ଜ୍ଞାନକୌଶଳର ବିକାଶ ଯୋଗୁଁ ମଣିଷ ପାଇଁ ଅନ୍ତରୀକ୍ଷ ଭ୍ରମଣ ସୁବିଧାଜନକ ହୋଇପାରିଛି। ମାତ୍ର ମହାକାଶରେ ଥାଇ ବିଳାସପୂର୍ଣ୍ଣ ଖାଦ୍ୟ ଭୋଜନ କରିବା, ବିଶେଷ କରି ଜଣେ ମିସେଲିନ୍ ତାରକା ରୋଷେୟାଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଉପଭୋଗ କରିବା ଏକ କଳ୍ପନାତୀତ କଥା ହୋଇ ରହିଆସିଛି। ମହାକାଶ ପର୍ଯ୍ୟଟନକୁ ପ୍ରୋତ୍ସାହନ କରୁଥିବା ‘ସ୍ପେସ୍ଭିଆଇପି’ ନାମକ କମ୍ପାନି ଏଭଳି ଏକ ଅସମ୍ଭବ କଥାକୁ ବାସ୍ତବ ରୂପ ଦେବା ଆରମ୍ଭ କରିଛନ୍ତି। ଏଥିପାଇଁ ଜଣେ ଉପଭୋକ୍ତାଙ୍କୁ ପ୍ରାୟ ୪ କୋଟି ଟଙ୍କାର ପାଉଣା ଦେବାକୁ ପଡ଼ିବ। କମ୍ପାନି ଦ୍ବାରା ପରିଚାଳିତ ପ୍ରଥମ ଶୂନ-ଅଙ୍ଗାର-ନିର୍ଗମନ ବିମାନ ‘ନେପ୍ଚ୍ୟୁନ୍’ର ଯାତ୍ରୀଙ୍କ ପାଇଁ ସମୁଦ୍ର ପତ୍ତନରୁ ଲକ୍ଷେ ଫୁଟ ଉଚ୍ଚ ଆକାଶମାର୍ଗରେ ଯାତ୍ରୀଙ୍କୁ ସେଭଳି ଏକ ଅନ୍ତରୀକ୍ଷ ଭୋଜନ ଅଭିଜ୍ଞତା ମିଳିପାରିବ।
‘ସ୍ପେସ୍ଭିଆଇପି’ ନାମକ କମ୍ପାନି ମହାକାଶରେ ମିସେଲିନ୍ ତାରକା ରୋଷେୟାଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଉପଭୋଗ କରିବାର ସୁଯୋଗ ପ୍ରଦାନ କରୁଛି। ଆସନ୍ତା ବର୍ଷ କେବଳ ୬ ଜଣ ଏହି ବିଳାସ ଲାଭ କରିପାରିବେ; ଏଥିପାଇଁ ପ୍ରାୟ ୪ କୋଟି ଟଙ୍କା ଗଣିବାକୁ ପଡ଼ିବ
ଆସନ୍ତାବର୍ଷ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ଉତ୍କ୍ଷେପିତ ହେବାକୁ ଥିବା ଏହି ମହାକାଶ ଯାନରେ ପ୍ରଥମ କରି କେବଳ ୬ ଜଣ ଭାଗ୍ୟଶାଳୀ ଯାତ୍ରୀ ଏହି ବିଳାସ ଲାଭ କରିପାରିବେ। ଯାତ୍ରୀମାନଙ୍କୁ ଏକ ପାରିବାରିକ ଅନୁଭବ ଯୋଗାଇବା ଲାଗି ସେମାନଙ୍କୁ ଵାଇଫାଇ ମାଧ୍ୟମରେ ଭୂପୃଷ୍ଠସ୍ଥ ଘରଲୋକ ଓ ସାଙ୍ଗସାଥୀମାନଙ୍କ ସହ ଯୋଗାଯୋଗ ସୁବିଧା ଯୋଗାଇଦିଆଯିବ, ଯାହା ସାହାଯ୍ୟରେ ସେମାନେ ପ୍ରତ୍ୟକ୍ଷ ଅନୁଭୂତି ବାଣ୍ଟିପାରିବେ। ବିଗତ ଷାଠିଏ ବର୍ଷର ମହାକାଶ ଅଭିଯାନ ଇତିହାସକୁ ବୈଜ୍ଞାନିକ ଓ ଦାର୍ଶନିକ ଭିତ୍ତିରେ ତର୍ଜମା କରି ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଖାଦ୍ୟ ପରଷାଯିବ। ଏଭଳି ଏକ ଛଅଘଣ୍ଟିଆ ଯାତ୍ରାରେ ଅପୂର୍ବ ଅନ୍ତରୀକ୍ଷ ଭୋଜନ ପରଷିବା ପାଇଁ ଉକ୍ତ କମ୍ପାନି ଡେନ୍ମାର୍କୀୟ ତାରକା ରୋଷେୟା ରାସମସ୍ ମଙ୍କ୍ଙ୍କୁ ନିଯୁକ୍ତ କରିଛି। ବିଶ୍ବର ଶୀର୍ଷ ୫୦ଟି ରେସ୍ତୋରାଁ ଭିତରେ ପଞ୍ଚମ ସ୍ଥାନରେ ଥିବା ଡେନ୍ମାର୍କର ‘ଆଲକେମିଷ୍ଟ୍’ ଭୋଜନାଳୟରେ ମଙ୍କ୍ ବର୍ତ୍ତମାନ କାର୍ଯ୍ୟରତ।