କୁହାଯାଏ, ମରଶରୀର ନିର୍ଜୀବ, ନିର୍ବାକ୍। ହଁ, ନିର୍ଜୀବ ହୋଇପାରେ, କିନ୍ତୁ ନିର୍ବାକ୍ ନୁହେଁ। କାରଣ ଶବ ବି ଅନେକ କଥା କହେ! ମୃତକର ନଖ, କେଶଠାରୁ ଆରମ୍ଭ କରି ପ୍ରତିଟି ଅଙ୍ଗ ବୟାନ କରେ ମୃତ୍ୟୁର କାରଣ! କେବେ ମରଣ ପୂର୍ବର କରୁଣ କାହାଣୀ କହେ ତ କେବେ ପ୍ରତିଟି ଆଘାତ ପଛର ଗୂଢ଼ ରହସ୍ୟ ଉପରୁ ପରଦା ହଟାଇ ଦିଏ। ବ୍ୟବଚ୍ଛେଦ କରୁଥିବା ଡାକ୍ତର ମରଶରୀରର କଥା ଶୁଣିପାରନ୍ତି! ଆଉ ସେ ଖୋଲିଦିଅନ୍ତି ମୃତ୍ୟୁର ରହସ୍ୟ।
ଉପସ୍ଥାପନା: ସସ୍ମିତା ସାହୁ
୨୦୨୧ ଜାନୁଆରି ୨୭। ଯାଜପୁର କୁଆଖିଆ ଥାନା ମୂଳାପାଳ ଛକଠାରୁ ଗଙ୍ଗାଧରପୁର ରାସ୍ତା ପାର୍ଶ୍ବରୁ ଭୁବନେଶ୍ବରର ଏକ ସମ୍ଭ୍ରାନ୍ତ ଶିକ୍ଷାନୁଷ୍ଠାନର ଛାତ୍ରୀ ଝରାଫୁଲ ନାୟକଙ୍କର ମୃତଦେହ ମିଳିଲା। ପୂର୍ବ ରାତିରେ ଦୁଇଜଣ ଯୁବକ ଛାତ୍ରୀଙ୍କ ମୃତଦେହ ସେଠାରେ ଫୋପାଡ଼ିବାର ଦୃଶ୍ୟ ନିକଟରେ ଥିବା ଇଟାଭାଟିର ସିସି କ୍ୟାମେରାରେ କଏଦ୍ ହୋଇଥିଲା। ପ୍ରାରମ୍ଭିକ ତଦନ୍ତ କରି ପୁଲିସ୍ ଛାତ୍ରୀଙ୍କ ପୁରୁଷବନ୍ଧୁ ରାକେଶ ସ୍ବାଇଁଙ୍କୁ ଧରିବା ପରେ ସେ କହିଲେ, ଝରାଫୁଲର ମୃତ୍ୟୁ ସ୍ବାଭାବିକ। ପୁଲିସ ଭୟରେ ନିଜ ସାଙ୍ଗ ସହ ଶବକୁ ଆଣି ଫୋପାଡ଼ି ଦେଇଛନ୍ତି। କିନ୍ତୁ, ଝରାଫୁଲଙ୍କ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇଦେଲା। ଅସଲରେ ବାଇକ୍ କିଣିବା ପାଇଁ ରାକେଶ ଝରାଫୁଲଙ୍କଠାରୁ ୩୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଧାର ନେଇଥିଲା। ବାରମ୍ବାର ଏହି ଟଙ୍କା ମାଗିବାରୁ ଉଭୟଙ୍କ ସଂପର୍କ ବିଗିଡ଼ି ଯାଇଥିଲା। ଶେଷରେ ଝରାଫୁଲଙ୍କୁ ଏକ ହୋଟେଲକୁ ଡାକି ରାକେଶ ବାଧ୍ୟ କରି ମଦ ପିଆଇଥିଲା ଏବଂ ନିଶାସକ୍ତ ଅବସ୍ଥାରେ ନାକ ଓ ପାଟିକୁ ଚାପି ହତ୍ୟା କଲା। ତା’ପରେ ଜଣେ ସାଙ୍ଗ ସହ ମିଶି ଶବକୁ ଯାଜପୁର ଆଣି ଫିଙ୍ଗିଦେଲା।
ବେଳେ ବେଳେ ହତ୍ୟା ମନେହେଉଥିବା ଘଟଣା ବି ଆତ୍ମହତ୍ୟା ହୋଇପାରେ! ୨୦୧୮ ମାର୍ଚ୍ଚ ୨୦ ତାରିଖର କଥା। ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟା କୁଆଖାଇ ନଦୀପଠାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡ଼ିଥିବା ଦେଖାଗଲା। ଘଟଣାସ୍ଥଳକୁ ଯାଇ ପୁଲିସ ତଦନ୍ତ କରିବା ସହ ଦରପୋଡ଼ା ମୃତଦେହ ଓ ପାଖରେ ପଡ଼ିଥିବା ଛୁରି, ଲାପ୍ଟପ୍ ଆଦି ଜବତ କଲା। ମୃତକ ଥିଲେ ଉନ୍ମୟ ପାଢ଼ୀ। କିଏ ତାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରିଛି? ଶେଷରେ ଶବ ବ୍ୟବଚ୍ଛେଦ ରିପୋର୍ଟ ରହସ୍ୟ ଉପରୁ ପରଦା ହଟାଇଥିଲା। ତତ୍କାଳୀନ ପୁଲିସ କମିସନର୍ ୱାଇ ବି ଖୁରାନିଆ ସାମ୍ବାଦିକ ସମ୍ମିଳନୀ କରି କହିଲେ, ଉନ୍ମୟଙ୍କୁ ହତ୍ୟା କରାଯାଇ ନାହିଁ। ସେ ନିଜ ଦେହରେ ନିଜେ ଛୁରି ଭୁସିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ମେଡିକାଲ ରିପୋର୍ଟ ହିଁ ଉନ୍ମୟ ଆତ୍ମହତ୍ୟା କରିଥିବା ଘଟଣାକୁ ସ୍ପଷ୍ଟ କରିଛି। ଉନ୍ମୟଙ୍କର ଜଣେ ସହକର୍ମୀ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ଉନ୍ମୟ ଗିରଫ ହୋଇ ଜେଲ ଯାଇଥିଲେ। ପାଖରେ ଚାକିରି ନଥିଲା, ସମ୍ମାନ ବି ଚାଲିଯାଇଥିଲା। ପୁଣି ସଂପୃକ୍ତ ଯୁବତୀ ତାଙ୍କୁ ବ୍ଲାକ୍ମେଲ୍ କରୁଥିବାରୁ ନିରାଶ ହୋଇ ସେ ଆତ୍ମହତ୍ୟା କରିଛନ୍ତି।
ଏମିତି ଅନେକ ହତ୍ୟା ଓ ଆତ୍ମହତ୍ୟା ଘଟଣାର ପର୍ଦ୍ଦାଫାସ୍ କେବଳ ମୃତକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ହିଁ ହୋଇପାରିଛି। ଗତ ୯ ତାରିଖରେ କୋଲ୍କାତାର ଆର୍ଜି କର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ଯୁବ ଡାକ୍ତରାଣୀ ଅଭୟାଙ୍କ ସହ ହୋଇଥିବା ଅମାନୁଷିକ କାଣ୍ଡକୁ ତାଙ୍କ ଶରୀର ହିଁ ବଖାଣିଛି। ବ୍ୟବଚ୍ଛେଦ ରିପୋର୍ଟ ତାଙ୍କ ହତ୍ୟା ଓ ଦୁଷ୍କର୍ମ ସମ୍ପର୍କରେ ଯାହା ବୟାନ କରିଥିଲା ତାହା ସଭ୍ୟ ସମାଜର ମୁଣ୍ଡକୁ ନୁଆଁଇ ଦେଇଛି।
ଶବ ବ୍ୟବଚ୍ଛେଦର ଇତିହାସ
ପୋଷ୍ଟ୍ମର୍ଟମ୍ ହେଉଛି ଏକ ଲାଟିନ୍ ଶବ୍ଦ। ‘ପୋଷ୍ଟ୍’ ଅର୍ଥାତ ‘ପରେ’ ଓ ‘ମର୍ଟମ୍’ ଅର୍ଥାତ ‘ମୃତ୍ୟୁ’। ମୃତ୍ୟୁ ପରେ ହେଉଥିବା ଶରୀରର ବ୍ୟବେଚ୍ଛଦକୁ ‘ପୋଷ୍ଟ୍ମର୍ଟମ୍’ କୁହାଯାଏ। ୧୭୩୪ ମସିହାେର ଏହି ଶବ୍ଦ ପ୍ରଥମେ ବ୍ୟବହୃତ ହୋଇଥିଲା। ଶବ ବ୍ୟବଚ୍ଛେଦର ଇତିହାସ ବେଶ୍ ରୋଚକ। ବିଭିନ୍ନ ଧର୍ମରେ ଶରୀରକୁ ଆତ୍ମାର ବାହକ ବୋଲି ଗ୍ରହଣ କରାଯାଇଥିବା ବେଳେ ମୃତ୍ୟୁ ପରେ ମୃତକର ଶରୀର କାଟିବାକୁ ଅଧାର୍ମିକ ତଥା ବର୍ବରତା ବୋଲି ଗ୍ରହଣ କରାଯାଉଥିଲା। ମଧ୍ୟଯୁଗରେ ଇଜିପ୍ଟର ଲୋକମାନେ ମୃତ୍ୟୁ ପରେ ମନୁଷ୍ୟ ଶରୀରର ବ୍ୟବଚ୍ଛେଦ କରୁଥିଲେ। କିନ୍ତୁ ଶରୀରର ଅନୁଧ୍ୟାନ ପାଇଁ ନୁହେଁ, ମୃତକର କିଛି ଅଙ୍ଗ ସଂରକ୍ଷିତ କରିିବାକୁ ଏହି ବ୍ୟବଚ୍ଛେଦ ହେଉଥିଲା। ରୋଗ ଅଧ୍ୟୟନ ପାଇଁ ପ୍ରାୟ ୩୦୦ ବର୍ଷ ପୂର୍ବେ ପ୍ରଥମ ବ୍ୟବଚ୍ଛେଦ ଆଲେକ୍ଜାଣ୍ଡାରିଆନ୍ ଚିକିତ୍ସକ ହେରୋଫିଲସ୍ ଓ ଏରାସିଷ୍ଟ୍ରାଟସ୍ଙ୍କ ଦ୍ବାରା କରାଯାଇଥିଲା।