କର ଆତ୍ମବିଶ୍ବାସ ରହିଛି।