ଭାରତରେ ଲୋକେ କୁକୁର, ବିରାଡ଼ି, ମାଛ, କଚ୍ଛପ ଓ ବିଭିନ୍ନ ପକ୍ଷୀ ପାଳିବାକୁ ସୁଖପାଆନ୍ତି। କିନ୍ତୁ, କେହି କେବେ ସାପ ପାଳିଥିବା କଥା ଜାଣନ୍ତି କି? ବିଷଧର ହୁଅନ୍ତୁ ବା ବିଷହୀନ- ଲୋକେ ସାପ ଭଳି ସରୀସୃପ ପାଳିବା କ୍ବଚିତ୍ ଦେଖାଯାଏ। ସେପଟେ ଜୀବବିଜ୍ଞାନୀମାନେ ମଧ୍ୟ କହନ୍ତି ଯେ ସାପ କେବେ ବି ବୋଲ ମାନେନି। କିନ୍ତୁ, ଭାରତରେ ଏଭଳି ଗୋଟାଏ ଗଁା ଅଛି ଯେଉଁଠି ପ୍ରତି ଘରେ ସାପ ପାଳନ କରାଯାଏ। ସେ ପୁଣି ଯାହିତାହି ସାପ ନୁହେଁ, ନାଗସାପ!
ସାପ ପାଳନ କରାଯାଉଥିବା ଶେତ୍ପାଲ୍ ନାମକ ସେ ଗାଁ ମହାରାଷ୍ଟ୍ର ରାଜ୍ୟର ସୋଲାପୁର ଜିଲ୍ଲାରେ ଅବସ୍ଥିତ। ସେ ଗ୍ରାମରେ ନାଗମାନେ ଅବାଞ୍ଛିତ ଅତିଥି ନୁହନ୍ତି; ସେଠାକାର ପ୍ରତି ପରିବାରର ସଦସ୍ୟମାନଙ୍କ ଚିରନମସ୍ୟ। ସେଠି ନାଗମାନଙ୍କୁ ଘର ଭିତରକୁ ପାଛୋଟି ନେଇ ଆଶ୍ରୟ ଦିଆଯାଏ। ପ୍ରତ୍ୟେକଙ୍କ ଘରେ ଖୋଲଟିଏ ଅଛି ଏବଂ ନାଗସାପମାନେ ସେଥିରେ ପ୍ରବେଶକରି ବିଶ୍ରାମ ନିଅନ୍ତି। ସେମାନେ ନାଗସାପଙ୍କୁ ପବିତ୍ରତାର ପ୍ରତୀକ ବୋଲି ବିବେଚନା କରନ୍ତି। ନାଗ ସେମାନଙ୍କ ସଂସ୍କୃତି ସହ ଓତପ୍ରୋତ ଜଡ଼ିତ କହିଲେ ଅତ୍ୟୁକ୍ତି ହେବନାହିଁ। ଶେତ୍ପାଲ୍ ଗ୍ରାମବାସୀଙ୍କ ଘରେ କେହି କେବେ କୁକୁରଟିଏ ଭୁକିବା ଅଥବା ବିରାଡ଼ିଟିଏ ଘର ଭିତରେ ଜାକିଜୁକି ହୋଇ ଶୋଇଥିବା ଦେଖି ନ ଥିବେ। ବରଂ ନାଗସାପ ସବୁ ଘରେ, ବାହାରେ, ପ୍ରାଙ୍ଗଣରେ, ଏପରିକି ଶୟନକକ୍ଷରେ ଅବାଧରେ ବିଚରଣ କରୁଥିବା ଦେଖିଥିବେ! ସେ ଅଞ୍ଚଳରେ ଥିବା ସ୍କୁଲ୍, ଶ୍ରେଣୀକକ୍ଷ ଓ ଦୋକାନରେ ମଧ୍ୟ ନାଗମାନେ ଅବାଧରେ ପ୍ରବେଶ କରନ୍ତି। ଏଇଥିପାଇଁ ହିଁ ସେ ଗାଁ ‘ଭାରତର ଭୁଜଗ ଗ୍ରାମ’ ଆଖ୍ୟା ପାଇଛି। ଆହୁରି କୌତୂହଳପ୍ରଦ କଥା ହେଉଛି ଯେ ଏ ଗାଁର ବାଳକବାଳିକାମାନେ ନିର୍ଭୟରେ ନାଗ ଭଳି ଉତ୍କଟ ବିଷଧର ସରୀସୃପଙ୍କ ସହ ଖେଳିକୁଦି ବଡ଼ ହୁଅନ୍ତି। ନାଗମାନେ କେବେ କାହାର କିଛି ଅନିଷ୍ଟ କରି ନାହାନ୍ତି। ଅର୍ଥାତ୍ କାହାକୁ କେବେ ଦଂଶନ କରିନାହାନ୍ତି। ଏଇ କଥାଟି ହିଁ ସେ ଗାଁ’କୁ ବିଶେଷ ରହସ୍ୟମୟ କରିପକାଇଛି।
