ଜଣେ ସଂସ୍କୃତିପ୍ରେମୀ ସୁଶୀଳ ବ୍ୟକ୍ତିତ୍ବ

କୁମ୍‌କୁମ୍‌ ମହାନ୍ତି

ଗୋଟିଏ ଛୋଟ ପିଲାଦିନର ସ୍ମୃତି ଆଜି ବି ଆଖି ଆଗରେ ଚାଲିଆସୁଛି। କଟକ ରେଭେନ୍‌ସା କଲେଜ ବଡ଼ ବଙ୍ଗଳାରେ ମୋ ବାପା ଏବ˚ ଆମେମାନେ ରହୁଥାଉ। ମୋ ବାପା ସ୍ବର୍ଗୀୟ ବାମା ଚରଣ ଦାସ, ‘ଡାଇରେକ୍ଟର ଅଫ୍ ପବ୍ଲିକ୍‌ ଇନ୍‌ଷ୍ଟ୍ରକ୍‌ସନ୍‌’ ଥାଆନ୍ତି। ମୁଁ ବୋଧେ ନବମ ଶ୍ରେଣୀରେ ପଢ଼ୁଥାଏ। ସ୍କୁଲ୍‌ ବାହାରିଲା ବେଳେ ଦେଖେ ବାପା ଏବ˚ ଆଉ ଜଣେ ଅତି ଭଦ୍ର ଲୋକ ଧୋତି, ପଞ୍ଜାବି ଓ ଗୋଟେ ଅଙ୍ଗ ବସ୍ତ୍ର ପିନ୍ଧି ଗପ କରନ୍ତି। ସନ୍ଧ୍ୟାବେଳେ ପଚାରିଲି- ବାପା ଯିଏ ଆସିଥିଲେ, ସେ କିଏ? ଉତ୍ତର ଆସିଲା ସେ ଜାନକୀବଲ୍ଲଭ ପଟ୍ଟନାୟକ, ଜଣେ ବଡ଼ ସାହିତ୍ୟିକ ଏବ˚ କଟକ ‘ପ୍ରଜାତନ୍ତ୍ର’ କାଗଜର ଏଡିଟର। ୧୯୮୩ ମସିହାରେ ମୁଁ ଭେଟିଲି ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଏବ˚ ଓଡ଼ିଶୀ ଗବେଷଣା କେନ୍ଦ୍ର ନେଇ ଅନୁରୋଧ କଲି। ଜାନକୀ ବାବୁଙ୍କର ଓଡ଼ିଆ ପ୍ରୀତି ବହୁତ ଗଭୀର ଓ ତାଙ୍କର ଓଡ଼ିଶୀ ନୃତ୍ୟ ଏବ˚ ସଙ୍ଗୀତ ପ୍ରତି ଭୟଙ୍କର ଦୁର୍ବଳତା ଓ ଶ୍ରଦ୍ଧା ଥିଲା ଯାହା ବର୍ତ୍ତମାନର ସ୍ବାଭିମାନୀ ଓଡ଼ିଆର ନାହିଁ।

୧୯୮୪ ମସିହାରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଜନ୍ମ ନିଏ। ୮୬ ମସିହାରେ ଏହା ଏକ ସ୍ବୟଂ ଶାସିତ ଅନୁଷ୍ଠାନ ଭାବେ ପରିଚୟ ପାଏ। ଏଥିରେ ନିଜେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଚେୟାର୍‌ପର୍ସନ୍‌ ରହନ୍ତି। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପ୍ରତି ତାଙ୍କର ଅସମ୍ଭବ ସମ୍ମାନ ଓ ଶ୍ରଦ୍ଧା ଏଇ କେନ୍ଦ୍ର ମାଧୢମରେ ପରିସ୍ଫୁଟ ହୁଏ। ଏହା ଫଳରେ ଦେଖିବାକୁ ମିଳିଥିଲା ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର, ପଣ୍ତିତ ଭୁବନେଶ୍ବର ମିଶ୍ର ଏବ˚ ସଙ୍ଗୀତ ସମ୍ରାଟ ବାଳକୃଷ୍ଣ ଦାଶଙ୍କୁ ଗୋଟିଏ ଛାତ ତଳେ ବସି ଗବେଷଣା କରିବାର। କ୍ରମେ ଅନେକ ଭଲ ପ୍ରସ୍ତାବକୁ ରୂପ ଦେଇ ଏହି ଗବେଷଣା କେନ୍ଦ୍ର ଭାରତର ଗୋଟେ ପ୍ରଧାନ ଓଡ଼ିଶୀ ଅନୁଷ୍ଠାନ ହୋଇ ଗଢ଼ି ଉଠିଲା। ‘‘ଓଡ଼ିଶୀ ନୃତ୍ୟ ସରଣୀ’’ ପୁସ୍ତକ ଉନ୍ମୋଚନ ଦିବସରେ ସେ ବହୁତ ଖୁସି ହୋଇଥିଲେ ଏବ˚ ତାଙ୍କ ବକ୍ତବ୍ୟରେ କହିଥିଲେ ମୁଁ ଭାବି ନ ଥିଲି ଯେ କୁମ୍‌କୁମ୍‌ ଏପରି ଗୋଟିଏ ବ୍ୟାକରଣ (ଓଡ଼ିଶୀ ନୃତ୍ୟ) ବହି ଏତେ ଶୀଘ୍ର ପ୍ରକାଶ କରିବ ଯେଉଁଟି ଓଡ଼ିଶୀ ନୃତ୍ୟକୁ ଯୁଗଯୁଗ ଧରି ବଞ୍ଚାଇ ରଖିବ। ସେ ଜଣେ ଉଚ୍ଚକୋଟୀର ସ˚ସ୍କୃତ ପଣ୍ତିତ। ତେଣୁ ଏ ପୁସ୍ତକଟିକୁ ସେ ଅତି ଶୀଘ୍ର ବୁଝିପାରିଥିଲେ ଏବଂ ତା’ର ଗୁରୁତ୍ବ ବିଷୟରେ ନିଶ୍ଚିତ ଥିଲେ।

