ବ୍ରାହ୍ମ ସମାଜର ଜଣେ ଆଗଧାଡ଼ିର ନେତା କେଶବ ଚନ୍ଦ୍ର ସେନ୍‌ଙ୍କ ଝିଅ ସୁଚାରୁ ଦେବୀ (ଜନ୍ମ ୯ ଅକ୍ଟୋବର, ୧୮୭୪) ମହାରାଣୀ ଭିକ୍ଟୋରିଆ ବାଳିକା ବିଦ୍ୟାଳୟରେ ପଢୁଥିଲା ବେଳେ ଦାର୍ଜିଲିଂରେ ଭେଟ ହୁଏ ମୟୂରଭଞ୍ଜର ରାଜକୁମାର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଜନ୍ମ ୧୭ ଡିସେମ୍ବର, ୧୮୭୦)ଙ୍କ ସହ। ସେହି ପ୍ରଥମ ସାକ୍ଷାତରେ ୧୫ ବର୍ଷ ବୟସ୍କା ସୁଚାରୁ ଦେବୀ ପ୍ରେମରେ ପଡ଼ିଯାଆନ୍ତି ଏବଂ ସଂଯୋଗକୁ ରାଜକୁମାରଙ୍କ ଶିକ୍ଷକ କିଡେଲ୍‌ ସାହେବଙ୍କ ସୌଜନ୍ୟରୁ ବିବାହ ପ୍ରସ୍ତାବ ମଧ୍ୟ ପଡ଼େ। ତେବେ ରାଜପରିବାର ତରଫରୁ ଏହି ପ୍ରସ୍ତାବକୁ ସିଧାସଳଖ ନାକଚ ନକରି ରାମଚନ୍ଦ୍ର ଭଞ୍ଜଦେଓ ଉଚ୍ଚଶିକ୍ଷା ପାଇଁ ଇଂଲଣ୍ଡ ଯାଉଥିବାରୁ ବିବାହକୁ ଶିକ୍ଷାଲାଭ ଶେଷ ପର୍ଯ୍ୟନ୍ତ ଝୁଲାଇ ରଖନ୍ତି। ଅତଏବ ଏ ଭିତରେ ସୁଚାରୁ ଦେବୀଙ୍କର ଅନ୍ୟ ତିନି ଭଉଣୀଙ୍କର ବିବାହ ହୋଇଗଲା। କିନ୍ତୁ ସୁଚାରୁ ଦେବୀ ଅନ୍ୟତ୍ର ବିବାହ ପାଇଁ ଆଦୌ ସମ୍ମତ ହେଲେନାହିଁ, ଅପେକ୍ଷା କରି ରହିଲେ ରାଜକୁମାରଙ୍କର ଫେରିବା ସମୟକୁ। ହଠାତ୍ ଦିନେ ଖବର ଆସିଲା ଯେ ରାଜକୁମାର ଉଚ୍ଚଶିକ୍ଷା ସମାପ୍ତ କରି ମୟୁରଭଞ୍ଜକୁ ଫେରି ଆସିଛନ୍ତି।

Advertisment

ଏହାପରେ କେବଳ ଶୁଭ ମୁହୂର୍ତ୍ତର ଅପେକ୍ଷା, ରାଜକୁମାର ଯେଉଁଦିନ ତାଙ୍କୁ ବିବାହ କରି ସାଥିରେ ନେଇଯିବେ। ସୁଚାରୁଙ୍କ କୁମାରୀ ମନ ମଧ୍ୟ ଅଥୟ ଥିଲା ରାଜକୁମାରଙ୍କ ସ୍ବପ୍ନରେ। ହେଲେ ସୁଚାରୁଙ୍କର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଗଲା ଯେତେବେଳେ ଖବର ଆସି ପହଞ୍ଚିଲା ଯେ, ରାଜକୁମାର ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ବିବାହ ରାଜପରିବାର ଦ୍ବାରା ନିର୍ବାଚିତ ପାତ୍ରୀଙ୍କ ସହିତ ଅନ୍ୟତ୍ର ସମ୍ପନ୍ନ ହୋଇଯାଇଛି। ସେଦିନ ସୁଚାରୁ ଖୁବ୍‌ ଭାଙ୍ଗିଗଲେ। ଈପ୍ସିତ ପୁରୁଷଙ୍କୁ ଯେ ସେ ଆଉ ପାଇ ପାରିବେ ନାହିଁ, ସେହି ଆଘାତ ହିଁ ପ୍ରତି ମୁହୂର୍ତ୍ତରେ ତାଙ୍କୁ ଯନ୍ତ୍ରଣା ଦେଇଚାଲିଥିଲା। ନୈରାଶ୍ୟ ଭିତରେ କ୍ରମଶଃ ସୁଚାରୁଙ୍କୁ ନିଜ ଜୀବନ ଅସହ୍ୟ ବୋଧ ହେଲା। କିନ୍ତୁ ନିରବରେ ସବୁକିଛି ସହିଯାଇ ବଞ୍ଚିବାକୁ ଚେଷ୍ଟା କରୁଥିଲେ ସୁଚାରୁ ଦେବୀ। ଆଜୀବନ ଦୁଃଖ, ନିର୍ଜନତାର ଘନାନ୍ଧକାର ଉହାଡ଼ରେ ସତେ ଯେମିତି ଲୁଚି ରହିଥିଲା ପୂର୍ଣ୍ଣିମାର ଜହ୍ନ। ସାତ ବର୍ଷର ବିବାହିତ ଜୀବନରେ ଶ୍ରୀରାମଚନ୍ଦ୍ରଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ଦେବୀ ଦୁଇଟି ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ହଠାତ୍ ବସନ୍ତ ରୋଗରେ ପ୍ରାଣ ହରାଇଥିଲେ। ବିପତ୍ନୀକ ଶ୍ରୀରାମଚନ୍ଦଙ୍କର ପୁଣି ମନେ ପଡ଼ିଥିଲା ସୁଚାରୁଙ୍କ କଥା। ହେଲେ ସେ ଜାଣିନଥିଲେ ଯେ ସୁଚାରୁ ଏଯାଏ ଅବିବାହିତା ଥିଲେ ବୋଲି। କିନ୍ତୁ ତାଙ୍କର ବିଶ୍ବାସ ଥିଲା ସୁଚାରୁ ତାଙ୍କୁ ଭୁଲି ନାହାଁନ୍ତି। ସେହି ବିଶ୍ବାସକୁ ଆଧାର କରି ଚିଠି ଲେଖିଲେ, କିନ୍ତୁ ଏଥରର ସମ୍ବୋଧନରେ ‘ମିସେସ୍ ସେନ୍’ ବଦଳରେ ଲେଖିଲେ ‘ଡିୟର୍ ଏସ୍’। ସେହି ଚିଠିର ଉତ୍ତରରେ ସୁଚାରୁଙ୍କ ପାଖରୁ ମାଘୋତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ ପାଇଲେ ରାଜା ଶ୍ରୀରାମଚନ୍ଦ୍ର। ପୁଣି ସବୁକିଛି ନୂତନ ଭାବରେ ଆରମ୍ଭ ହେଲା। ରୂପକଥାର ଅଲୌକିକ କାହାଣୀ ପରି, ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଦୁଇଟି ବିରହୀ ପ୍ରାଣର ଶେଷରେ ଶୁଭ ପରିଣୟ ହେଲା।
ଭାଗ୍ୟହୀନା ସୁଚାରୁଙ୍କ ଜୀବନରେ କିନ୍ତୁ ସ୍ବାମୀ ସୁଖ ଦୀର୍ଘସ୍ଥାୟୀ ହୋଇନଥିଲା। ବିବାହର ଅଷ୍ଟମ ବର୍ଷରେ ଶିକାର କରିବାକୁ ଯାଇଥିବା ବେଳେ ନିଜ ବନ୍ଧୁକର ଗୁଳିରେ (୨୨ ଫେବୃଆରି, ୧୯୧୨) ଆଘାତପ୍ରାପ୍ତ ହୋଇ ମୃତ୍ୟୁବରଣ କରିଥିଲେ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ। ପୁଣି ନିଃସଙ୍ଗତା ଯୋଡ଼ି ହୋଇ ଯାଇଥିଲା ସୁଚାରୁଙ୍କ ଜୀବନରେ। ଶୈଶବରୁ ହିଁ ଦୁଃଖ ଚିରସହଚର ହୋଇ ରହିଥିଲା ତାଙ୍କର। ଶେଷରେ ୧୪ ଡିସେମ୍ବର ୧୯୫୯ରେ ଏହି ଅସାଧାରଣ ପ୍ରେମ କାହାଣୀର ନାୟିକା ସୁଚାରୁ ଦେବୀଙ୍କର ପରଲୋକ ଘଟିଥିଲା। (ଋଣ ସ୍ବୀକାର: ଗତ ଶତକର ପ୍ରେମ- ପୂର୍ଣ୍ଣେନ୍ଦୁ ପତ୍ରୀ)
ଉପସ୍ଥାପନା: ପ୍ରଦୀପ କୁମାର ରାୟ