ପ୍ରାଚୀନ କାଳରୁ ଶେତ୍ପାଲ୍ ଗ୍ରାମବାସୀମାନେ ସର୍ପ ପାଳିଆସୁଛନ୍ତି। ଗ୍ରାମବାସୀମାନଙ୍କ ମତରେ, ନାଗ ସାକ୍ଷାତ୍ ଶିବଙ୍କ ସ୍ବରୂପ। ହିନ୍ଦୁଧର୍ମରେ ପରମପୂଜ୍ୟ ଦେବତା ମହାଦେବଙ୍କ ଗଳାରେ ନାଗସାପ ଗୁଡ଼ାଇ ହୋଇଥାଏ। ତେଣୁକରି, ଶେତ୍ପାଲ୍ ଗ୍ରାମବାସୀଙ୍କ ଦୃଷ୍ଟିରେ ସାପମାନେ ସାଧାରଣ ସରୀସୃପ ନୁହନ୍ତି, ଦେବତା। ତେଣୁ ସେମାନଙ୍କୁ ସସମ୍ମାନ ପୂଜାର୍ଚ୍ଚନା କରିବା ବିଧେୟ। ବାହାରକୁ ଅସ୍ବାଭାବିକ ମନେହେଉଥିଲେ ବି ବାସ୍ତବରେ ଏହା ହେଉଛି ପାରସ୍ପରିକ ସହାବସ୍ଥାନ ସମ୍ବନ୍ଧୀୟ ବଳିଷ୍ଠ ଶିକ୍ଷା। ଗ୍ରାମବାସୀମାନେ ଧାର୍ମିକ ସଙ୍କେତ, ବାସ୍ତବ ସହନଶୀଳତା ଓ ପରିସଂସ୍ଥାନ ବୁଝାମଣାକରି ଭାରତର ସବୁଠୁ ଭୀତିପ୍ରଦ ସରୀସୃପ ସହିତ ସୌହାର୍ଦ୍ଦପୂର୍ଣ୍ଣ ଭାବେ ଚଳପ୍ରଚଳ କରୁଛନ୍ତି। ଏ ଧାରା ହେଉଛି ବିଶ୍ବାସ, ନିର୍ଭୀକତା ଓ ସାଂସ୍କୃତିକ ସଫଳତା।
ଶେତ୍ପାଲ୍ବାସୀ ଦୁଗ୍ଧ, ଶସ୍ୟ ଓ ସନ୍ଦୂର ଦେଇ ଦୈନିକ ନାଗପୂଜା ତ କରନ୍ତି, କିନ୍ତୁ ନାଗପଞ୍ଚମୀ ଦିନ ସେଠାରେ ବଡ଼ ଜାକଜମକରେ ନାଗପୂଜା ହୁଏ। ସେଦିନ ବି ଗ୍ରାମବାସୀମାନେ ସର୍ପଦେବତା ଓ ନାଗ ପ୍ରତିମାଙ୍କୁ ଦୁଗ୍ଧ, ମିଷ୍ଟାନ୍ନ ଆଦି ନୈବେଦ୍ୟ ଲାଗିକରି ପ୍ରାର୍ଥନା କରନ୍ତି। ସେଠାରେ ଅବସ୍ଥିତ ସିଦ୍ଧେଶ୍ବର ମନ୍ଦିର ସର୍ପଦଂଶନଜନିତ ବିଷ କାଟିପାରେ କୁହାଯାଏ। ସର୍ପ ଦଂଶନ ଯୋଗୁଁ ପୀଡ଼ିତ ପ୍ରାୟ ଏକଶହ ଲୋକ ସେଠାରେ ଆରୋଗ୍ୟ ହୋଇଛନ୍ତି ବୋଲି ଐତିହାସିକ ତଥ୍ୟରୁ ଜଣାପଡ଼ିଛି। ନାଗ ଭଳି ମାରାତ୍ମକ ସରୀସୃପ ସହିତ ସହାବସ୍ଥାନ କରୁଥିଲେ ବି ଶେତ୍ପାଲ୍ ଗାଁ’ରେ କାହାକୁ କେବେ ନାଗ ଦଂଶନ କରିନାହିଁ। କିନ୍ତୁ, ସେ ଗାଁ ପରିଦର୍ଶନରେ ଯାଉଥିବା ପରିବ୍ରାଜକମାନଙ୍କୁ କିନ୍ତୁ ନାଗସାପମାନଙ୍କଠାରୁ ଦୂରଛଡ଼ା ହୋଇ ରହିବାକୁ ସାବଧାନ କରାଯାଏ। କାରଣ, ନାଗମାନେ ହୁଏତ ସେମାନଙ୍କୁ ମିତ୍ର ଭାବେ ଗ୍ରହଣ କରି ନ ପାରନ୍ତି!