ସ୍ବାମୀଙ୍କଠାରୁ ମିଳୁଥିବା ସ୍ନେହ, ସହାୟତା ଓ ସାହଚର୍ଯ୍ୟ ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ପ୍ରତିବର୍ଷ ଏପ୍ରିଲ୍ ତୃତୀୟ ଶନିବାର ପାଳନ କରାଯାଏ ‘ହଜ୍ବ୍ୟାଣ୍ଡ୍ ଆପ୍ରେସିଏସନ୍ ଡେ’ ବା ‘ସ୍ବାମୀ ଅନୁରାଗ ଦିବସ’। ବିବାହ ପରେ ମହିଳାଟିଏ ଜୀବନ ଜଞ୍ଜାଳରେ ଛନ୍ଦିହୋଇ ଯାଉଥିବାରୁ ସବୁ କ୍ଷେତ୍ରରେ ପାଖେ ପାଖେ ରହି ସହାୟତା କରୁଥିବା ସ୍ବାମୀର ଅବଦାନ କଥା ବେଳେ ବେଳେ ତା’ର ପାସୋର ହୋଇଯାଏ। ତେଣୁ, ଏହିଦିନ ଦୈନନ୍ଦିନ ଜଞ୍ଜାଳରୁ କିଛି ସମୟ କାଢ଼ି ସ୍ବାମୀଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବା ସହିତ ପରିବାର ପ୍ରତି ତାଙ୍କର ନିଷ୍ଠାପର କର୍ତ୍ତବ୍ୟ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଲକ୍ଷ୍ୟରେ ସ୍ବାମୀ ଅନୁରାଗ ଦିବସ ପାଳନ କରାଯାଏ।
‘ସ୍ବାମୀ ଅନୁରାଗ ଦିବସ’ କେବେ ଆରମ୍ଭ ହେଲା ଏବଂ ଏହାର ସୃଷ୍ଟିକାରୀ କିଏ, ତାହା ଏଯାବତ୍ ଅଜ୍ଞାତ। ସେ ଯାହାହେଉ, ଦିନ ଥିଲା ସ୍ବାମୀ କେବଳ ପରିବାର ଚଳାଇବା ପାଇଁ ଅର୍ଥ ଉପାର୍ଜନ କରୁଥିଲେ। ଆଜିକାଲି ଅର୍ଥ ଉପାର୍ଜନ ସହିତ ସ୍ବାମୀମାନେ ଘରକରଣା, ରନ୍ଧାବଢ଼ା ଓ ପିଲାଙ୍କ ତତ୍ତ୍ବାବଧାନ କାର୍ଯ୍ୟ ମଧ୍ୟ କରୁଛନ୍ତି। ତେଣୁ, ଜଣେ ସ୍ନେହୀ ଅର୍ଦ୍ଧାଙ୍ଗିନୀ ଭାବେ ସ୍ବାମୀଙ୍କ ପ୍ରତି ଅନୁରାଗ ପ୍ରଦର୍ଶନ ପାଇଁ ସ୍ବାମୀ ଅନୁରାଗ ଦିବସରେ ନିମ୍ନୋକ୍ତ କାର୍ଯ୍ୟ କରାଯାଇପାରିବ ବୋଲି ମତ ଦିଅନ୍ତି ମନସ୍ତତ୍ତ୍ବବିତ୍ ସୁଦୀପ୍ତା ପାଣିଗ୍ରାହୀ।
ଆକସ୍ମିକ ଯୋଜନା କରନ୍ତୁ: ସ୍ବାମୀଙ୍କୁ ସର୍ପରାଇଜ୍ ଦିିଅନ୍ତୁ। ତାଙ୍କ ପସନ୍ଦର ସ୍ଥାନକୁ ଆକସ୍ମିକ ସାନ୍ଧ୍ୟ ବା ରାତ୍ର ଭ୍ରମଣରେ ଯିବାପାଇଁ ଯୋଜନା କରନ୍ତୁ। ତାଙ୍କ ପ୍ରିୟ ରେସ୍ତୋରାଁରେ ରାତ୍ରଭୋଜନ କରାନ୍ତୁ କିମ୍ବା ତାଙ୍କ ରୁଚି ଅନୁସାରେ ଚଳଚ୍ଚିତ୍ର ଦେଖାଇବାକୁ ନେଇଯାଆନ୍ତୁ। ଏସବୁ ତାଙ୍କୁ ନିଶ୍ଚୟ ତାଙ୍କୁ ଭଲ ଲାଗିବ।
ହୃଦୟକୁ ଛୁଉଁଥିବା ଚିଠିଟିଏ ଲେଖନ୍ତୁ: ଦୈନନ୍ଦିନ ଜୀବନର ବାର୍ତ୍ତାଳାପ ଗତାନୁଗତିକ ହୋଇଥାଏ। ସ୍ବାମୀଙ୍କ ନିକଟକୁ ଅନ୍ତରଛୁଆଁ ଚିଠି ବା ଚିଟାଉଟିଏ ଲେଖନ୍ତୁ। ଆପଣଙ୍କ ଭାବନା ଓ କୃତଜ୍ଞତା ବ୍ୟକ୍ତକରନ୍ତୁ। କାହିଁକି ତାଙ୍କୁ ଶ୍ରଦ୍ଧା କରୁଛନ୍ତି ତା’ର ନିର୍ଦ୍ଦିଷ୍ଟ କାରଣ ଜଣାନ୍ତୁ, ଏକତ୍ର ବିତାଇଥିବା ସୁନ୍ଦର ସ୍ମୃତି ଅବତାରଣା କରନ୍ତୁ, ଅାପଣଙ୍କ ଜୀବନରେ ତାଙ୍କ ଉପସ୍ଥିତି ନିମନ୍ତେ ତାଙ୍କୁ କୃତଜ୍ଞତା ଜ୍ଞାପନକରନ୍ତୁ। ଏଇ ସାମାନ୍ୟ ହାତଲେଖା ସନ୍ଦେଶଟି ଆପଣଙ୍କ ସଂପର୍କକୁ ମଧୁମୟ କରିବ।
