ଜଣାଶୁଣା ଶିକ୍ଷାସଂସ୍କାରକ, ଇଂଜିନିୟର, ବିକଳ୍ପ ସନ୍ଧାନୀ ତଥା ମାଗାସେସେ ପୁରସ୍କାର ବିଜେତା ସାମଜିକ କର୍ମୀ ସୋନମ୍ ୱାଙ୍ଗ୍ଚୁକ୍ ଏବେ ଚର୍ଚ୍ଚାରେ। କେନ୍ଦ୍ର ଶାସିତ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ ଦାବିରେ ବିଯୁକ୍ତ ୧୦ ଡିଗ୍ରି ସେଲ୍ସିୟସ୍ରେ ତୁଷାରପାତ ସତ୍ତ୍ବେ ଦୀର୍ଘ ୨୧ ଦିନ ଅନଶନ କରି ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛନ୍ତି ସେ। ତାଙ୍କୁ ସମର୍ଥନ କରି ଦେଶବିଦେଶର ବହୁ ପରିବେଶବିତ୍, ସମାଜସେବୀ ଓ ସିନେକଳାକାର ଏହି ପ୍ରତିବାଦରେ ସାମିଲ ହୋଇଥିଲେ। ମାର୍ଚ୍ଚ ୬ରୁ ୨୬ ପର୍ଯ୍ୟନ୍ତ ଚାଲିଥିବା ୱାଙ୍ଗ୍ଚୁକ୍ଙ୍କ ଜଳବାୟୁ-ଅନଶନର ୧୯ ଦିନରେ ଲଦାଖରେ ତାଙ୍କୁ ଭେଟିଥିଲେ ଆମ ପ୍ରତିନିଧି
ବିଭୂତି ପତି
ଲଦାଖ ଅଞ୍ଚଳକୁ କାହିଁକି ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବାକୁ ଆପଣ ଦାବି କରୁଛନ୍ତି?
ସମ୍ବିଧାନର ଷଷ୍ଠ ଅନୁସୂଚୀ ଧାରା ୨୪୪ ଆଦିବାସୀ ଜାନଜାତିଙ୍କୁ ସୁରକ୍ଷା ଦେବା ସହିତ ସେମାନଙ୍କୁ ଏକ ସ୍ୱୟଂଶାସିତ ବିକାଶ ପରିଷଦ୍ ଗଠନ ପାଇଁ ଅନୁମତି ଓ ଅଧିକାର ଦେଇଛି। ଏହା ମାଧ୍ୟମରେ ସେମାନେ ନିଜସ୍ବ ସ୍ୱୟଂଶାସିତ ଜିଲ୍ଲା ପରିଷଦ୍ (ଏ.ଡି.ସି) ଗଠନ କରିପାରିବେ। ଏ.ଡି.ସି. ହାତରେ ବିଧାନସଭା ଓ ନ୍ୟାୟିକ କ୍ଷମତା ଥିବାରୁ ତାହା ସ୍ଥାନୀୟ ଅଞ୍ଚଳର ସଂସ୍କୃତି, ପରମ୍ପରା, କୃଷି ଓ ଜମି ପରିଚାଳନା, ସ୍ୱାସ୍ଥ୍ୟସେବା ଏବଂ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିପାରିବ। ଆଦିବାସୀ ଜନଜାତି ବହୁଳ ଆସାମ, ମେଘାଳୟ, ତ୍ରିପୁରା ଓ ମିଜୋରାମକୁ ସମ୍ବିଧାନର ଷଷ୍ଠ ଅନୁସୂଚୀ ଅନୁଯାୟୀ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଛି। ଲଦାଖର ୯୭% ଜନତା ଆଦିବାସୀ। ତେଣୁ ଏହାକୁ ମଧ୍ୟ ଷଷ୍ଠ ଅନୁସୂଚୀରେ ସାମିଲ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ, ତାହା କାର୍ଯ୍ୟକାରୀ ହୋଇନାହିଁ। ତାହା ତୁରନ୍ତ କରିବା ପାଇଁ ଆମେ ଦାବି କରୁଛୁ। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ ଓ କାଶ୍ମୀରଠାରୁ ଲଦାଖ ପୃଥକ୍ ହୋଇ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲା। ଇତିମଧ୍ୟରେ ୫ ବର୍ଷ ବିତିଗଲାଣି।
ସାମାଜିକ ଗଣମାଧ୍ୟମରେ ଆପଣଙ୍କର ଗୋଟିଏ କଥା ବହୁତ ପ୍ରସାର ହୋଇଛି- ‘ପ୍ରାଣ୍ ଯାଏ ପର୍ ବଚନ୍ ନ ଯାଏ’। କେଉଁ ପରିପ୍ରେକ୍ଷୀରେ ଆପଣ ଏହା କହିଥିଲେ?
ଆମକୁ ଷଷ୍ଠ ଅନୁସୂଚୀରେ ସମିଲ କରିବାକୁ କେନ୍ଦ୍ର ସରକାର ଦୁଇ ଦୁଇ ଥର ପ୍ରତିଶ୍ରୁତି ଦେଇଛନ୍ତି। ଖୋଦ୍ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏଥିପାଇଁ ଆମକୁ ନିଶ୍ଚିନ୍ତ ରହିବାକୁ କହିଥିଲେ। ହେଲେ ଆଜି ସବୁ ଭୁଲିଗଲେ! ଆମ ପାଇଁ ଏହା ହେଉଛି ବର୍ତ୍ତମାନ ସତ୍ୟ ଓ ନ୍ୟାୟର ସଂଗ୍ରାମ। ପ୍ରତିଜ୍ଞା ଓ ପ୍ରତିଶ୍ରୁତି ଦିଆଯାଇ ମଧ୍ୟ ଆମକୁ ପ୍ରତାରିତ କରାଯାଉଛି। ତେଣୁ, ପ୍ରଭୁ ଶ୍ରୀରାମଙ୍କ ରଘୁବଂଶ ସଂପର୍କରେ କହାଯାଉଥିବା ଉକ୍ତି “ପ୍ରାଣ୍ ଯାଏ ପର୍ ବଚନ୍ ନ ଯାଏ” (ମରିଯାଅ ପଛେ କଥା ହୁଡ଼ନାହିଁ)ର ଆହ୍ବାନ ଦେଇଛି। ସମ୍ପ୍ରତି ଲଦାଖ ଉପନିବେଶ ପାଲଟିଛି। ଏ ଅଞ୍ଚଳର ଭୂଗୋଳ ଏବଂ ଜନତାଙ୍କ ଉପରେ ତିଳେମାତ୍ର ଜ୍ଞାନ ନ ଥାଇ ବାହାରୁ ଆସିଥିବା ପ୍ରଶାସନିକ ଅଧିକାରୀ ଯୋଜନା ପ୍ରଣୟନ କରୁଛନ୍ତି। ଆପଣମାନଙ୍କ ମାଧ୍ୟମରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରୁଛି, ଦୟାକରି ଲଦାଖ କଥା ବିଚାର କରନ୍ତୁ। ଏହା ନ ହେଲେ କେବଳ ଲଦାଖର ନୁହେଁ, ପରୋକ୍ଷରେ ସମଗ୍ର ମାନବଜାତିର ଅପୂରଣୀୟ କ୍ଷତି ହେବ। ଆମେ କ’ଣ ମାନବଜାତିର କ୍ଷତି କରିବାକୁ ବଞ୍ଚିବା?
ଲଦାଖର ୯୭% ଜନତା ଆଦିବାସୀ। ତେଣୁ ଏହାକୁ ମଧ୍ୟ ଷଷ୍ଠ ଅନୁସୂଚୀରେ ସାମିଲ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ, ତାହା କାର୍ଯ୍ୟକାରୀ ହୋଇନାହିଁ। ତାହା ତୁରନ୍ତ କରିବା ପାଇଁ ଆମେ ଦାବି କରୁଛୁ। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ ଓ କାଶ୍ମୀରଠାରୁ ଲଦାଖ ପୃଥକ୍ ହୋଇ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିଲା। ଇତିମଧ୍ୟରେ ୫ ବର୍ଷ ବିତିଗଲାଣି।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆପଣ ଢେର୍ ପ୍ରସଂଶା କରୁଥିଲେ, ହଠାତ୍ ସମାଲୋଚନା କରିବାର କାରଣ କ’ଣ?