ଜାନକୀ ବାବୁଙ୍କର ଏକ ବଡ଼ ସ୍ବପ୍ନ କୋଣାର୍କ ନୃତ୍ୟ ଉତ୍ସବରେ ସାକାର ହୋଇଥିଲା। ତାଙ୍କ ତତ୍ତ୍ବାବଧାନରେ କୋଣାର୍କ ମନ୍ଦିର ସାମ୍ନାରେ ବିଶାଳ ମୁକ୍ତାକାଶ ଅଡିଟୋରିଅମ୍‌ ହୋଇଥିଲା। ଏହାକୁ ଏକ ଅନନ୍ୟ ନୃତ୍ୟ ଉତ୍ସବ କରିବାର ଯୋଜନା ଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶୀ ଗବେଷଣା କେନ୍ଦ୍ରର ନୃତ୍ୟନାଟିକା କ’ଣ ହେବ ଏବେ ସେ’ଟା ହେଲା ବଡ଼ ପ୍ରଶ୍ନ। ନିଜେ ଜାନକୀବାବୁ ଗୁରୁ କେଳୁଚରଣ, ପଣ୍ତିତ ଭୁବନେଶ୍ବର ମିଶ୍ର ଏବ˚ ମତେ ବସାଇ ରାଧାନାଥ ରାୟଙ୍କ ଗ୍ରନ୍ଥାବଳୀରୁ ‘ଚନ୍ଦ୍ରଭାଗା’ ଶୀର୍ଷକ ନାଟିକାଟିକୁ ବାଛିଲେ ଏବ˚ ଆମକୁ ପ୍ରାଞ୍ଜଳ ଭାବେ ବୁଝାଇଲେ। ସେ ଏତେ ସୁନ୍ଦର ଏବ˚ ସରଳ ଭାବେ ବୁଝାଇଲେ ଯେ ଗୁରୁ କେଳୁଚରଣ ଏବ˚ ପଣ୍ତିତ ଭୁବନେଶ୍ବର ମିଶ୍ରଙ୍କ ଠାରେ ତାହା ପ୍ରବଳ ଉତ୍ସାହ ସୃଷ୍ଟି କଲା ଏବ˚ ଏହା ପ୍ରଥମ କୋଣାର୍କ ନୃତ୍ୟ ଉତ୍ସବର ପ୍ରଥମ ସନ୍ଧ୍ୟାରେ (୧୯୮୯) ପରିବେଷିତ ଏକ ଅବିସ୍ମରଣୀୟ ଅନୁଭୂତି ହୋଇ ରହିଗଲା।
ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପ୍ରଥମ ଓଡ଼ିଆ ହିସାବରେ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ଅଗ୍ରଣୀ। ଗବେଷଣା କେନ୍ଦ୍ରର ପ୍ରଶିକ୍ଷିତ ଛାତ୍ରଛାତ୍ରୀମାନଙ୍କ ଦ୍ବାରା, ପଣ୍ତିତ ଭୁବନେଶ୍ବର ମିଶ୍ର ପ୍ରଥମ ଥର ପାଇଁ ଓଡ଼ିଶୀ ସଙ୍ଗୀତକୁ ସର୍ବଭାରତୀୟ ସ୍ତରରେ ପ୍ରସ୍ତୁତି ପାଇଁ ଟ୍ରେନି˚ ଦେଲେ ଓ ମୁଖ୍ୟମନ୍ତ୍ରୀ ଜାନକୀ ବାବୁ ତାହାକୁ ନୂଆଦିଲ୍ଲୀରେ ପରିବେଷଣ କରିବା ପାଇଁ ସମ୍ମତି ଆଣିଲେ ଏବ˚ ସହାୟକ ହେଲେ। ଜାନକୀ ବାବୁ ଭାରତର ଉପରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କଲେ ଏହି ସଙ୍ଗୀତ ଆସରକୁ। ଯେଉଁଥିରେ ପଦ୍ମଭୂଷଣ କେଳୁଚରଣ ମହାପାତ୍ର, ପଣ୍ତିତ ଭୁବନେଶ୍ବର ମିଶ୍ର ଏବ˚ ପଦ୍ମଭୂଷଣ ହରିପ୍ରସାଦ ଚୌରାସିଆ ଭାଗ ନେଇଥିଲେ। ଏଠାରେ ପରିବେଷିତ ସଙ୍ଗୀତରେ ସ୍ବର୍ଗୀୟା ସଂଯୁକ୍ତା ପାଣିଗ୍ରାହୀ ଏବ˚ ମୁଁ ନୃତ୍ୟ ପରିବେଷଣ କରିଥିଲୁ। ସାପ୍ରା ହାଉସ୍‌ ହଲ୍‌ରେ ଲୋକ ଭରପୂର ହୋଇଯାଇଥିଲେ। ତାଳିରେ ସବୁ ଆଡ଼ ଫାଟି ଯାଉଥିଲା। ଏହାର ପୃଷ୍ଠପୋଷକ ମୁଖ୍ୟମନ୍ତ୍ରୀ ଜାନକୀ ବାବୁ କିନ୍ତୁ ନିରବରେ ବସିଥାଆନ୍ତି ଏବ˚ ଓଡ଼ିଶୀ ସଙ୍ଗୀତର ଭବିଷ୍ୟତ୍‌ ଶାସ୍ତ୍ରୀୟ ମାନ୍ୟତା ନେଇ ଆଶାବାଦୀ ହୋଇ ଉଠିଥାଆନ୍ତି।

ବ୍ୟକ୍ତିଗତ ଭାବରେ ମୁଁ ଯେଉଁ ନୃତ୍ୟ ଜଗତ୍‌ରୁ ଅଦୃଶ୍ୟ ହୋଇଯାଇଥିଲି, ଜାନକୀ ବାବୁ ମତେ ଫେରାଇ ଆଣିଲେ ପୁଣି ସେଇ ଜଗତ୍‌କୁ। ‘ଓଡ଼ିଶୀ ନୃତ୍ୟ ସାରଣୀ’ ପୁସ୍ତକ ଦେଖିବା ପରେ ମତେ ମୁଖ୍ୟମନ୍ତ୍ରୀ କହିଥିଲେ ତୁ ଆଉ ଭାରତ ସରକାରଙ୍କ ଚାକିରିକୁ ଫେରି ଯାଆନି। ମୁଁ ନିରବ ରହିଲି। ଏଡ଼େ ବଡ଼ ନିଷ୍ପତ୍ତି! ମୋର ଡେପୁଟେସନ ସରିଯିବାରୁ ଜାନକୀ ବାବୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଲେ ଯେ ଏହି ଅଫିସରର ଡେପୁଟେସନ୍‌କୁ ଆଉ ୨ ବର୍ଷ ପାଇଁ ବଢ଼ାଯାଉ। ହେଲେ ବିଭାଗ ରାଜି ହେଲେ ନାହିଁ। ତା’ ପରେ ଜାନକୀ ବାବୁ ମତେ ଡାକି କହିଲେ ତୁ ରାଜ୍ୟ ସରକାରଙ୍କ ଚାକିରିରେ ସାମିଲ ହୋଇଯାଆ। ନିଷ୍ପତ୍ତି ନେବା କଷ୍ଟକର ଥିଲା। ମୋ ସ୍ବାମୀ ମଦନମୋହନ ମହାନ୍ତି, ଆଇଏଏସ୍‌, କହିଲେ ତୁମ ନିଷ୍ପତ୍ତି। ମୋର କିଛି କହିବାର ନାହିଁ। ବାପାଙ୍କୁ ପଚାରିଲି, ଉତ୍ତର ଆସିଲା ଯଦି ଗବେଷଣା କାମ କରିବୁ ତା’ହେଲେ ଚଳିବ। ତେଣୁ ଶେଷରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ କଥା ରହିଲା।
‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ ଓଡ଼ିଶୀ
ନୃତ୍ୟାଙ୍ଗନା ଓ ଗବେଷିକା

ସମ୍ବନ୍ଧିତ ଖବର