ଆରାମଦାୟକ ଉପଚାର ଦ୍ବାରା ଫୂର୍ତ୍ତିଶୀଳ କରାନ୍ତୁ: ସ୍ବାମୀଙ୍କ କର୍ମକ୍ଳାନ୍ତ ଜୀବନରେ ଯଦି ଆରାମ ଲାଗି କମ୍ ସମୟ ମିଳୁଥାଏ ତେବେ ଏଥିଲାଗି ସ୍ବତନ୍ତ୍ର ଆୟୋଜନ କରନ୍ତୁ। ତାଙ୍କୁ ମସାଜ୍ ଲାଗି କୌଣସି ସ୍ପା’କୁ ନିଅନ୍ତୁ ଅଥବା ଘରେ ବିଶ୍ରାମ ପାଇଁ ବ୍ୟବସ୍ଥା କରନ୍ତୁ। ଯଦି ସମ୍ଭବ ନିଜେ କିଛି ଉପଚାର କରନ୍ତୁ। ସେ ପୁନଶ୍ଚ ଫୂର୍ତ୍ତିଶୀଳ ହେବା ଭଳି ଅବସର ସୃଷ୍ଟି କରନ୍ତୁ। ଏହା ତାଙ୍କୁ ନିଶ୍ଚୟ ଭଲ ଲାଗିବ।
ମନଲାଖି ବ୍ୟଞ୍ଜନ ବାଢ଼ନ୍ତୁ: ସ୍ବାମୀଙ୍କୁ ସ୍ବତନ୍ତ୍ର ଅନୁଭବ କରାଇବାର ସହଜ ଉପାୟ ହେଉଛି ସେ ସୁଖପାଉଥିବା ଖାଦ୍ୟ ଦ୍ବାରା ତାଙ୍କୁ ଆପ୍ୟାୟନ କରିବା। ତାଙ୍କୁ ତୃପ୍ତ କଲାଭଳି ମନଲାଖି ବ୍ୟଞ୍ଜନ ରାନ୍ଧନ୍ତୁ। ଯଦି ସେ ଖାଦ୍ୟରସିିକ ତେବେ ଘରତିଆରି ଜଳଖିଆ ହେଉ ବା ତୃପ୍ତିକର ରାତ୍ରଭୋଜନ ଅଥବା ସ୍ବତନ୍ତ୍ର ମିଷ୍ଟାନ୍ନ ହେଉ- ଆପଣଙ୍କ ହାତରନ୍ଧା ଖାଦ୍ୟ ତାଙ୍କ ପାଇଁ ସ୍ମରଣୀୟ ପ୍ରୀତି-ସନ୍ତକ ହୋଇ ରହିବ।
ସ୍ମୃତି-ସନ୍ତକ ଉପହାର ଦିଅନ୍ତୁ: ସ୍ବାମୀଙ୍କ ପ୍ରତି ଉତ୍ସର୍ଗୀକୃତ ସ୍ମୃତିଲିପି ଅଥବା ସ୍କାର୍ପବୁକ୍ରେ ତାଙ୍କୁ ଉଲ୍ଲସିତ କରୁଥିବା କିଛି ସ୍ମୃତି, ଫଟୋ ଓ ସନ୍ତକ ଆଦି ସଂଗ୍ରହ କରନ୍ତୁ। ଦୁହେଁ ଏକତ୍ର ବିତାଇଥିବା ବିଶେଷ ମୁହୂର୍ତ୍ତ, ଉଲ୍ଲେଖନୀୟ ଘଟଣା ଓ ଅଭିସାର ଆଦି ଲେଖି ମନଛୁଆଁ ପରିଚୟୋକ୍ତି ଓ ଟିପ୍ପଣୀ ଦିଅନ୍ତୁ। ଏ ସ୍ମୃତିଲିପି ଉପହାର ତାଙ୍କଠାରେ ଭାବୋଚ୍ଛ୍ବାସ ଉଦ୍ରେକ କରାଇବ ଏବଂ ଆପଣଙ୍କ ସହ ତାଙ୍କର ବନ୍ଧନ ଆହୁରି ନିବିଡ଼ ହେବ।
ଆବେଗିକ ଅନ୍ତରଙ୍ଗତାରେ ବାନ୍ଧନ୍ତୁ: ସ୍ବତ୍ତଃସ୍ଫୂର୍ତ୍ତ ଅଭିସାର ହେଉ, ଅଥବା ହାତ ଧରାଧରି ହୋଇ ଚାଲିବା ହେଉ। ସ୍ବାମୀଙ୍କ ସହ ଅନ୍ତରଙ୍ଗ ହେବାର ଏହା ଏକ ପ୍ରକୃଷ୍ଟ ଅବସର। ତାଙ୍କୁ ଆଲିଙ୍ଗନ କରନ୍ତୁ ଏବଂ ଚୁମ୍ବନ ଦିଅନ୍ତୁ। ଏଭଳି ମଧୁର ଅନୁଭୂତି ଆପଣଙ୍କ ସମ୍ପର୍କ ନିବିଡ଼ କରିବ ଏବଂ ଚିରକାଳ ସ୍ମରଣୀୟ ହୋଇ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/13/TdPZW6wt6bjon1Du4fXH.jpg)