ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ମଙ୍ଗଳ ଗ୍ରହକୁ ପ୍ରେରିତ କ୍ୟୁରିଓସିଟି ମାର୍ସ ରୋଭର ମଙ୍ଗଳର ଗେଲ୍ କ୍ରେଟରରେ ପ୍ରବାଳ ସଦୃଶ ପ୍ରସ୍ତର ଠାବ କରିଛି। କ୍ୟୁରିଓସିଟି ଏହି ଭଳି ଅନେକ ପଥର ପାଇଛି, ଯାହା ଜଳ ପ୍ରବାହ ଓ କୋଟି କୋଟି ବର୍ଷର ପବନ ମାଡ଼ରେ ଗଠିତ ହୋଇଥିଲା ବୋଲି ଅନୁମାନ କରାଯାଉଛି। ପ୍ରାୟ ଏକ ଇଞ୍ଚ ଚଉଡ଼ାର ଏହି ପଥର ଏବଂ ଏହାର ଜଟିଳ ଶାଖା ସୂଚିତ କରେ ଯେ ମଙ୍ଗଳ ଗ୍ରହରେ ଏକଦା ଜଳୀୟ ପରିବେଶ ଥିଲା, ଯେଉଁଥିରେ ଜୀବଜଗତ ତିଷ୍ଠିବା ସମ୍ଭବ। କ୍ୟୁରୋସିଟି ମଙ୍ଗଳ ଗ୍ରହରେ କୋଟି କୋଟି ବର୍ଷ ତଳର ଏପରି ଅନେକ ସାମଗ୍ରୀ ଠାବ କରିଛି, ଯାହା ସେଠାରେ ଜଳର ସମ୍ଭାବ୍ୟ ଉପସ୍ଥିତିକୁ ସୁନିଶ୍ଚିତ କରୁଛି।
‘ନାସା’ର ବ୍ୟାଖ୍ୟା ଅନୁଯାୟୀ, ଶହ ଶହ କୋଟି ବର୍ଷ ପୂର୍ବେ ମଙ୍ଗଳ ଗ୍ରହର ପଥର ଉପରେ ତରଳ ଜଳ ପ୍ରବାହିତ ହେଉଥିଲା, ଯାହା କ୍ରମେ ବାଷ୍ପୀଭୂତ ହୋଇ ଖଣିଜ ପଦାର୍ଥର ଦାଗ ଛାଡ଼ିଯାଇଥିଲା। ପରେ ଦ୍ରୁତ ପବନରେ ବାଲିର ମାଡ଼ ପଥରକୁ କ୍ଷୟ କରି ଜଟିଳ ଶାଖା ସୃଷ୍ଟି କରିଥିଲା। ଏହି ପ୍ରକ୍ରିୟା ସାଧାରଣତଃ ପୃଥିବୀ ପୃଷ୍ଠରେ ମରୁଭୂମିରେ ଦେଖିବାକୁ ମିଳେ। ତେଣୁ ଜୈବିକ ଅବଶେଷ ପରି ଦିଶୁଥିବା ଆକୃତି ବାସ୍ତବରେ ଖଣିଜ ପଦାର୍ଥରେ ଗଢ଼ା। ତେଣୁ ଗବେଷକମାନେ ପଥରର ଚେହେରାକୁ ‘ନକଲି ଜୀବାଶ୍ମ’ ଆଖ୍ୟା ଦେଇଛନ୍ତି, ଯାହା ସଂଯୋଗବଶତଃ ପ୍ରବାଳ ପରି ଦେଖାଯାଉଛି। ତେବେ ଏହା ଅତୀତରେ ମଙ୍ଗଳ ପୃଷ୍ଠରେ ଜଳ ପ୍ରବାହର ଏକ ଭୂତାତ୍ତ୍ୱିକ ପ୍ରମାଣ। ଏହି ଆବିଷ୍କାର ମଙ୍ଗଳ ଗ୍ରହ ଦିନେ ଆର୍ଦ୍ର ତଥା ଅଣୁଜୀବରେ ପରିପୂର୍ଣ୍ଣ ଥିବାର ସମ୍ଭାବନାକୁ ଦୃଢ଼ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/13/gjggjncbnbn-2025-08-13-23-42-03.jpg)