ଭାରତୀୟ ସେନା, ସ୍ଥାନୀୟ ପ୍ରଶାସନିକ ବ୍ୟବସ୍ଥା, ବିଶେଷକରି ପର୍ଯ୍ୟଟନ ଅଧିକାରୀ ଏବଂ ଲଦାଖ ଜନତାଙ୍କ ମଧ୍ୟରେ କେବଳ ଅନୌପଚାରିକ କଥାବାର୍ତ୍ତା ହେଉଛି। ଔପଚାରିକ କଥାବାର୍ତ୍ତା ନ ହେବାରୁ ପରିବେଶ ସୁରକ୍ଷା ଲାଗି ନିଷ୍କର୍ଷ ବାହାରି ପାରୁନାହିଁ। ମୁଁ ଆନନ୍ଦିତ ଯେ, ପ୍ରଧାନମନ୍ତ୍ରୀ ଲଦାଖକୁ ଅଙ୍ଗାରକଶୂନ୍ୟ ଅଞ୍ଚଳ କରିବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ, ଏଥିପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ଲଦାଖରେ ଶିକ୍ଷାର ପ୍ରଗତି, ପରିବେଶ ସୁରକ୍ଷା ଏବଂ ସୁରକ୍ଷିତ ହିମାଳୟ ପରିସଂସ୍ଥାନ ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏଥିପ୍ରତି କେନ୍ଦ୍ର ସରକାରଙ୍କର ସହାନୁଭୂତି ରହିବା ଆବଶ୍ୟକ। ମୁଁ ଦେଖିଲି ବିରାଟ ଖାରଦଙ୍ଗ ଲା ହିମାବାହ ମୋ ଆଖି ଆଗରେ ଅଦୃଶ୍ୟ ହୋଇଯାଉଛି। ଏହାର ସୁରକ୍ଷା ପାଇଁ ମୁଁ ସ୍ୱର ଉତ୍ତୋଳନ କଲି। ଏଥିପାଇଁ ସରକାରୀ ବ୍ୟବସ୍ଥାକୁ ପ୍ରଶ୍ନ କରିବା କ’ଣ ଭୁଲ୍?
ଫେଲ୍ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆପଣ ଏକ ସ୍କୁଲ ଆରମ୍ଭ କରିଥିଲେ। ଏଭଳି ଅଭିନବ ଚିନ୍ତାଧାରା କାହିଁକି ମନକୁ ଆସିଲା?
ଦେଖନ୍ତୁ, ଲଦାଖ ଭଳି ସ୍ଥାନରେ ଅନେକ ପିଲା ଶିକ୍ଷାରୁ ବଞ୍ଚିତ ହେଉଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢ଼ି ଫେଲ୍ ହେଉଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ନେଇ ମୁଁ ଚିନ୍ତିତ ହେଲି। ମୁଁ ଭାବିଲି, ଏହି ଫେଲ୍ ପିଲାମାନଙ୍କୁ ନେଇ ଏକ ସ୍କୁଲ୍ ଆରମ୍ଭ କରିବି, ଯେଉଁଠାରେ ସେମାନଙ୍କୁ ପାଠ ପଢ଼ିବାକୁ ଉତ୍ସାହିତ କରାଯିବ। ଫଳରେ ସେମାନଙ୍କ ପାଠପଢ଼ା ଫେଲ୍ ହେବା କାରଣରୁ ଅଧାରୁ ବନ୍ଦ ହେବନି। ପାଠ ସହିତ ସେମାନଙ୍କ ଜୀବନ ଗଢ଼ିବାର ମାନ ମଧ୍ୟ ନିର୍ଦ୍ଧାରଣ ହେବ। ପାଠପଢ଼ା ଲକ୍ଷ୍ୟ କେବଳ କୌଣସି ସଂସ୍ଥାରେ କିମ୍ବା ସରକାରୀ ନିଯୁକ୍ତି ପାଇବା ନୁହେଁ ବରଂ ନିଜକୁ ସ୍ୱାବଲମ୍ବୀ କରି ଗଢ଼ି ତୋଳିବା। ଏଥିପାଇଁ ମୁଁ ‘ନୂତନ ଅଶାର କିରଣ’ ନାମ ଦେଇ ଶିକ୍ଷା ଅଭିଯାନ ଆରମ୍ଭ କରିଥିଲି। ମୋ ସ୍କୁଲ୍ରେ ନାମଲେଖା କୌଣସି ଛାତ୍ରଛାତ୍ରୀର ଯୋଗ୍ୟତା ପରୀକ୍ଷାରେ ମିଳିଥିବା ନମ୍ବର ଆଧାରରେ ହୁଏ ନାହିଁ। ଫେଲ୍ ହେଉଥିବା ପିଲାମାନଙ୍କୁ ନେଇ ବଡ଼ ସ୍ବପ୍ନ ଦେଖିହେବ, ସେମାନଙ୍କୁ ନେଇ ବହୁତ ବଡ଼ କାମ କରାଯାଇପାରିବ। ଏଠାରେ ଶିକ୍ଷାକୁ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନ ରଖି ପଶୁପାଳନ, ସଂଗୀତ, କଳା, ଏପରିକି ଲଦାଖର ପରିବେଶକୁ କିପରି ସୁରକ୍ଷିତ ରଖାଯିବ, ସେ ବିଷୟ ବି ପ୍ରଶିକ୍ଷଣ ଦିଆଯାଏ।
ଆପଣ ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମ ‘କୌନ୍ ବନେଗା କରୋଡ଼ପତି’ରେ ଭାଗନେବାର ଉଦ୍ଦେଶ୍ୟ କ’ଣ ଥିଲା?
ମୋର ଶିକ୍ଷାନୁଷ୍ଠାନକୁ ମୁଁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଚାହୁଁଛି। ତେଣୁ ଭାବିଲି, ‘କୌନ୍ ବନେଗା କରୋଡ଼ପତି’ ଭଳି ଟିଭି କାର୍ଯ୍ୟକ୍ରମରେ ଭାଗନେଇ ପୁରସ୍କାର ରାଶି ଭାବେ କିଛି ଅର୍ଥ ପାଇଲେ ତାହାକୁ ଶିକ୍ଷାନୁଷ୍ଠାନର ବିକାଶରେ ଲଗାଇବି। ମୋତେ ଯେତେବେଳେ ସୁଯୋଗ ମିଳିଲା ମୁଁ ଭାଗନେଲି। ତାହା ଏକ ଭଲ ଅନୁଭୂତି ଥିଲା।
ସମସ୍ତେ କହନ୍ତି ବଲିଉଡ୍ର ପ୍ରସିଦ୍ଧ ଚଳଚ୍ଚିତ୍ର ‘ଥ୍ରି ଇଡିଅଟ୍ସ୍’ ଆପଣଙ୍କ ଜୀବନ କାହାଣୀ ଉପରେ ଆଧାରିତ। କିନ୍ତୁ, ବାସ୍ତବତା କିଛି ଭିନ୍ନ ବୋଲି ଚର୍ଚ୍ଚା ହୁଏ। ଅସଲ କଥାଟି କ’ଣ?
ଦେଖନ୍ତୁ, ଲଦାଖରେ ଆମ ସ୍କୁଲକୁ ଯେତେବେଳେ ସେହି ଚଳଚ୍ଚିତ୍ରର ୟୁନିଟ୍ ସୁଟିଙ୍ଗ୍ କରିବାକୁ ଆସିଥିଲେ ସେତେବେଳେ ମୁଁ ଲଦାଖରେ ନ ଥିଲି। ମୋତେ ପିଲାମାନେ ଜଣାଇଲେ ଯେ ମୁମ୍ବାଇରୁ ଫିଲ୍ମ ସୁଟିଙ୍ଗ୍ କରିବାକୁ ଆସିଛନ୍ତି। ଏହା ପୂର୍ବରୁ ମୋତେ ଏକ କାର୍ଯ୍ୟକ୍ରମରେ ଅମୀର ଖାନ୍ଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ସେଦିନ ମୁଁ ତାଙ୍କୁ ଶିକ୍ଷାକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ କହିଥିଲି। ସେ ବହୁତ ଆଗ୍ରହ ଦେଖାଇଥିଲେ। ପରବର୍ତ୍ତୀ ସମୟରେ ସେ ମୋ ସହିତ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ତଥ୍ୟ ସଂଗ୍ରହ କରିଥିଲେ। କିନ୍ତୁ, ବାସ୍ତବତା ହେଉଛି ଏହି ଚଳଚ୍ଚିତ୍ରଟି ମୋ ଜୀବନ ଉପରେ ସମ୍ପୂର୍ଣ୍ଣ ଭାବେ ଆଧାରିତ ନୁହେଁ କିମ୍ବା ଆମ ସ୍କୁଲ୍ରେ ଏହାର ସୁଟିଙ୍ଗ୍ ହୋଇନାହିଁ। କାରଣ ସୁଟିଙ୍ଗ୍ ପାଇଁ ଯେତେବେଳେ ବିଦ୍ୟାଳୟର ପରିସରରେ ପ୍ଲାଷ୍ଟିକ୍ ସମେତ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଜମା କରାଗଲା ଛାତ୍ରଛାତ୍ରୀ ତାହା କରାଇ ଦେଇ ନ ଥିଲେ। ଫଳରେ ସୁଟିଙ୍ଗ୍ ନିକଟସ୍ଥ ଅନ୍ୟ ଏକ ସ୍କୁଲ୍ରେ ହୋଇଥିଲା କିନ୍ତୁ, ଆମ ସ୍କୁଲ୍ ନାଁ ରହିଥିଲା। ଏହାପରେ ମୁଁ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିବା ପଦାଧିକାରୀଙ୍କୁ ଚିଠି ଲେଖି ମୋର ମନର ଅଭିମାନ ପ୍ରସଙ୍ଗରେ ଅବଗତ କରାଇଥିଲି। ଏହାହିଁ ବାସ୍ତବତା ଏବଂ ଏହାକୁ ବହୁତ କମ୍ ଲୋକେ ଜାଣିଛନ୍ତି।