ଫିଫା ମଞ୍ଚରେ ଏକମାତ୍ର ଭାରତୀୟ

ଶକିରା ଓ ଜେନିଫର ଲୋପେଜଙ୍କ ଭଳି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କଳାକାରଙ୍କ ପାହ୍ୟାରେ ପହଞ୍ଚି ଫିଫା ବିଶ୍ବ କପ୍‌ ୨୦୨୨ରେ ନୃତ୍ୟ ପ୍ରଦର୍ଶନ କରିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଓ ନୃତ୍ୟାଙ୍ଗନା ନୋରା ଫତେହୀ। କେବଳ ଏତିକି ନୁହେଁ, ବିଶ୍ବପ୍ରସିଦ୍ଧ ରାପର୍‌ ନିକି ମିନାଜ୍‌ଙ୍କ ସହିତ ଫିଫା ଆଲବମ୍ ସଂଗୀତରେ ନୋରାଙ୍କୁ ସ୍ଥାନ ମିଳିଥିବା କଥା ଏବେ ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଗତ ଅକ୍‌ଟୋବର ୭ରେ ୟୁଟ୍ୟୁବ୍‌ରେ ମୁକ୍ତିଲାଭ କରିଥିବା ‘ଲାଇଟ୍‌ ଦି ସ୍କାଇ’ରେ ନୋରାଙ୍କୁ ଦେଖିବାକୁ ମିଳିଥିଲା। ଏହା ହେଉଛି ଫିଫା ବିଶ୍ବକପ୍ ୨୦୨୨ର ‘ଲାଇଟ୍‌ ଦି ସ୍କାଇ’ ଶୀର୍ଷକ ଆନୁଷ୍ଠାନିକ ଆଲବମ୍‌ର ଅଂଶବିଶେଷ। ଉଲ୍ଲେଖଯୋଗ୍ୟ ଯେ ‘ଲାଇଟ୍ ଦି ସ୍କାଏ’ ଗୀତଟିକୁ ରେଡ୍‌ୱାନ୍ ନାମ୍ନୀ କଳାକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି ଯିଏ ଅତୀତରେ ଶକିରାଙ୍କ ସହିତ ‘ୱାକା ୱାକା’ ଓ ‘ଲା ଲା ଲା’ ଗୀତର ସଂଯୋଜନା କରିଥିଲେ।

ଆଉ ମାତ୍ର ଦୁଇ ସପ୍ତାହରୁ କମ୍ ସମୟ ପରେ କାତାରରେ ଫୁଟ୍‌ବଲ୍‌ର ଏହି ବହୁପ୍ରତୀକ୍ଷିତ ପ୍ରତିଯୋଗିତା ଆରମ୍ଭ ହେବ। ଆସନ୍ତା ୨୦ ତାରିଖରେ ଅଲ ଖୋର୍ ସ୍ଥିତ ଅଲ-ବେତ୍ ଷ୍ଟାଡିଅମ୍‌ରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ପରେ ମ୍ୟାଚ୍‌ ଆରମ୍ଭ ହେବ। ଫିଫା ବିଶ୍ବ କପ୍‌ର ଏହି ଉଦ୍‌ଘାଟନୀ ଉତ୍ସବରେ ନୋରା ଏକମାତ୍ର ଭାରତୀୟ ଭାବେ ଆମ ଦେଶକୁ ପ୍ରତିନିଧିତ୍ବ କରିବେ ଏବଂ ଲାଇଭ୍ ନୃତ୍ୟଗୀତ ପ୍ରଦର୍ଶନ କରିବେ। ମୁଖ୍ୟ କାର୍ଯ୍ୟକ୍ରମରେ ସେ ଏକ ହିନ୍ଦୀ ଗୀତ ଗାଇବେ ବୋଲି ଅନୁମାନ କରାଯାଉଛି। ତେବେ ନୋରା ବିଶ୍ବ ଦରବାରରେ ଭାରତକୁ ପ୍ରଥମ ଥର ପାଇଁ ପ୍ରତିନିଧିତ୍ବ କରୁନାହାନ୍ତି। ଗତ ୨୦୨୦ ଫେବ୍ରୁଆରିରେ ଦେଶର ପ୍ରଥମ କଳାକାର ଭାବେ ପ୍ୟାରିସ୍‌ରେ ଆୟୋଜିତ ମର୍ଯ୍ୟାଦାଜନକ ଲା’ଅଲିମ୍ପିଆ ବ୍ରୁନୋ କୋକ୍ବାଟ୍ରିକ୍‌ସରେ ସେ ସାମିଲ ହୋଇଥିଲେ। ଭାରତୀୟ ଓ ଆରବୀ ମିଶ୍ରିତ ନୃତ୍ୟରେ ସେ ସଭିଙ୍କର ଧ୍ୟାନ ଆକର୍ଷଣ କରିପାରିଥିଲେ। ବିଶ୍ବରେ ଫୁଟ୍‌ବଲ୍‌ର ଆକର୍ଷଣକୁ ଉତ୍‌ଥାପନ କରିବାକୁ ଯାଇ ନୋରା କହିଛନ୍ତି ଯେ ସେ ଯେଉଁ ଦେଶକୁ ବି ଯାଇଛନ୍ତି ଫୁଟ୍‌ବଲ୍‌କୁ ସଂଗୀତ ଭଳି ଏକ ସାର୍ବଜନୀନ ଭାଷା ରୂପରେ ଦେଖିଛନ୍ତି। ଫିଫା ବିଶ୍ବ କପ୍‌ର ଉଦ୍ଦୀପନାକୁ ପ୍ରକାଶ କରିବା ଲାଗି ଅନେକ ଦକ୍ଷତାସମ୍ପନ୍ନ ମହିଳାଙ୍କ ସହିତ ମିଶି କାମ କରିବାର ସୁଯୋଗ ଏକ ବିଶେଷାଧିକାର ବୋଲି ନୋରା ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର