ଉତ୍ତର କାଲିଫର୍ଣ୍ଣିଆରେ ଡେଥ୍ ଭ୍ୟାଲି ଇଲାକାର ପୂର୍ବକୁ ଅମରଗୋସା ମରୁଭୂମିରେ ସ୍ଥାପିତ ଏକ ମୁକ୍ତାକାଶ ସଂଗ୍ରହାଳୟ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି। ‘ଭୂତ କଳାର ମରୂଦ୍ୟାନ’ ନାମରେ ଲୋକପ୍ରିୟ ଗୋଲ୍ଡୱେଲ ମୁକ୍ତାକାଶ ସଂଗ୍ରହାଳୟରେ ଶୋଭା ପାଉଥିବା ସାମଗ୍ରୀଗୁଡ଼ିକ ଏହାର ନାମକୁ ସାର୍ଥକ କରିଛି। ଅଦ୍ଭୁତ ଅଥଚ ମନମୁଗ୍ଧକର ସଂଗ୍ରହାଳୟଟି ଏହାର ଭୂତ ମୂର୍ତ୍ତିଗୁଡ଼ିକ ପାଇଁ ପ୍ରସିଦ୍ଧ, ଯେଉଁଥିରେ ଲିଓନାର୍ଡୋ ଡା ଭିନ୍ସିଙ୍କ ଅନନ୍ୟ ଚିତ୍ରକଳା ‘ଦି ଲାଷ୍ଟ ସପ୍ପର’ ମଧ୍ୟ ଅନ୍ତର୍ଭୁକ୍ତ। ୧୯୮୪ ମସିହାରେ ବେଲଜିଅମ୍ର ଚିତ୍ରଶିଳ୍ପୀ ଚାର୍ଲସ ଆଲବର୍ଟ ସୁଲାସ୍କିଙ୍କ ଦ୍ବାରା ଏହି ସଂଗ୍ରହାଳୟର ପରିକଳ୍ପନା କରାଯାଇଥିଲା ଯେଉଁଥିରେ ପ୍ଲାଷ୍ଟରର ଭୂତ ପ୍ରତିକୃତିଗୁଡ଼ିକ ସଂଗ୍ରହାଳୟର କେନ୍ଦ୍ରସ୍ଥଳୀରେ ସ୍ଥାନ ପାଇଥିଲା। ତାଙ୍କର ପରବର୍ତ୍ତୀ କୃତିରେ ମଧ୍ୟ ଭୟଙ୍କର ଛବି ଦେଖିବାକୁ ମିଳିଥିଲା।
ସେଗୁଡ଼ିକ ଭିତରେ ‘ଦି ଘୋଷ୍ଟ ରାଇଡର’ ଭାବେ ପରିଚିତ ସାଇକେଲ ଚଳାଉଥିବା ଏକ ସ୍ବତନ୍ତ୍ର ଆକୃତି ମନରେ ଭୟ ସଂଚାର କରିବାକୁ ଯଥେଷ୍ଟ। ସୁଲାସ୍କିଙ୍କ ଅଭିନବ ଅନୁଶୀଳନକୁ ଅନୁସରଣ କରି ଅନ୍ୟ ୟୁରୋପୀୟ ଶିଳ୍ପୀମାନେ ମଧ୍ୟ ସେଠାରେ କେତେକ ମୂର୍ତ୍ତି ଯୋଡ଼ିଛନ୍ତି। ସମ୍ପ୍ରତି ନିର୍ଜନ ମରୁଭୂମିର ଭୂଦୃଶ୍ୟ ଏହିପରି ସାତଟି ଭାସ୍କର୍ଯ୍ୟରେ ସଜ୍ଜିତ ଏବଂ ପ୍ରତ୍ୟେକଟି ଗୋଲ୍ଡୱେଲ ସଂଗ୍ରହାଳୟର ଅଦ୍ଭୁତ ଅଥଚ ଆକର୍ଷଣୀୟ ଆଭାକୁ ବିକଶିତ କରିଚାଲିଛି। ଉକ୍ତ ସଂଗ୍ରହାଳୟ ଏକ ଉତ୍ସର୍ଗୀକୃତ ପରିଦର୍ଶନ କେନ୍ଦ୍ର ରହିଛି ଯେଉଁଠି ପ୍ରଦର୍ଶନୀମାନ ଆୟୋଜିତ ହୋଇଥାଏ। ସେଠାରେ ଏକ ବିଚିତ୍ର ଉପହାର ଦୋକାନ ମଧ୍ୟ ଅଛି। ଏହି ଭୂତ ଭାସ୍କର୍ଯ୍ୟର ଉଦ୍ୟାନଟି ବର୍ଷର ସବୁ ସମୟରେ ପରିଦର୍ଶନ ପାଇଁ ଉପଲବ୍ଧ, ତେବେ ଏହାର ପରିଦର୍ଶନ କେନ୍ଦ୍ରଟି କେବଳ ଗ୍ରୀଷ୍ମଋତୁରେ କିଛି ନିର୍ଦ୍ଦିଷ୍ଟ ସପ୍ତାହରେ ପର୍ଯ୍ୟଟକମାନଙ୍କୁ ସ୍ବାଗତ କରିଥାଏ।